Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାନୁଟମାଲ୍ ଦନ୍ତା ହାତୀ ମୃତ୍ୟୁ ମାମଲା : ରେଞ୍ଜରଙ୍କୁ କାହିଁକି ‘କ୍ଲିନ୍ ଚିଟ୍’? ତଦନ୍ତକାରୀ ଅଧିକାରୀଙ୍କ ନୀରବତା ପଛର ରହସ୍ୟ କଣ?

ବଲାଙ୍ଗୀର,୨୬।୫: ବନ୍ୟଜନ୍ତୁ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଆଇନ କ’ଣ କେବଳ ଛୋଟ କର୍ମଚାରୀଙ୍କୁ ଦଣ୍ଡ ଦେବା ପାଇଁ? ଗୁଡିଘାଟ ଫରେଷ୍ଟ ସେକ୍ସନରେ ବିଦ୍ୟୁତ୍ ଆଘାତରେ ଏକ ଦନ୍ତାହାତୀର କରୁଣ ମୃତ୍ୟୁ ଘଟଣା ଏବେ ବଲାଙ୍ଗୀର ବନ ବିଭାଗର ସ୍ୱଚ୍ଛତା ଓ ନିରପେକ୍ଷତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଘଟଣାରେ ଜଣେ ଫରେଷ୍ଟରଙ୍କୁ ନିଲମ୍ବିତ କରି ବିଭାଗ ନିଜ କର୍ତ୍ତବ୍ୟ ଶେଷ କରିଦେଇଥିବା ବେଳେ, ସମାନ ଦାୟିତ୍ୱରେ ଥିବା ରେଞ୍ଜର ଓ ବିଦ୍ୟୁତ୍ ବିଭାଗର ଉପରିସ୍ଥ ଅଧିକାରୀଙ୍କୁ କେଉଁ ଆଧାରରେ ସୁରକ୍ଷା ଦିଆଯାଉଛି, ତାହାକୁ ନେଇ ଏବେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ବନ୍ୟଜନ୍ତୁ ସଂରକ୍ଷଣ ଆଇନ୍ ୧୯୭୨ର ଅନୁସୂଚିତ-୧ ଅନ୍ତର୍ଗତ ହାତୀ ଏକ ଅତି ସମ୍ବେଦନଶୀଳ ପ୍ରାଣୀ। ଏହି ଆଇନ ଅନୁଯାୟୀ, କୌଣସି ଅଧିକାରୀଙ୍କ ଅବହେଳା ଯୋଗୁଁ ଯଦି ବନ୍ୟଜନ୍ତୁର ମୃତ୍ୟୁ ଘଟେ, ତେବେ ତାଙ୍କ ବିରୋଧରେ କଠୋର ଫୌଜଦାରୀ ମାମଲା ରୁଜୁ ହେବା କଥା। ମାତ୍ର ମୁରିବାହାଲ ରେଞ୍ଜର ପଦ୍ମନାଭ କୁମ୍ଭାରଙ୍କ କ୍ଷେତ୍ରରେ ଏହି ଆଇନ ଯେମିତି ଅଚଳ ହୋଇପଡ଼ିଛି। ଘଟଣା ସମୟରେ ହାତୀର ଗତିବିଧି ସମ୍ପର୍କରେ ରେଞ୍ଜର କାହିଁକି ଅବଗତ ନଥିଲେ? ଯଦି ଫରେଷ୍ଟର ଦୋଷୀ, ତେବେ ପୂରା ରେଞ୍ଜର ଦାୟିତ୍ୱରେ ଥିବା ଅଧିକାରୀ କେମିତି ନିର୍ଦ୍ଦୋଷ?
