Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଦପିଇ ବାଇକ୍ ଚାଳକଙ୍କ ଉପରକୁ କାର୍ ଚଢ଼ାଇଲେ ଫରେଷ୍ଟର: ବଲାଙ୍ଗୀର ଟାଉନ୍ ଥାନାରେ ଅଟକ !

ବଲାଙ୍ଗୀର,୩୦।୫: ବଲାଙ୍ଗୀର ସହରର ପାଟଣା ଛକ ନିକଟରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମଦ୍ୟପାନ କରି ବେପରୁଆ ଭାବେ କାର୍ ଚଳାଇ ଜଣେ ବାଇକ୍ ଆରୋହୀଙ୍କୁ ଧକ୍କା ଦେବା ଅଭିଯୋଗରେ ବଙ୍ଗୋମୁଣ୍ଡା ରେଞ୍ଜର ସଦର ଫରେଷ୍ଟର ଦିବାସ ମାଝୀଙ୍କୁ ଆଜି ବଲାଙ୍ଗୀର ଟାଉନ୍ ଥାନା ପୋଲିସ୍ ଅଟକ ରଖିଛି।
ସୂଚନା ଅନୁସାରେ, ବଲାଙ୍ଗୀର ବନଖଣ୍ଡ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ତଥା ହିସାବ ରକ୍ଷକ ପ୍ରଦୀପ କୁମାର ମିଶ୍ରଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଆଜି କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବନଖଣ୍ଡ ଅଧୀନରେ ଥିବା ବିଭିନ୍ନ ରେଞ୍ଜର ଓ ଫରେଷ୍ଟରମାନେ ଯୋଗ ଦେଇଥିଲେ। ସମ୍ବର୍ଦ୍ଧନା ସଭା ପରେ କାର୍ଯ୍ୟାଳୟ ପରିସରରେ ଭୋଜିଭାତର ମଧ୍ୟ ଆୟୋଜନ ହୋଇଥିଲା।
ଅଭିଯୋଗ ହୋଇଛି ଯେ, ଉକ୍ତ ଭୋଜିରେ ଯୋଗଦେଇ ଫରେଷ୍ଟର ଶ୍ରୀ ମାଝୀ ପ୍ରଚୁର ମଦ୍ୟପାନ କରିଥିଲେ। ମାତାଲ ଅବସ୍ଥାରେ ସେ ନିଜ କାର୍ ଧରି ଟାଉନ୍ ଅଭିମୁଖେ ଆସୁଥିବା ବେଳେ ପାଟଣା ଛକ ନିକଟରେ ଭାରସାମ୍ୟ ହରାଇ ଜଣେ ବାଇକ୍ ଆରୋହୀଙ୍କ ଉପରକୁ ଗାଡ଼ି ଚଢ଼ାଇ ଦେଇଥିଲେ। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଘଟଣାକୁ ନେଇ ବଲାଙ୍ଗୀର ଡିଏଫ୍ଓ ଅଜିତ୍ ବିଶିଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ ଫୋନ୍ କଲ୍ ରିସିଭ୍ କରି ନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।
ଘଟଣା ସମ୍ପର୍କରେ ଖବର ପାଇ ବଲାଙ୍ଗୀର ଟାଉନ୍ ଥାନା ପୋଲିସ୍ ତୁରନ୍ତ ସେଠାରେ ପହଞ୍ଚି ଫରେଷ୍ଟର ଦିବାସ ମାଝୀଙ୍କୁ କାବୁ କରିବା ସହ ତାଙ୍କୁ ଥାନାରେ ଅଟକ ରଖିଛି। ଜଣେ ଦାୟିତ୍ୱସମ୍ପନ୍ନ ସରକାରୀ ଅଧିକାରୀ ହୋଇ ଦିନ ଦ୍ୱିପ୍ରହରରେ ମଦ୍ୟପାନ କରି ଏଭଳି କାଣ୍ଡ ଘଟାଇବା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories