ହାତ ଗୋଡ଼ ନାହିଁ ସତ, ହେଲେ ଆକାଶ ଛୁଇଁବାର ଜିଦ୍ ଅଛି: ବିଶ୍ୱ ବିଜୟିନୀ ପାୟଲଙ୍କୁ ବଲାଙ୍ଗିର ପ୍ରଶାସନର ସଲାମ୍
ବଲାଙ୍ଗିର,୨।୫: ଲକ୍ଷ୍ୟ ଯଦି ସ୍ଥିର ଥାଏ ଏବଂ ମନରେ ଅଦମ୍ୟ ଇଚ୍ଛାଶକ୍ତି ଥାଏ, ତେବେ ଶାରୀରିକ ଅକ୍ଷମତା କେବେ ବି ପ୍ରତିବନ୍ଧକ ସାଜିପାରେନାହିଁ। ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି ବଲାଙ୍ଗିର ମାଟିର ଝିଅ ପାୟଲ ନାଗ। ଦୁଇ ହାତ ଓ ଦୁଇ ଗୋଡ଼ ହରାଇ ମଧ୍ୟ ବିଶ୍ଵ ପାରା-ତୀରନ୍ଦାଜିରେ ସ୍ଵର୍ଣ୍ଣ ଜିତି ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଥିବା ପାୟଲଙ୍କୁ ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।
ମୁରିବାହାଲ ବ୍ଲକ ଯମୁନାବାହାଲ ଗାଁର ଏକ ଗରିବ ଦାଦନ ଶ୍ରମିକ ପରିବାରରେ ଜନ୍ମିତ ପାୟଲଙ୍କ ଜୀବନ କାହାଣୀ ବେଶ୍ କଷ୍ଟଦାୟକ। ମାତ୍ର ୮ ବର୍ଷ ବୟସରେ ଏକ ଅଭାବନୀୟ ବିଦ୍ୟୁତ ଦୁର୍ଘଟଣାରେ ସେ ନିଜର ଦୁଇ ହାତ ଓ ଦୁଇ ଗୋଡ଼ ହରାଇଥିଲେ। କିନ୍ତୁ ଏହି ବଡ଼ ଦୁର୍ଘଟଣା ତାଙ୍କ ମନୋବଳକୁ ଭାଙ୍ଗିପାରିନଥିଲା। ନିକଟରେ ଅନୁଷ୍ଠିତ ବିଶ୍ଵ ପାରା-ତୀରନ୍ଦାଜି ସିରିଜ୍-୨୦୨୬ରେ ସେ ବିଶ୍ଵ ଚମ୍ପିଆନ ଶୀତଲ ଦେବୀଙ୍କୁ ପରାସ୍ତ କରି ଦୁଇ-ଦୁଇଟି ସ୍ଵର୍ଣ୍ଣ ପଦକ ହାସଲ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଗୌରବ ଶିବାଜୀ ଇସଲୱାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାୟଲଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ।
“ପାୟଲ କେବଳ ବଲାଙ୍ଗିର ନୁହଁନ୍ତି, ବରଂ ସାରା ଦେଶ ପାଇଁ ଏକ ରୋଲ୍ ମଡେଲ୍। ତାଙ୍କର ଆଗାମୀ ପାରା ଏସିଆନ୍ ଗେମ୍ସ ଓ ପାରାଅଲିମ୍ପିକ ପ୍ରସ୍ତୁତି ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବ।” ବୋଲି ଜିଲ୍ଲାପାଳ କହିଛନ୍ତି ।
ନିଜ ପ୍ରତିକ୍ରିୟାରେ ପାୟଲ ନିଜ ସଫଳତା ପାଇଁ ପୂର୍ବତନ ଜିଲ୍ଲାପାଳ ଚଞ୍ଚଳ ରାଣା, ରାଜ୍ୟ ସରକାର ଓ ନିଜ କୋଚ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଗାମୀ ଦିନରେ ଅନ୍ତର୍ଜାତୀୟ ସ୍ତରରେ ଦେଶ ପାଇଁ ଆହୁରି ଅଧିକ ପଦକ ଜିତିବା ତାଙ୍କର ଏକମାତ୍ର ଲକ୍ଷ୍ୟ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଏହି ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ, ଜିଲ୍ଲା ପରିଷଦ ସିଡିଓ ଚରଣା ସୁନାଙ୍କ ସମେତ ବହୁ ବରିଷ୍ଠ ପୋଲିସ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ପାୟଲଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ।