ଏହି ସମଗ୍ର ଘଟଣାର ତଦନ୍ତ ଦାୟିତ୍ୱରେ ଥିବା ବଲାଙ୍ଗୀର ଏସିଏଫ୍ (ACF) ମୁରାରୀ ପଣ୍ଡାଙ୍କ ଭୂମିକାକୁ ନେଇ ଏବେ ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ପ୍ରଥମେ ଅଭିଯୁକ୍ତ ତାଲିକାରେ ଥିବା ବିଦ୍ୟୁତ୍ ବିଭାଗ ଏସଡିଓଙ୍କ ନାମ ଚାର୍ଜସିଟରୁ ଗାୟବ ହେବା ଏବଂ ପରେ ରେଞ୍ଜରଙ୍କୁ ବଞ୍ଚାଇବା ପାଇଁ ପ୍ରୟାସ କରିବା, ଏସବୁ କ’ଣ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର? ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଗଣମାଧ୍ୟମର ପ୍ରଶ୍ନର ସାମ୍ନା କରିବା ପରିବର୍ତ୍ତେ ଏସିଏଫ୍ ଶ୍ରୀ ପଣ୍ଡା ବାରମ୍ବାର ଫୋନ୍ କଲ୍ ଏଡ଼ାଇ ଯାଉଛନ୍ତି। ଜଣେ ସରକାରୀ ଅଧିକାରୀଙ୍କ ଏଭଳି ନୀରବତା କ’ଣ ପ୍ରଶାସନିକ ଅପାରଗତାକୁ ଲୁଚାଇବାର ଏକ ମାଧ୍ୟମ?
ଜିଲ୍ଲା ବନଖଣ୍ଡ ଅଧିକାରୀ (DFO) ଅଜିତ୍ ବିଶିଙ୍କୁ ଏନେଇ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ନଦେଇ ସମସ୍ତ ଦାୟିତ୍ୱ ତଦନ୍ତକାରୀ ଅଧିକାରୀଙ୍କ ଉପରକୁ ଠେଲି ଦେଇଛନ୍ତି। ଜଣେ ଜିଲ୍ଲାସ୍ତରୀୟ ମୁଖ୍ୟ ଅଧିକାରୀ ଭାବେ ନିଜ ଅଧୀନରେ ଘଟୁଥିବା ପାତରଅନ୍ତର ନୀତି ବିଷୟରେ ସେ ଅବଗତ ନଥିବା କହିବା, ବିଭାଗୀୟ ସମନ୍ୱୟର ଅଭାବକୁ ସ୍ପଷ୍ଟ କରୁଛି।
ଜଣେ ତଳିଆ କର୍ମଚାରୀଙ୍କୁ ନିଲମ୍ବିତ କରି ଉପରିସ୍ଥ ଅଧିକାରୀଙ୍କୁ ‘ସୁରକ୍ଷିତ ଢାଲ’ ଯୋଗାଇବା ବନ ବିଭାଗର ପୁରୁଣା ଅଭ୍ୟାସ କି? ବିଦ୍ୟୁତ୍ ବିଭାଗର ଜେଇ (JE) ଏବଂ ଲାଇନମ୍ୟାନଙ୍କ ବିରୋଧରେ NBW ଜାରି ହୋଇଥିବା ବେଳେ, ବିଭାଗୀୟ ମୁଖ୍ୟମାନେ କେଉଁ ଅଦୃଶ୍ୟ ଆଶୀର୍ବାଦ ବଳରେ ଖସି ଯାଉଛନ୍ତି?
ସମୟ ଆସିଛି, ଏହି ପ୍ରହସନ ମୂଳକ ତଦନ୍ତ ବନ୍ଦ ହେଉ। ଯଦି ବଲାଙ୍ଗୀର ବନ ବିଭାଗ ପ୍ରକୃତରେ ବନ୍ୟଜନ୍ତୁଙ୍କ ପ୍ରତି ସମ୍ବେଦନଶୀଳ, ତେବେ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀ ରେଞ୍ଜର ଓ ବିଦ୍ୟୁତ୍ ବିଭାଗର ବଡ଼ ପଦାଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ନଚେତ୍, ଆଗାମୀ ଦିନରେ ଏହି ଜନଅସନ୍ତୋଷ ପ୍ରଶାସନ ପାଇଁ ମହଙ୍ଗା ପଡ଼ିପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories