Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁରିବାହାଲ ରେଞ୍ଜରେ ବନ୍ୟପ୍ରାଣୀ ମୃତ୍ୟୁ ମାମଲା: ତଦନ୍ତ ନା ନାଟକ? ଉପରିସ୍ଥ ଅଧିକାରୀଙ୍କ ନୀରବତାକୁ ନେଇ ଉଠିଲା ପ୍ରଶ୍ନ ।

ବଲାଙ୍ଗୀର,୨୩।୫: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବନ ସଂରକ୍ଷଣ ରେଞ୍ଜରେ ବନ୍ୟପ୍ରାଣୀ ସୁରକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ, ସ୍ଥାନୀୟ ବନ କର୍ମଚାରୀଙ୍କ କାର୍ଯ୍ୟକଳାପ ଏବେ ସନ୍ଦେହର ଘେରକୁ ଆସିଛି। ହାତୀ ମୃତ୍ୟୁ ମାମଲାର ରହସ୍ୟ ଉନ୍ମୋଚନ ହେବା ପୂର୍ବରୁ, ମାତ୍ର କେଇ ଦିନ ବ୍ୟବଧାନରେ ଦୁଇ ଦୁଇଟି ବାର୍‌ହାଙ୍କ ମୃତ୍ୟୁକୁ ଯେଭଳି ଭାବେ ଗୋପନୀୟ ଭାବେ ଚପାଇ ଦେବାକୁ ଚେଷ୍ଟା କରାଯାଉଛି, ତାହା ବନ୍ୟପ୍ରାଣୀ ସଂରକ୍ଷଣ ଆଇନ୍ ୧୯୭୨ର ଖୋଲାଖୋଲି ଉଲ୍ଲଂଘନ ବୋଲି ଅଭିଯୋଗ ହେଉଛି।
ପ୍ରଶାସନିକ ସ୍ତରରେ ଏହି ଘଟଣାର ପ୍ରଭାବ ଏବଂ ବନ ବିଭାଗର ଆଭିମୁଖ୍ୟକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଏବେ ସାମ୍ନାକୁ ଆସିଛି, ଯାହାର ସଠିକ୍ ଉତ୍ତର ରଖିବାକୁ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନେ ଏଡ଼ାଇ ଯାଉଛନ୍ତି।
ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଅନୁଯାୟୀ, ଯଦି କୌଣସି ବନ୍ୟଜନ୍ତୁର ଅସ୍ୱାଭାବିକ କିମ୍ବା ସନ୍ଦେହଜନକ ମୃତ୍ୟୁ ହୁଏ, ତେବେ ତୁରନ୍ତ ଘଟଣାସ୍ଥଳକୁ ସିଲ୍ କରିବା, ବରିଷ୍ଠ ଅଧିକାରୀ (DFO/ACF) ଓ ସ୍ଥାନୀୟ ପୋଲିସକୁ ଅବଗତ କରାଇବା ସହ ଏକ ସ୍ୱତନ୍ତ୍ର ପ୍ୟାନେଲ୍ ଦ୍ୱାରା ପଞ୍ଚନାମା (Inquest) ଓ ବ୍ୟବଚ୍ଛେଦ (Post-Mortem) କରାଯିବା ବାଧ୍ୟତାମୂଳକ।
ପ୍ରଥମ ଘଟଣା ୭ ମେ’ଚାଉଳଫୁପୁଡ଼ା ଗାଁ ନିକଟରେ ବିଦ୍ୟୁତ ଫାଶରେ ପଡ଼ି ବାର୍‌ହାର ମୃତ୍ୟୁ ଘଟିଥିବା ବେଳେ ୮ ତାରିଖ ଦିନ କାହା ନିର୍ଦ୍ଦେଶରେ ଏତେ ତତ୍ପରତା ସହ ଶବ ପୋତି ଦିଆଗଲା? ଯଦି ଫରେଷ୍ଟର ନମୁନା ସଂଗ୍ରହର ଦାବି କରୁଛନ୍ତି, ତେବେ ତଦନ୍ତ ପ୍ରକ୍ରିୟା ସରିବା ପୂର୍ବରୁ ଶବକୁ ନଷ୍ଟ କରିବା ପ୍ରମାଣ ଗୋପନ କରିବାର ଆଇନଗତ ଅପରାଧ ନୁହେଁ କି?
