Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ୟୁତ ବିଭାଗର ଏକଛତ୍ରବାଦ ନୀତି ବିରୁଦ୍ଧରେ ସ୍ଵର ଉତ୍ତୋଳନ: ଅଧିକାରୀଙ୍କୁ ରାଜପଥକୁ ଟାଣି ଆଣିବାକୁ ଚେତାବନୀ

ବଲାଙ୍ଗୀର,୨।୫: ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟକଳାପ ଓ ଗରିବ ବିରୋଧୀ ନୀତି ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଛନ୍ତି ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଅଜିତ୍ ଯୋଷୀ । ବିଦ୍ୟୁତ୍ ବିଭାଗ ପକ୍ଷରୁ ଲଗାଯାଇଥିବା ସ୍ମାର୍ଟ୍ ମିଟର ହଟାଇବା ଦାବିରେ କଣ୍ଟାବାଞ୍ଜି ବିଜୁ ଜନତା ଦଳ ପକ୍ଷରୁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଘେରାଉ ବେଳେ ସ୍ଥାନୀୟ ବିଦ୍ୟୁତ୍ ବିଭାଗୀୟ ଅଧିକାରୀଙ୍କୁ ସେ ସର୍ବସମ୍ମୁଖରେ କଡ଼ା ଭାଷାରେ ଭର୍ତ୍ସନା କରିବା ସହ ଗରିବ ଲୋକଙ୍କ ସ୍ଵାର୍ଥ ରକ୍ଷା ପାଇଁ ଏକ ଶାଣିତ ଚେତାବନୀ ଦେଇଛନ୍ତି ।
ଖବର ଅନୁଯାୟୀ, ବିଦ୍ୟୁତ ବିଭାଗର କିଛି ଅଧିକାରୀ ଏରିଅର ବା ବାକି ପଇସା ଆଦାୟ ନାଁରେ ସାଧାରଣ ଗରିବ ଲୋକଙ୍କୁ ଶୋଷଣ କରୁଥିବା ଏବଂ ମାସକୁ ଦୁଇ-ତିନିଥର ଲାଇଟ୍ କାଟି ଦେଉଥିବା ଅଭିଯୋଗ ହୋଇଥିଲା. ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ବିଜେଡ଼ି ସମ୍ପାଦକ ଅଜିତ୍ ଯୋଷୀ ଦୀର୍ଘ ସମୟ ଧରି ଅଫିସ୍ ସମ୍ମୁଖରେ ଅପେକ୍ଷା କରିଥିଲେ ମଧ୍ୟ କଣ୍ଟାବାଞ୍ଜି ବିଦ୍ୟୁତ୍ ବିଭାଗର ଏସଡିଓ ସଞ୍ଜୟ ତିର୍କି ନିଜ ଅଫିସ୍ ର ଏସି କୋଠରୀରୁ ବାହାରି ନଥିଲେ. ଏଥିରେ କ୍ଷୁବ୍ଧ ହୋଇ ଶ୍ରୀ ଯୋଷୀ ଏସଡିଓଙ୍କୁ ସିଧାସଳଖ ପ୍ରଶ୍ନ କରିଥିଲେ, “ଘଣ୍ଟେ ହେଲାଣି ଆମେ ଖରାରେ ଠିଆ ହୋଇଛୁ, ଆପଣମାନଙ୍କୁ କେଉଁ ଅଧିକାରରେ ଭିତରେ ବସି ରହିବାକୁ ଲାଜ ଲାଗୁନାହିଁ ?” ବୋଲି ଗର୍ଜିଥିଲେ ।
ଶ୍ରୀ ଯୋଷୀ ବିଦ୍ୟୁତ ଅଧିକାରୀଙ୍କୁ ରୀତିମତ ଚେତାବନୀ ଦେଇ କହିଛନ୍ତି ଯେ, ବିଜୁ ଜନତା ଦଳ ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗରିବ କଲ୍ୟାଣକାରୀ ଆଦର୍ଶର ଦଳ. ଗରିବ ଲୋକଙ୍କ ପାଖରେ ସମୟ ମତେ ପଇସା ନାହିଁ ବୋଲି ପ୍ରତି ୧୦-୧୫ ଦିନରେ ସେମାନଙ୍କ ଘରୁ ବିଦ୍ୟୁତ ସଂଯୋଗ କାଟିଦେବା ଏବଂ ମନଇଚ୍ଛା ଫାଇନ୍ ପକାଇବା ବନ୍ଦ କରାଯାଉ ବୋଲି କହିବା ସହ ଆହୁରି ମଧ୍ୟ ଦାବି କରିଛନ୍ତି ଯେ,କଣ୍ଟାବାଞ୍ଜି ଅଞ୍ଚଳର ଚାଷୀମାନଙ୍କୁ ସରକାରୀ ନିୟମ ଅନୁସାରେ ମାଗଣା ବିଦ୍ୟୁତ ଯୋଗାଇ ଦିଆଯାଉ ।
ଯଦି ବିଭାଗ ଏରିଅର ଟଙ୍କା ଆଦାୟ କରୁଛି, ତେବେ ଓଡ଼ିଶା ସରକାର କିମ୍ବା କେନ୍ଦ୍ର ସରକାରଙ୍କ ବୈଧ ଅଫିସିଆଲ୍ ନିର୍ଦ୍ଦେଶନାମା (ଚିଠି) ଜନସାଧାରଣଙ୍କୁ ଦେଖାଇ ଆଦାୟ କରୁ, ନହେଲେ ମନମୁଖୀ ଆଦାୟ କରିପାରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।
ବିଦ୍ୟୁତ ବିଭାଗର ଏଭଳି ଏକଛତ୍ରବାଦୀ ନୀତି ବିରୁଦ୍ଧରେ ସ୍ପଷ୍ଟ ଚେତାବନୀ ଦେଇ ଶ୍ରୀ ଯୋଷୀ କହିଛନ୍ତି ଯେ, “ଆଜି ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି । କିନ୍ତୁ ଯଦି ଆଗାମୀ ଦିନରେ ଏହି ଗରିବ ବିରୋଧୀ ଆଭିମୁଖ୍ୟ ବଦଳିବ ନାହିଁ ଏବଂ କାହାରି ବି ଲାଇଟ୍ କଟାଯିବ, ତେବେ ଏହି ବିଦ୍ୟୁତ ବିଭାଗ ଅଫିସରେ ତାଲା ପକାଇ ଦିଆଯିବ ଏବଂ ଅଧିକାରୀମାନଙ୍କୁ ରାଜପଥକୁ ଟାଣି ଅଣାଯିବ” ବୋଲି ତାଗିଦ୍ କରିଛନ୍ତି ।
ଜଣେ ସଚେତନ ଜନପ୍ରତିନିଧି ଭାବେ ଶ୍ରୀ ଯୋଷୀଙ୍କର ଏହି ଜନହିତକର କାର୍ଯ୍ୟ ଏବଂ ଗରିବ ଜନସାଧାରଣଙ୍କ ସପକ୍ଷରେ ନିର୍ଭୀକ ସ୍ଵର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ବିଦ୍ୟୁତ ବିଭାଗର ଏହି ଶୋଷଣ ବିରୁଦ୍ଧରେ ଲୋକେ ଏବେ ଜନପ୍ରତିନିଧିଙ୍କ ସହ ଏକାଠି ହୋଇଥିବା ଦେଖିବାକୁ ମିଳିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories