Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୋଟ୍ ଦେଲନି ବୋଲି ସରକାରୀ ଯୋଜନାରୁ କଟିବ ନାଁ? ଟିଟିଲାଗଡ଼ ବିଧାୟକଙ୍କ ଭିଡିଓ ଭାଇରାଲ୍ ପରେ ଉଠିଲା ପ୍ରଶ୍ନ

ବଲାଙ୍ଗୀର,୨୮।୫: ଗଣତନ୍ତ୍ରରେ ଭୋଟର ହେଉଛନ୍ତି ଭଗବାନ। ନିଜ ପସନ୍ଦର ପ୍ରାର୍ଥୀଙ୍କୁ ମତଦାନ କରିବା ପ୍ରତ୍ୟେକ ନାଗରିକର ସାମ୍ବିଧାନିକ ଅଧିକାର। କିନ୍ତୁ ଜଣେ ଜନପ୍ରତିନିଧି ଭୋଟ୍ ନଦେବା କାରଣରୁ ଜଣେ ସାଧାରଣ ଜନତାଙ୍କୁ ସରକାରୀ ସୁବିଧାରୁ ବଞ୍ଚିତ କରିବା ପାଇଁ ପ୍ରସ୍ତାବ ଦେବା କେତେଦୂର ଯୁକ୍ତିଯୁକ୍ତ? ଏବେ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା ଜୋର ଧରିଛି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଟିଟିଲାଗଡ ବିଜେପି ବିଧାୟକ ନବୀନ କୁମାର ଜୈନ୍ ଜଣେ ବ୍ୟକ୍ତିଙ୍କ ଉପରେ ବରଷୁଥିବା ଦେଖିବାକୁ ମିଳୁଛି। ଅଭିଯୋଗ ଅନୁଯାୟୀ, ଉକ୍ତ ବ୍ୟକ୍ତି ଜଣକ ବିଧାୟକଙ୍କୁ ଭୋଟ୍ ଦେଇନଥିବା କାରଣରୁ ତାଙ୍କ ନାମ ସରକାରୀ ସର୍ଭେ (SIR Survey) ତାଲିକାରୁ କାଟିଦେବା ପାଇଁ ସେ ନିର୍ଦ୍ଦେଶ ଦେଉଛନ୍ତି।
ସରକାରୀ ଯୋଜନା କୌଣସି ଦଳ ବା ବ୍ୟକ୍ତି ବିଶେଷଙ୍କର ନୁହେଁ, ବରଂ ଏହା ସାଧାରଣ ଜନତାଙ୍କ ପାଇଁ ଉଦ୍ଦିଷ୍ଟ। ଭୋଟ୍ ନଦେବା କାରଣରୁ ଯୋଜନାରୁ ବାଦ୍ ଦେବା ଗଣତାନ୍ତ୍ରିକ ମୂଲ୍ୟବୋଧର ପରିପନ୍ଥୀ।
ବିଧାୟକଙ୍କ ଏଭଳି ଆଭିମୁଖ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜଣେ ବିଧାୟକ ସମ୍ପୂର୍ଣ୍ଣ ନିର୍ବାଚନ ମଣ୍ଡଳୀର ପ୍ରତିନିଧି, କେବଳ ତାଙ୍କୁ ଭୋଟ୍ ଦେଇଥିବା ଲୋକଙ୍କର ନୁହେଁ।
SIR ସର୍ଭେ ଭଳି ସରକାରୀ ପ୍ରକ୍ରିୟାରେ ଜଣେ ଜନପ୍ରତିନିଧି କିଭଳି ହସ୍ତକ୍ଷେପ କରି ନାମ କାଟିବାକୁ କହୁଛନ୍ତି, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତରେ, ବିଜୟ ପରେ ଅହଂକାର ନୁହେଁ ବରଂ ସେବା ମନୋଭାବ ରହିବା ଆବଶ୍ୟକ। ଭୋଟରଙ୍କ ଇଚ୍ଛା ଅନୁସାରେ ସେ ଯେକୌଣସି ନେତାଙ୍କୁ ବାଛିପାରନ୍ତି, ଏଥିପାଇଁ ତାଙ୍କୁ ସରକାରୀ ସୁବିଧାରୁ ବଞ୍ଚିତ କରିବା ସାମ୍ବିଧାନିକ ନୀତିର ଉଲ୍ଲଙ୍ଘନ।
ଏହି ଭାଇରାଲ୍ ଭିଡ଼ିଓକୁ ନେଇ ଟିଟିଲାଗଡ ବିଧାୟକ ନବୀନ କୁମାର ଜୈନ୍ ଙ୍କୁ ପଚାରିବାରୁ ତାଙ୍କୁ ଭୋଟ ନଦେବା କଥାକୁ ଖଣ୍ଡନ କରିବା ସହ ଯେଉଁ ମାନେ ବାହାରେ ଦୀର୍ଘ ବର୍ଷ ହେଲା ରହି ସେହି ସ୍ଥାନରେ ତାଙ୍କ ଭୋଟ ତାଲିକା ପ୍ରସ୍ତୁତ କରି ସାରିଛନ୍ତି ଏବଂ ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ତାଙ୍କର ମତଦାନ କରୁ ନାହାନ୍ତି ସେମାନଙ୍କ ନାମ SIR ସର୍ଭେ ତାଲିକାରୁ ମୁଁ ବାଦ୍ ଦେବାକୁ ଉକ୍ତ ଭିଡିଓରେ କହୁଛି ବୋଲି କହିଛନ୍ତି । ତେବେ ଜନତାଙ୍କ ଅଧିକାରକୁ ନେଇ ଖେଳୁଥିବା ଏହି ପ୍ରସଙ୍ଗ ଆଗକୁ କେଉଁ ମୋଡ଼ ନେଉଛି, ତାହା ଦେଖିବାକୁ ବାକି ରହିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories