Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ୱାକ୍ ର ଭୂଲ୍ ଇଞ୍ଜେକସନ୍ ଯୋଗୁଁ ବୃଦ୍ଧାଙ୍କ ମୃତ୍ୟୁ ଘଟଣା ! ଦୋଷୀ କ୍ୱାକ୍ ଙ୍କ ବିରୁଦ୍ଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ , ତଦନ୍ତ ପରିସରଭୁକ୍ତ ହେବେ କି ‘ମୁହଁ ବନ୍ଦ’ କରୁଥିବା ମଧ୍ୟସ୍ଥି ?

ବଲାଙ୍ଗୀର,୨୮।୫: ସ୍ୱାସ୍ଥ୍ୟ ସେବା ନାଁରେ ମରଣର ଖେଳ। ଜଣେ ନକଲି ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ଜଣେ ଅସହାୟ ବୃଦ୍ଧାଙ୍କ ଜୀବନ ନେବା ପରେ ଏବେ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି। ତେବେ ଏହି ଘଟଣା କେବଳ ଏକ ଚିକିତ୍ସା ଅବହେଳା ନୁହେଁ, ବରଂ ପ୍ରମାଣ ନଷ୍ଟ କରିବା ଏବଂ ଗଣମାଧ୍ୟମର କିଛି କଥାକଥିତ ପ୍ରତିନିଧିଙ୍କୁ ବ୍ୟବହାର କରି ସତ୍ୟକୁ ଚାପିଦେବାର ଏକ ବଡ଼ ଷଡ଼ଯନ୍ତ୍ର ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।
ଗତ ୧୧ ତାରିଖରେ ହଳଦୀ ସ୍ଥିତ ମେଡିକାଲ ଷ୍ଟୋରରେ ବୃଦ୍ଧାଙ୍କ ମୃତ୍ୟୁ ପରେ, ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (CDMO) ପୁଷ୍ପାଞ୍ଜଳି ମିଶ୍ରଙ୍କ ନିର୍ଦ୍ଦେଶରେ ତଦନ୍ତ ପ୍ରକ୍ରିୟା ଜୋରଦାର ହୋଇଛି। ମୁରିବାହାଲ ତହସିଲଦାର ଜଗଦୀଶ କର୍ତାମୀ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ. ଥବୀର ମେହେର ଏବଂ ସ୍ଥାନୀୟ ପୋଲିସକୁ ନେଇ ଗଠିତ ‘ଏନଫୋର୍ସମେଣ୍ଟ ଟିମ୍’ ଘଟଣାସ୍ଥଳ ପରିଦର୍ଶନ କରି ସାରିଛନ୍ତି। ତଦନ୍ତ ରିପୋର୍ଟ CDMOଙ୍କ ନିକଟରେ ଦାଖଲ ହୋଇଥିବା ବେଳେ, ବର୍ତ୍ତମାନ ସମସ୍ତଙ୍କ ନଜର ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଉପରେ ରହିଛି।
ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କ୍ୱାକ୍ ଟୁନୁ ବଗର୍ତ୍ତୀ ନିଜକୁ ନିର୍ଦ୍ଦୋଶ ଦର୍ଶାଇ ସେଲ୍ସମ୍ୟାନ୍‌ଙ୍କ ଉପରକୁ ଦୋଷ ଲଦିଥିବା ବେଳେ, ତାଙ୍କର ଏକ ନୂଆ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗଣମାଧ୍ୟମର ପ୍ରତିକ୍ରିୟା ସମୟରେ ସେ କିଛି ତଥାକଥିତ ସାମ୍ବାଦିକଙ୍କ ନାମ ନେବା ସହ “କେହି ଫୋନ୍ କଲେ ଆମକୁ ଜଣାଇବ” ବୋଲି କହିବା, ଏହି ଘଟଣାରେ ଅନ୍ୟ କାହାର ସଂପୃକ୍ତି ଥିବା ନେଇ ସନ୍ଦେହ ବଢ଼ାଉଛି। କ୍ୱାକ୍ ଜଣକ କିଭଳି ନିର୍ଭୟରେ ଏଭଳି କଥା କହୁଛନ୍ତି, ତାହା ଏବେ ଏକ ବଡ଼ ପ୍ରଶ୍ନବାଚୀ ?
ଘଟଣାର ସବୁଠାରୁ ଅମାନବୀୟ ଦିଗ ହେଉଛି ମୃତଦେହକୁ ବାଇକ୍‌ରେ ବସାଇ ଘର ଆଗରେ ଫିଙ୍ଗିଦେବା। ମୃତକଙ୍କ ନାତୁଣୀଙ୍କ ଅଭିଯୋଗ ଅନୁଯାୟୀ, ମୁହଁ ବନ୍ଦ ରଖିବା ପାଇଁ ୧ ଲକ୍ଷ ଟଙ୍କାର ପ୍ରଲୋଭନ ମଧ୍ୟ ଦିଆଯାଇଥିଲା। ଏହି ‘ଡିଲ୍’ ପଛରେ ଆଉ କେଉଁ କେଉଁ ମୁଖାପିନ୍ଧା ବ୍ୟକ୍ତି ଅଛନ୍ତି, ତାର ଖୋଳତାଡ଼ କରିବାକୁ ସାଧାରଣରେ ଦାବି ହେଉଛି।
ଏଠାରେ ପ୍ରଶ୍ନ ଉଠୁଛି
୧. କେବଳ କ୍ୱାକ୍ ନୁହେଁ, ବରଂ ଘଟଣାକୁ ଚାପି ଦେବାକୁ ଚେଷ୍ଟା କରୁଥିବା ସେହି ମଧ୍ୟସ୍ଥି ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କି ?
୨. ଗାଁ ଗାଁରେ ନିଜର ସାମ୍ରାଜ୍ୟ ବିସ୍ତାର କରୁଥିବା ଏହି କ୍ୱାକ୍, ନକଲି ଡାକ୍ତର, କ୍ଲିନିକ୍ ଓ ମେଡିକାଲ ଷ୍ଟୋର ଉପରେ ପ୍ରଶାସନ ସ୍ଥାୟୀ ଭାବେ ରୋକ୍ ଲଗାଇବାରେ ସଫଳ ହେବ କି ?
ବଲାଙ୍ଗୀର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ଏହି ବିକଳ ଚିତ୍ର ଏବେ ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ଆଗାମୀ ଦିନରେ ଏହି ଏନଫୋର୍ସମେଣ୍ଟ ଟିମ୍‌ର ରିପୋର୍ଟ ଆଧାରରେ ପୋଲିସ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଏବଂ ପୀଡ଼ିତ ପରିବାରକୁ ନ୍ୟାୟ ମିଳୁଛି କି ନାହିଁ, ତାହା ଦେଖିବାକୁ ବାକି ରହିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories