Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗୀର ସଦର ବ୍ଲକରେ ସରପଞ୍ଚଙ୍କ ଗଣଧାରଣା: ବୃଦ୍ଧାବସ୍ଥା ଭତ୍ତା ପ୍ରଦାନ ଦାବିରେ ବିଡିଓଙ୍କୁ ସ୍ମାରକପତ୍ର ପ୍ରଦାନ ।

ବଲାଙ୍ଗୀର, ୯।୬: ବଲାଙ୍ଗୀର ସଦର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଏକ ଭିନ୍ନ ଧରଣର ପ୍ରତିବାଦ ଦେଖିବାକୁ ମିଳିଛି। ବ୍ଲକର ପ୍ରାୟ ୨୫ଟି ଗ୍ରାମ ପଞ୍ଚାୟତର ସରପଞ୍ଚମାନେ ଏକାଠି ହୋଇ ବୃଦ୍ଧାବସ୍ଥା ଭତ୍ତା ପ୍ରଦାନ ଦାବିରେ ଗଣଧାରଣାରେ ବସିଛନ୍ତି। ସରପଞ୍ଚ ସଂଘର ଅଭିଯୋଗ ଅନୁଯାୟୀ, ଗତ ପ୍ରାୟ ୨ ମାସ ୨୦ ଦିନ ହେବ ବୃଦ୍ଧ, ବୃଦ୍ଧା ତଥା ଅସହାୟ ହିତାଧିକାରୀମାନଙ୍କୁ ସେମାନଙ୍କର ପ୍ରାପ୍ୟ ଭତ୍ତା ଟଙ୍କା ମିଳିନାହିଁ।
ଧାରଣାସ୍ଥଳରୁ ଜଣେ ସରପଞ୍ଚ ପ୍ରତିନିଧି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସରକାରୀ ନିୟମ ଅନୁସାରେ ଏହି ଭତ୍ତା ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ (DBT ମାଧ୍ୟମରେ) ପଠାଯାଉଛି। କିନ୍ତୁ ଦୀର୍ଘ ଦିନ ଧରି ଟଙ୍କା ଆସିନଥିବାରୁ ଗରିବ ଓ ବୃଦ୍ଧ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ସମୟରେ ବୃଦ୍ଧ ବୃଦ୍ଧାମାନେ ଗାଡ଼ି ଭଡ଼ା କରି ବ୍ୟାଙ୍କକୁ ଦୌଡ଼ି ଦୌଡ଼ି ନିରାଶ ହୋଇ ଫେରୁଛନ୍ତି।
ଭତ୍ତା ନମିଳିବା ଯୋଗୁଁ ଗ୍ରାମାଞ୍ଚଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ହିତାଧିକାରୀମାନେ ନିଜ ନିଜ ଅଞ୍ଚଳର ୱାର୍ଡ ମେମ୍ବର ଓ ସରପଞ୍ଚମାନଙ୍କୁ ଘେରି ପ୍ରଶ୍ନ କରୁଛନ୍ତି। “ଆମେ ଲୋକଙ୍କୁ ଜବାବ ଦେଇ ଦେଇ ଥକିଗଲୁଣି” ବୋଲି ଜଣେ ଆନ୍ଦୋଳନକାରୀ କହିଛନ୍ତି। ସେଥିପାଇଁ ବାଧ୍ୟ ହୋଇ ସମସ୍ତ ସରପଞ୍ଚ ଆଜି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି।
ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ସରପଞ୍ଚ ସଂଘ ପକ୍ଷରୁ ବଲାଙ୍ଗୀର ସଦର ବ୍ଲକ ଉନ୍ନୟନ ଅଧିକାରୀ (BDO) ଏବଂ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସରକାର ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ଗୁରୁତ୍ବର ସହ ନେଇ ତୁରନ୍ତ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାକୁ ସେମାନେ ଦାବି କରିଛନ୍ତି, ନଚେତ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories