ବଲାଙ୍ଗୀରରେ ସିନ୍ଧେକେଲାରେ ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ: ଜଣେ ଗିରଫ, ତଦନ୍ତ କରୁଛନ୍ତି ଏସପି ।
ବଲାଙ୍ଗୀର,୨୭।୫: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ତଥା ଲଜ୍ଜାଜନକ ଘଟଣା ଘଟିଛି। ଜଣେ ନାବାଳିକାଙ୍କୁ ଅପହରଣ କରାଯାଇ ତାଙ୍କ ସହ ଦୁଷ୍କର୍ମ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏହି ମାମଲାରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି।
ସୂଚନା ଅନୁଯାୟୀ, ଗତକାଲି ଦିନବେଳା ତିନିଜଣ ବ୍ୟକ୍ତି ଏକ ଗାଡ଼ିରେ ଆସି ନାବାଳିକାଙ୍କୁ ତାଙ୍କ ଘର ପାଖରୁ ଅପହରଣ କରି ନେଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ନାବାଳିକାଙ୍କ ପତ୍ତା ନମିଳିବାରୁ ସେମାନେ ସିନ୍ଧେକେଲା ଥାନାରେ ଏତଲା ଦେଇଥିଲେ। ଆଜି ନାବାଳିକା ଜଣକ ଘରକୁ ଫେରିବା ପରେ ତାଙ୍କୁ ଅପହରଣ କରାଯାଇ ଦୁଷ୍କର୍ମ କରାଯାଇଥିବା ନେଇ ସେ ପରିବାର ଲୋକଙ୍କୁ ଜଣାଇଥିଲେ। ଏହାପରେ ପୀଡ଼ିତାଙ୍କ ପରିବାର ପୁନର୍ବାର ଥାନାର ଦ୍ୱାରସ୍ଥ ହୋଇଥିଲେ।
ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଏସପି ଅଭିଲାଷ ଜି. ନିଜେ ଟିଟିଲାଗଡ଼ରେ ପହଞ୍ଚି ତଦନ୍ତର ତଦାରଖ କରୁଛନ୍ତି। ପୋଲିସ ପକ୍ଷରୁ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯିବା ସହ ଘଟଣାର ଛାନଭିନ୍ ଜାରି ରହିଛି। ଗିରଫ ଅଭିଯୁକ୍ତ ଜଣକ ପୀଡ଼ିତାଙ୍କର ଜଣେ ଦୂର ସମ୍ପର୍କୀୟ ବୋଲି ଜଣାପଡ଼ିଛି, ଯାହାର ନାମ ନେପାଳ ଛୁରା ବୋଲି ସୂଚନା ମିଳିଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ଜଣକ ସୋସିଆଲ ମିଡିଆ ମାଧ୍ୟମରେ ନାବାଳିକାଙ୍କୁ ବ୍ଲାକମେଲ୍ କରି ଏଭଳି କାଣ୍ଡ ଭିଆଇଛି। ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି। ଏହି ଘଟଣାରେ ଅନ୍ୟ କାହାର ସଂପୃକ୍ତି ଅଛି କି ନାହିଁ, ସେ ନେଇ ମଧ୍ୟ ଅଧିକ ତଦନ୍ତ ଚାଲିଛି।

