Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗୀରରେ ପିଛା ଛାଡୁନି ଦୁର୍ଘଟଣା: ସ୍କୁଟିକୁ ୩୦ ମିଟର ଘୋଷାଡି ନେଲା ପିକଅପ୍ ,ଆଇନଜୀବୀ ଗୁରୁତର ।

ବଲାଙ୍ଗୀର,୧୦।୬: ବଲାଙ୍ଗୀର ସହରରେ ସତେ ଯେମିତି ଦୁର୍ଘଟଣାର କାଳଛାଇ ହଟିବାର ନାଁ ନେଉନାହିଁ। ଗତକାଲି ସହରର ଗାନ୍ଧୀନଗର ପଡ଼ାରେ ତାଳପାଳି ପଡ଼ାର ଦୁଇ ମାଆ ଝିଅଙ୍କ ଦୁର୍ଘଟଣାଜନିତ ଦୁଃଖଦ ମୃତ୍ୟୁ ଖବର ଲୋକଙ୍କ ମନରୁ ଏପର୍ଯ୍ୟନ୍ତ ଲିଭି ନଥିବା ବେଳେ, ଆଜି ପୁଣି ଏକ ସଡ଼କ ଦୁର୍ଘଟଣା ସହରବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି। ସହରର ବ୍ୟସ୍ତବହୁଳ ସୁରୁଚି ବଜାର ସମ୍ମୁଖରେ ଏକ ଦ୍ରୁତଗାମୀ ପିକଅପ୍ ଭ୍ୟାନ୍ ଜଣେ ଆଇନଜୀବୀଙ୍କୁ ସ୍କୁଟିକୁ ଧକ୍କା ଦେଇ ୩୦ ମିଟର ଯାଏଁ ସ୍କୁଟିକୁ ଘୋଷାଡ଼ି ନେଇଛି। ଏହି ଭୟାବହ ଦୁର୍ଘଟଣାରେ ଅଳ୍ପକେ ଏକ ବଡ଼ ବିପତ୍ତିରୁ ବର୍ତ୍ତି ଯାଇଛନ୍ତି ସଂପୃକ୍ତ ଆଇନଜୀବୀ।
ସୂଚନା ଅନୁଯାୟୀ, ଆଜି ବଲାଙ୍ଗୀର ସହରର ଜଣାଶୁଣା ଓକିଲ କିଶୋର ଆଚାର୍ଯ୍ୟ ନିଜ ସ୍କୁଟି ଯୋଗେ ଯାଉଥିବା ସମୟରେ ସୁରୁଚି ବଜାର ସମ୍ମୁଖରେ ଏକ ପିକଅପ୍ ଭ୍ୟାନ୍ ତାଙ୍କ ସ୍କୁଟିକୁ ଜୋରରେ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ, ସ୍କୁଟିକୁ ୩୦ ମିଟର ପର୍ଯ୍ୟନ୍ତ ପିକଅପ୍ ଘୋଷାଡି ନେଇଥିବା ବେଳେ ଶ୍ରୀ ଆଚାର୍ଯ୍ୟ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ।
ଘଟଣା ସ୍ଥଳରେ ଟାଉନ୍ ଥାନା ପୋଲିସ୍ ତୁରନ୍ତ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ଆଇନଜୀବୀଙ୍କୁ ଉଦ୍ଧାର କରିଥିଲା। ତାଙ୍କୁ ଆଶୁ ଚିକିତ୍ସା ପାଇଁ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି।
ଅପରପକ୍ଷରେ, ଦୁର୍ଘଟଣା ଘଟାଇଥିବା ପିକଅପ୍ ଭ୍ୟାନ୍‌କୁ ଜବତ କରିବା ସହ ଏହାର ଚାଳକକୁ ଟାଉନ୍ ଥାନା ପୋଲିସ୍ ଅଟକ ରଖି ପଚରାଉଚରା କରୁଛି।
ସହର ଭିତରେ ବେପରୁଆ ଗାଡ଼ି ଚାଳନା ଏବଂ କ୍ରମାଗତ ଭାବେ ଘଟୁଥିବା ଦୁର୍ଘଟଣାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories