Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୪୫ ଡିଗ୍ରୀରେ ପାଣି ପାଇଁ ତାତୁଛନ୍ତି ମୁରିବାହାଲ ସଦର ପଞ୍ଚାୟତବାସୀ ; ପ୍ରଶାସନର ଥଣ୍ଡା ମନୋଭାବ ବିରୁଦ୍ଧରେ ଆଜିଠୁ ଅନଶନକୁ ଓହ୍ଲାଇବେ ସମିତି ସଭ୍ୟ ।

ବଲାଙ୍ଗୀର,୧।୬: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକରେ ଏବେ ଆକାଶରୁ ନିଆଁ ବର୍ଷୁଛି। ପାରଦ ୪୫ ଡିଗ୍ରୀ ଛୁଇଁଥିବା ବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିରେ ଜନଜୀବନ ଅତିଷ୍ଠ ହୋଇପଡ଼ିଛି। ତେବେ ପ୍ରକୃତିର ଏହି ପ୍ରକୋପ ଠାରୁ ଅଧିକ ଭୟଙ୍କର ସାଜିଛି ବ୍ଲକ୍ ପ୍ରଶାସନର ଚରମ ଅବହେଳା। ପାନୀୟ ଜଳ ପାଇଁ ଲୋକେ ଡହଳବିକଳ ହେଉଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ମାନଙ୍କ ନିଦ ଭାଙ୍ଗୁ ନାହିଁ। ଏହି ଜଳ ସଙ୍କଟର ସମାଧାନ ଦାବିରେ ଆଜିଠାରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନଶନକୁ ଓହ୍ଲାଇଛନ୍ତି ମୁରିବାହାଲ ସଦର ପଞ୍ଚାୟତ ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା।
ଅଞ୍ଚଳରେ ପୂର୍ବରୁ ୧୦୦ ଫୁଟରେ ପାଣି ମିଳୁଥିବା ବେଳେ ଏବେ ଭୂତଳ ଜଳସ୍ତର ହ୍ରାସ ଯୋଗୁଁ ନଳକୂପ ଗୁଡ଼ିକ ଅକାମୀ ହୋଇପଡ଼ିଛି। ପରିବେଶର ଅସନ୍ତୁଳନ ଯୋଗୁଁ ସ୍ଥିତି ସଂଘାତିକ ରୂପ ଧାରଣ କରିଛି। ଲୋକଙ୍କ ଏହି ଦୁର୍ଦ୍ଦଶାକୁ ଦେଖି ସମିତି ସଭ୍ୟ ଶ୍ରୀ ହେର୍ଣ୍ଣା ଗତ ମେ’ ୨୫ ତାରିଖରେ ବିଡ଼ିଓଙ୍କୁ ଭେଟି ପାଇପ୍ ଜଳ ଯୋଗାଣ, ଜଳଛତ୍ର ପ୍ରତିଷ୍ଠା ଏବଂ ନଳକୂପ ମରାମତି ପାଇଁ ମେ’ ୩୧ ଯାଏଁ ସମୟସୀମା ବା ଡେଡ୍‌ଲାଇନ୍ ଦେଇଥିଲେ। ମାତ୍ର ଦୁଃଖର ବିଷୟ, ସମୟସୀମା ପୂରିଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଇନାହିଁ।
ଜଳ ସଙ୍କଟ ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ସ୍ଥାନୀୟ ବିଡ଼ିଓ ବାସନ୍ତୀ ସେଠୀଙ୍କୁ ପ୍ରଶ୍ନ କରିବାରୁ, ସେ ସକାରାତ୍ମକ ପଦକ୍ଷେପ ବଦଳରେ କେବଳ ଯୁକ୍ତିତର୍କ କରୁଥିବା ଦେଖାଯାଇଛି। ପ୍ରଶାସନିକ ମୁଖ୍ୟଙ୍କ ଏଭଳି ଆଭିମୁଖ୍ୟ ମୁରିବାହାଲବାସୀଙ୍କୁ ଶକ୍ତ ଧକ୍କା ଦେଇଛି। ଜଣେ ଜନପ୍ରତିନିଧିଙ୍କ ଦାବିକୁ ଅଣଦେଖା କରିବା ଏବଂ ସାଧାରଣ ଜନତାଙ୍କୁ ଜଳକଷ୍ଟ ମଧ୍ୟକୁ ଠେଲିଦେବା ପ୍ରଶାସନର ସ୍ଥାଣୁତାକୁ ସ୍ପଷ୍ଟ କରୁଛି।
ପ୍ରଶାସନର ଶିଥିଳତା ବିରୋଧରେ ଶ୍ରୀ ହେର୍ଣ୍ଣା ଆଜିଠାରୁ ଅନଶନ ଆରମ୍ଭ କରିଛନ୍ତି। ତାଙ୍କର ଏହି ନିସ୍ୱାର୍ଥପର ଲଢ଼େଇକୁ ମୁରିବାହାଲର ସମସ୍ତ ବର୍ଗରୁ ସମର୍ଥନ ମିଳିଛି। ସ୍ଥାନୀୟ ବିକାଶ ମଞ୍ଚ, ଆଦିବାସୀ ସଂଘ ଏବଂ ପ୍ରେସ କ୍ଲବ ମୁରିବାହାଲ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି । ଜଣେ ବରିଷ୍ଠ ନାଗରିକ ହୋଇ ମଧ୍ୟ ଜନସାଧାରଣଙ୍କ ମୌଳିକ ସମସ୍ୟା ପାଇଁ ତାଙ୍କର ଏଭଳି ତ୍ୟାଗକୁ ଅଞ୍ଚଳବାସୀ ଭୂରି ଭୂରି ପ୍ରଶଂସା କରୁଛନ୍ତି।
ତେବେ ଏଠାରେ ସ୍ଥାନୀୟ ପ୍ରଶାସନର ଏଭଳି ସ୍ଥାଣୁତାକୁ ନେଇ ପ୍ରଶ୍ନ ଉଠିଛି ଯେ,
୧.ଲୋକେ ଶୋଷରେ ଡହଳବିକଳ ହେଉଥିବା ବେଳେ ବଜେଟ୍ କୁଆଡ଼େ ଯାଉଛି?
୨.ପ୍ରବଳ ଗ୍ରୀଷ୍ମ ପ୍ରବାହ ବେଳେ ଜଳ ସମସ୍ୟାର ସମାଧାନ ଦିଗରେ କାହିଁକି ପ୍ରଶାସନ ପକ୍ଷରୁ ପୂର୍ବ ପ୍ରସ୍ତୁତି କାହିଁକି କରାଯାଇ ନାହିଁ ?
୩.ସମସ୍ୟାର ସମାଧାନ ବଦଳରେ ବିଡ଼ିଓ କାହିଁକି ଯୁକ୍ତିତର୍କକୁ ଶ୍ରେୟ ମଣୁଛନ୍ତି?
ଯଦି ତୁରନ୍ତ ପାନୀୟ ଜଳ ସମସ୍ୟାର ସମାଧାନ ନହୁଏ, ତେବେ ଏହି ଆନ୍ଦୋଳନ ପ୍ରଶାସନ ପାଇଁ ମହଙ୍ଗା ପଡ଼ିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories