Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାରୀ କୋଠା ପାଲଟିଲା ହୋଟେଲ; ସର୍କିଟ ହାଉସରେ ବାବୁଙ୍କ ମ୍ୟାରେଜ ଆନିଭର୍ସରୀ, ପ୍ରଶାସନର ନୈତିକତା ଉପରେ ପ୍ରଶ୍ନବାଚୀ ?

ବଲାଙ୍ଗିର, ୩୦।୫: ସରକାରୀ ସମ୍ପତ୍ତି କାହାର? ଜନସାଧାରଣଙ୍କ ସେବା ପାଇଁ ନା ବରିଷ୍ଠ ଅଧିକାରୀଙ୍କ ବିଳାସପୂର୍ଣ୍ଣ ଆମୋଦ-ପ୍ରମୋଦ ପାଇଁ? ବଲାଙ୍ଗିର ଜିଲ୍ଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀଙ୍କ ବ୍ୟକ୍ତିଗତ ଉତ୍ସବକୁ ନେଇ ଏବେ ଏଭଳି କିଛି ପ୍ରଶ୍ନ ସହରର ବୁଦ୍ଧିଜୀବୀ ମହଲରେ ଆନ୍ଦୋଳନ ସୃଷ୍ଟି କରିଛି। ଭିଭିଆଇପିଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସର୍କିଟ ହାଉସକୁ ନିଜର ବ୍ୟକ୍ତିଗତ ‘ମ୍ୟାରେଜ ଆନିଭର୍ସରୀ’ ପାର୍ଟି ପାଇଁ ବ୍ୟବହାର କରି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଜଣେ “ସରକାରୀ ବାବୁ”।
ସୂଚନା ଅନୁସାରେ, ଗତକାଲି ଜିଲ୍ଲାର ଜଣେ ପ୍ରଭାବଶାଳୀ ପ୍ରଶାସନିକ ଅଧିକାରୀଙ୍କ ବିବାହ ବାର୍ଷିକୀ ଥିଲା। ସାଧାରଣତଃ ଏଭଳି ବ୍ୟକ୍ତିଗତ କାର୍ଯ୍ୟକ୍ରମ ନିଜ ବାସଭବନରେ କରାଯିବାର ନିୟମ ଥିଲେ ହେଁ, ବାବୁ ଜଣକ ବାଛିଥିଲେ ନୂଆ ସର୍କିଟ ହାଉସର ‘ରୁମ୍ ନମ୍ବର ୧୧’କୁ। ଦିନତମାମ ଚାଲିଥିଲା ସାଜସଜ୍ଜା। ରଙ୍ଗବେରଙ୍ଗର ବେଲୁନ୍ ଓ ଫୁଲରେ ହୋଟେଲ ଭଳି ଝଲସୁଥିଲା ସରକାରୀ କୋଠା। ସନ୍ଧ୍ୟା ହେବା ମାତ୍ରେ ଦାମୀ ଗାଡ଼ିର ଗୁଞ୍ଜରଣ ସହ ରଙ୍ଗୀନ ଗିଫ୍ଟ ଧରି ପହଞ୍ଚିଥିଲେ ଅନ୍ୟାନ୍ୟ ବାବୁ ଓ ବାବୁଆଣୀ। ସରକାରୀ କାର୍ଯ୍ୟାଳୟର ଗମ୍ଭୀରତା ଭିତରେ ଚାଲିଥିଲା ଭୋଜିଭାତର ଆସର, ଯାହା ଏବେ କ୍ୟାମେରା ଲେନ୍ସରେ କଏଦ ହୋଇଛି।
ଜିଲ୍ଲାର କୌଣସି ସାଂସ୍କୃତିକ ସଂଗଠନ ବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯଦି ଅତିଥିଙ୍କ ରହଣି ପାଇଁ ସର୍କିଟ ହାଉସରେ ରୁମ୍‌ଟିଏ ମାଗନ୍ତି, ତେବେ ନିଜାରତ ବିଭାଗର ଶହେ ନିୟମ ଦେଖାଯାଏ। ଟେବୁଲରୁ ଟେବୁଲ ଧାଇଁ ଆବେଦନକାରୀ ନୟାନ୍ତ ହୁଅନ୍ତି।
ଜିଲ୍ଲାର କଳା, ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇବା ପାଇଁ ହେଉଥିବା କାର୍ଯ୍ୟକ୍ରମକୁ ଅନୁମତି ଦେବାରେ କୁଣ୍ଠାବୋଧ କରୁଥିବା ପ୍ରଶାସନ, ଜଣେ ଅଧିକାରୀଙ୍କ ବ୍ୟକ୍ତିଗତ ସେଲିବ୍ରେସନ ପାଇଁ କିଭଳି ଦ୍ୱାର ଉନ୍ମୁକ୍ତ କଲା?
ସରକାରୀ ବାବୁଙ୍କ ବ୍ୟକ୍ତିଗତ ଖୁସିରେ କାହାରି ଆପତ୍ତି ନାହିଁ, କିନ୍ତୁ ସରକାରୀ ସମ୍ପତ୍ତିକୁ ବ୍ୟକ୍ତିଗତ ମୋଦ-ପ୍ରମୋଦର ଶାଳା ଭାବେ ବ୍ୟବହାର କରିବା ପ୍ରଶାସନିକ ମର୍ଯ୍ୟାଦାର ଉଲ୍ଲଂଘନ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଯେଉଁ ସର୍କିଟ ହାଉସ ଭିଭିଆଇପି ଓ ସରକାରୀ କାର୍ଯ୍ୟରେ ଆସୁଥିବା ଅତିଥିଙ୍କ ପାଇଁ ଉଦ୍ଦିଷ୍ଟ, ସେଠାରେ ବେଲୁନ୍ ଫୁଟାଇ କେକ୍ କାଟିବା କେତେଦୂର ଯୁକ୍ତିଯୁକ୍ତ?
ଏହି ଘଟଣା ସାମ୍ନାକୁ ଆସିବା ପରେ ବଲାଙ୍ଗିର ଜିଲ୍ଲାପାଳ ଏହା ଉପରେ କି ପଦକ୍ଷେପ ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା। ଜନସାଧାରଣଙ୍କ ଟିକସ ଟଙ୍କାରେ ଚାଲୁଥିବା ସରକାରୀ କୋଠାକୁ “ପାର୍ସନାଲ୍ ହୋଟେଲ” ଭାବେ ବ୍ୟବହାର କରୁଥିବା ଏହି ବାବୁଙ୍କ ବିରୁଦ୍ଧରେ ସ୍ୱର ତୀବ୍ର ହେବାରେ ଲାଗିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories