ମାତୃଭୂମିରେ ସ୍ୱର୍ଣ୍ଣକନ୍ୟା ପାୟଲ୍: ଗୁଡିଘାଟ ଛକରେ ଐତିହାସିକ ସ୍ୱାଗତ, ଶୁଭେଚ୍ଛାର ସୁଅ
ବଲାଙ୍ଗୀର,୨୭।୫: ବିଶ୍ୱ ମଞ୍ଚରେ ଭାରତର ଗୌରବ ବଢ଼ାଇବା ପରେ ଆଜି ନିଜ ଜନ୍ମମାଟିରେ ପାଦ ଥାପିଛନ୍ତି ବଲାଙ୍ଗୀରର ଗର୍ବ ପାୟଲ୍ ନାଗ। ବ୍ୟାଙ୍କକରେ ଅନୁଷ୍ଠିତ ହ୍ୟୁଣ୍ଡାଇ ବିଶ୍ୱ ଆର୍ଚେରୀ ପାରା ସିରିଜ୍ରେ ବିଶ୍ୱର ଏକ ନମ୍ବର ଖେଳାଳିଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିବା ପରେ ଆଜି ସେ ମୁରିବାହାଲ ଫେରିଛନ୍ତି। ଏହି ଅବସରରେ ଗୁଡିଘାଟ ଛକଠାରେ ତାଙ୍କୁ ଯେଉଁଭଳି ଭାବେ ସମ୍ବର୍ଦ୍ଧିତ କରାଯାଇଛି, ତାହା ସ୍ଥାନୀୟ ଅଞ୍ଚଳ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ପାଲଟିଛି।
ପାୟଲ୍ ଘରକୁ ଫେରୁଥିବା ଖବର ପାଇ ସକାଳୁ ସକାଳୁ ଗୁଡିଘାଟ ଛକଠାରେ ଶତାଧିକ ଲୋକଙ୍କ ସମାଗମ ହୋଇଥିଲା। ପାୟଲ୍ ପହଞ୍ଚିବା ମାତ୍ରେ ଉପସ୍ଥିତ ଜନତା ଓ ସମର୍ଥକମାନେ ତାଙ୍କୁ ଫୁଲମାଳ ଦେଇ ସ୍ୱାଗତ କରିବା ସହ ଜୟକାର ଧ୍ୱନିରେ ପରିବେଶକୁ ଉତ୍ସବମୁଖର କରିଦେଇଥିଲେ। ଜଣେ ଦିବ୍ୟାଙ୍ଗ ଝିଅର ଏହି ସଫଳତା ପ୍ରତ୍ୟେକଙ୍କ ଆଖିରେ ଆନନ୍ଦର ଅଶ୍ରୁ ଆଣିଦେଇଥିଲା।
ଏହି ସମ୍ବର୍ଦ୍ଧନା ସଭାରେ କଣ୍ଟାବାଞ୍ଜି ବିଧାୟକ ତଥା ବଲାଙ୍ଗୀର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲକ୍ଷ୍ମଣ ବାଗ ଗୁଡିଘାଟ ଛକ ଠାରେ ଉପସ୍ଥିତ ରହି ପାୟଲଙ୍କୁ ସମ୍ମାନିତ କରିଥିଲେ। ସେ କହିଥିଲେ ଯେ, “ପାୟଲଙ୍କ ଜିତିବା କେବଳ ଏକ ପଦକ ନୁହେଁ, ବରଂ ଜଣେ ସାଧାରଣ ଗ୍ରାମୀଣ ଝିଅର ଦୃଢ଼ ମନୋବଳର ବିଜୟ।”
ଉକ୍ତ କାର୍ଯ୍ୟକ୍ରମରେ ମୁରିବାହାଲ ବିଡ଼ିଓ ବାସନ୍ତୀ ସେଠୀ, ତହସିଲଦାର ଜଗଦୀଶ କର୍ତ୍ତାମୀଙ୍କ ସମେତ ବ୍ଲକ ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ପାୟଲଙ୍କୁ ଉତ୍ସାହିତ କରିଥିଲେ। ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତା ଓ ଅନୁଷ୍ଠାନର କର୍ମକର୍ତ୍ତାମାନେ ମଧ୍ୟ ଏହି ସ୍ୱାଗତ ଉତ୍ସବରେ ସାମିଲ ହୋଇଥିଲେ।
ସମ୍ବର୍ଦ୍ଧନାରେ ଅଭିଭୂତ ହୋଇ ପାୟଲ କହିଥିଲେ ଯେ, ନିଜ ଅଞ୍ଚଳର ଏହି ଭଲପାଇବା ତାଙ୍କୁ ଆଗକୁ ଆହୁରି ପରିଶ୍ରମ କରିବା ପାଇଁ ପ୍ରେରଣା ଦେବ। ସେ ବିଶେଷ ଭାବେ ଉଲ୍ଲେଖ କରିଥିଲେ ଯେ, ଶାରୀରିକ ଅକ୍ଷମତା କେବେ ବି ସଫଳତା ପାଇଁ ପ୍ରତିବନ୍ଧକ ହୋଇନପାରେ, ଯଦି ମଣିଷର ମନରେ କିଛି କରିଦେଖାଇବାର ଜିଦ୍ ଥାଏ।
ଏହି ସ୍ୱର୍ଣ୍ଣ ପଦକ ସହ ପାୟଲଙ୍କ ସଫଳତା ଯାତ୍ରା ଏବେ ଚେକ୍ ରିପବ୍ଲିକ ଅଭିମୁଖେ ଗତି କରୁଛି, ଯେଉଁଠାରେ ଜୁନ୍ ୨୮ ରୁ ସେ ପରବର୍ତ୍ତୀ ପର୍ଯ୍ୟାୟରେ ଦେଶର ପ୍ରତିନିଧିତ୍ୱ କରିବେ।