ଦ୍ଵିତୀୟ ଘଟଣା ୧୯ ମେ’ ସୁନାଦେଇ ପାହାଡ଼ ତଳୁ ଉଦ୍ଧାର ହୋଇଥିବା ବାର୍‌ହା ମୃତଦେହକୁ “ଅଜଣା ଗାଡ଼ି ଧକ୍କା” ବୋଲି କହି ବନ ବିଭାଗ ନିଜ ଦାୟିତ୍ୱ ସାରିଦେଇଛି। ମାତ୍ର ଦୁର୍ଘଟଣା ସ୍ଥଳରେ କୌଣସି ବରିଷ୍ଠ ଅଧିକାରୀଙ୍କ ଅନୁପସ୍ଥିତି ଏବଂ ବିନା ସଠିକ୍ ଆଇନଗତ ପ୍ରକ୍ରିୟାରେ ଶବ ସତ୍କାର କରିବା ସନ୍ଦେହକୁ ଦ୍ଵିଗୁଣିତ କରୁଛି।
ଖୋଦ୍ ବଲାଙ୍ଗୀର ଡିଏଫ୍ଓ ଅଜିତ୍ ବିଶି ପ୍ରଥମ ଘଟଣାର ୩ ଦିନ ପର୍ଯ୍ୟନ୍ତ ଅଜ୍ଞ ରହିବା ଏବଂ ପରବର୍ତ୍ତୀ ସମୟରେ “ରେଞ୍ଜ ଅଫିସରଙ୍କ ଉପସ୍ଥିତିରେ ଶବ ପୋତିହେବ” ବୋଲି ଯୁକ୍ତି ବାଢ଼ିବା ବିଭାଗୀୟ ସମନ୍ୱୟର ଚରମ ଦୁର୍ବଳତାକୁ ଦର୍ଶାଉଛି। ଅନ୍ୟପଟେ, ମୁରିବାହାଲ ରେଞ୍ଜର ପଦ୍ମନାଭ କୁମ୍ଭାର ଅଫିସ୍ କାମର ବାହାନା ଦେଖାଇ ଫରେଷ୍ଟରଙ୍କ ଉପରକୁ ଦାୟିତ୍ୱ ଠେଲିଦେବା ଏବଂ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (RCCF) ସନ୍ତୋଷ ଯୋଷୀ ଗଣମାଧ୍ୟମର ଫୋନ୍ କଲ୍ ନଉଠାଇବା, ବିଭାଗର ସ୍ୱଚ୍ଛତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
୧. ବନ୍ୟପ୍ରାଣୀ ସୁରକ୍ଷା ଓ ପାଟ୍ରୋଲିଂ ପାଇଁ ସରକାରଙ୍କ ପକ୍ଷରୁ ଆସୁଥିବା ଲକ୍ଷ ଲକ୍ଷ ଟଙ୍କାର ପାଣ୍ଠି ବାସ୍ତବରେ କେଉଁଠି ଖର୍ଚ୍ଚ ହେଉଛି?
୨. ମୁରିବାହାଲ ବନ ବିଭାଗ ଶିକାରୀଙ୍କୁ ସୁରକ୍ଷା ଦେବାରେ ବ୍ୟସ୍ତ ଅଛି ନା ବନ୍ୟଜନ୍ତୁଙ୍କୁ?
୩. ତଦନ୍ତ ଓ ପଞ୍ଚନାମା ପ୍ରକ୍ରିୟା ଶେଷ ନହେଉଣୁ ଶବକୁ ଏତେ ଶୀଘ୍ର ପୋତିବା ପାଇଁ ସ୍ଥାନୀୟ କର୍ମଚାରୀଙ୍କୁ କିଏ ଅନୁମତି ଦେଇଥିଲା?
ମୁରିବାହାଲ ଅଞ୍ଚଳବାସୀ ଏବେ ସମଗ୍ର ମାମଲାର ଏକ ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦୃଢ଼ ଦାବି କରିଛନ୍ତି। ଯଦି ରାଜ୍ୟ ବନ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଏହି ଗୋପନୀୟ ଶବ ସତ୍କାର ମାମଲାରେ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ, ତେବେ ଆଗାମୀ ଦିନରେ ଏହା ଏକ ବଡ଼ ଜନ ଆନ୍ଦୋଳନର ରୂପ ନେବ ବୋଲି ଚେତାବନୀ ଦିଆଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories