Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗୀର: ରାସ୍ତାରେ ପଡ଼ିଥିବା କାଦୁଅ ସାଜିଲା କାଳ: ବଲାଙ୍ଗୀରରେ ଟ୍ରକ ଧକ୍କାରେ ମାଆ-ଝିଅ ମୃତ, ଟ୍ରକ ଚାଳକ ଫେରାର ।

ବଲାଙ୍ଗୀର, ୯।୬ : ପୁଣି ରକ୍ତରଞ୍ଜିତ ହୋଇଛି ବଲାଙ୍ଗୀର ସହର ଦେଇ ଯାଇଥିବା ୨୬ ନଂ ଜାତୀୟ ରାଜପଥ। ପ୍ରଶାସନିକ ଅବହେଳା ଓ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଆଉ ଦୁଇଟି ନିରୀହ ଜୀବନ ଚାଲିଯାଇଛି। ରାସ୍ତାରେ ପଡ଼ିଥିବା ପୋଖରୀ ପଙ୍କର କାଦୁଅରେ ସ୍କୁଟି ଖସିପଡ଼ିବା ଫଳରେ ଏକ ଦ୍ରୁତଗାମୀ ଟ୍ରକ ତଳେ ଚାପି ହୋଇ ଘଟଣାସ୍ଥଳରେ ହିଁ ମାଆ ଓ ଝିଅଙ୍କର ମର୍ମନ୍ତୁଦ ମୃତ୍ୟୁ ଘଟିଛି। ଏହି ଲୋମହର୍ଷଣକାରୀ ଘଟଣା ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ଓ ତୀବ୍ର ଉତ୍ତେଜନାର ଛାୟା ଖେଳାଇ ଦେଇଛି।
ମିଳିଥିବା ସୂଚନା ମୁତାବକ, ଆଜି ସକାଳ ପ୍ରାୟ ସାଢ଼େ ୬ଟା ସମୟରେ ବଲାଙ୍ଗୀର ସହରର ଗାନ୍ଧୀନଗର ପଡ଼ା ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଏହି ଦୁର୍ଘଟଣା ଘଟିଛି । ସ୍ଥାନୀୟ ତାଲପାଲି ପଡ଼ାର ଯୁବତୀ ସୃତୀ ନିଜ ସ୍କୁଟି ଯୋଗେ ମାଆ ସୁନୀତାଙ୍କୁ ସମଲେଶ୍ଵରୀ ନର୍ସିଂ ହୋମ୍‌କୁ ଛାଡ଼ିବାକୁ ଯାଉଥିଲେ। ମାତ୍ର ଗାନ୍ଧୀନଗର ପଡ଼ାର ମୁଖ୍ୟ ରାସ୍ତାରେ ସ୍କୁଟି ଚକଟି କାଦୁଅରେ ପଡ଼ି ହଠାତ୍ ଖସିଯାଇଥିଲା। ଏହି ସମୟରେ ସାମ୍ନାରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ ଉଭୟଙ୍କୁ ଚାପି ଦେଇଥିଲା। ଧକ୍କା ଏତେ ଭୟାବହ ଥିଲା ଯେ, ସେଠାରେ ହିଁ ମାଆ-ଝିଅଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ସ୍ଥାନୀୟ ଲୋକେ ଏକତ୍ରିତ ହେବା ପୂର୍ବରୁ ହିଁ ଚାଲାକିର ସହ ଟ୍ରକ ଚାଳକ ଜଣକ ଗାଡ଼ି ସହ ଘଟଣାସ୍ଥଳରୁ ଫେରାର ମାରିବାରେ ସଫଳ ହୋଇଛି।
ପ୍ରତ୍ୟକ୍ଷଦର୍ଶୀଙ୍କ ଅଭିଯୋଗ ଅନୁସାରେ, ବଲାଙ୍ଗୀର ସହରର ୧୧ ଗୋଟି ପୋଖରୀରୁ ପଙ୍କ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଉକ୍ତ କାଦୁଅକୁ ଟ୍ରାକ୍ଟର ବା ଗାଡ଼ି ସାହାଯ୍ୟରେ ସହରର ମୁଖ୍ୟ ରାସ୍ତା ଦେଇ ବାହାରକୁ ସ୍ଥାନାନ୍ତର କରାଯାଉଛି। ଏହି ସମୟରେ ଗାଡ଼ିରୁ କାଦୁଅ ସହରର ମୁଖ୍ୟ ରାସ୍ତାର ଅନେକ ସ୍ଥାନରେ ପଡ଼ି ଜମି ରହୁଛି। ଆଜିର ଦୁର୍ଘଟଣା ପଛରେ ରାସ୍ତାରେ ପଡ଼ିଥିବା ଏହି କାଦୁଅ, ସୀମିତ ପରିସର ଏବଂ ରାସ୍ତା ପାର୍ଶ୍ଵରେ ଥିବା ଗଛ ହିଁ ମୁଖ୍ୟ କାରଣ ସାଜିଛି, ଯାହା ଚାଳକଙ୍କ ପାଇଁ ଅତି ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରୁଛି।
ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଟାଉନ୍ ଥାନା ପୋଲିସ୍ ତତ୍ପରତା ପ୍ରକାଶ କରିଛି। ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଘନିଷ୍ଠ ତଦନ୍ତ ଚଳାଇଛି।
ସହର ଭିତରେ ପଡୁଥିବା କାଦୁଅକୁ ହଟାଇବା ପାଇଁ ବାରମ୍ବାର ଦାବି ହେଉଥିଲେ ହେଁ ପ୍ରଶାସନର ଶିଥିଳ ନୀତି ଯୋଗୁଁ ଆଜି ଏହି ଦୁର୍ଘଟଣା ଘଟିଥିବା ଜନସାଧାରଣ ଅଭିଯୋଗ କରିଛନ୍ତି। ସହରବାସୀ ଏବେ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ସହ ସହରର ଟ୍ରାଫିକ ବ୍ୟବସ୍ଥାରେ ସ୍ଥାୟୀ ସୁଧାର ଆଣିବାକୁ ଦୃଢ଼ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories