Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଣି କ୍ୱାକ ର ଭୂଲ୍ ଇଞ୍ଜେକ୍ସନ ନେଲା ଜୀବନ ! ମନ୍ତ୍ରୀଙ୍କ ନିରବତା, ସିଡିଏମ୍ଓଙ୍କ ଫାଇଲ୍ ଚାଷ: କେତେ ଜୀବନ ନେବେ ବଲାଙ୍ଗୀରର ନକଲି ଡାକ୍ତର ?

ବଲାଙ୍ଗୀର,୧୧।୬: ବଲାଙ୍ଗୀର ଜିଲ୍ଲାରେ ମଣିଷ ଜୀବନର ମୂଲ୍ୟ ଯେମିତି ଶସ୍ତା ହୋଇଯାଇଛି। ଜିଲ୍ଲାର ଗଳିକନ୍ଦିରେ ଜାଲ ବିଛାଇଥିବା ‘ଜମଦୂତ’ ସଦୃଶ କ୍ୱାକ୍ ବା ନକଲି ଡାକ୍ତରମାନେ ଗୋଟିଏ ପରେ ଗୋଟିଏ ନିରୀହ ଜୀବନ ନେଇ ଚାଲିଥିବା ବେଳେ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏବଂ ପୋଲିସ ପ୍ରଶାସନ କେବଳ କାଗଜପତ୍ର ଓ ‘ଫାଇଲ୍’ କାମରେ ବ୍ୟସ୍ତ। ଗୋଟିଏ ଘଟଣାର ମସିହା ନଶୁଖୁଣୁ ଆଉ ଏକ ଜୀବନ ଦୀପ ଲିଭିଯାଉଛି। ସରକାରୀ ସ୍ୱାସ୍ଥ୍ୟ ସେବାର ବିପର୍ଯ୍ୟସ୍ତ ଚିତ୍ର ଏବଂ ପ୍ରଶାସନିକ ଶିଥିଳତାର ସୁଯୋଗ ନେଇ ଏହି ନକଲି ଡାକ୍ତରମାନେ ଗ୍ରାମାଞ୍ଚଳରେ ଏକ ମାରାତ୍ମକ ସାମ୍ରାଜ୍ୟ ଛିଡ଼ା କରିଛନ୍ତି।
ଜିଲ୍ଲାରେ ଗତ ମାସେ ମଧ୍ୟରେ ଘଟିଥିବା କ୍ରମାଗତ ମୃତ୍ୟୁର ଚିତ୍ର ସାରା ଜିଲ୍ଲାକୁ ସ୍ତବ୍ଧ କରିଦେଇଛି। ପ୍ରତିଟି ଘଟଣାରେ ମୃତ୍ୟୁର କାରଣ ସେହି ଏକା ‘ଭୁଲ୍ ଇଞ୍ଜେକ୍ସନ’ ଓ ‘ଅପରିପକ୍ୱ ଚିକିତ୍ସା’।
କର୍ଲାପିଟା ଘଟଣା (ମେ’ ୧୦) ରେ ମୁରିବାହାଲ ବ୍ଲକ କର୍ଲାପିଟା ଗାଁର ଜଣେ ଅସହାୟ ବୃଦ୍ଧାଙ୍କ ମୃତ୍ୟୁ ଘଟଣାରେ ପ୍ରଶାସନର ‘ଏନଫୋର୍ସମେଣ୍ଟ ଟିମ୍’ କେବଳ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରିବାରେ ଦିନ ବିତାଇଲା।
ରେଙ୍ଗାଲି ଘଟଣା (ମେ’ ୨୯) ରେ ପାଟଣାଗଡ଼ ବ୍ଲକ ରେଙ୍ଗାଲି ଗ୍ରାମରେ ଜଣେ କ୍ୱାକ୍‌ଙ୍କ ଭୁଲ୍ ଚିକିତ୍ସାରେ ଆଉ ଜଣେ ରୋଗୀ ପ୍ରାଣ ହରାଇଲେ।
ଅଏଁଲାଭଟା ଘଟଣା (ଜୁନ୍ ୪) ରେମୁରିବାହାଲ ଥାନା ଅଏଁଲାଭଟା ଗ୍ରାମର ଦକ୍ଷଣ ମହାନନ୍ଦ ନାମକ ଜଣେ ବ୍ୟକ୍ତି ଲିମପରା ଗାଁର କ୍ୱାକ୍ ଶ୍ୟାମ ସାହୁଙ୍କ ‘ମରଣାନ୍ତକ ଇଞ୍ଜେକ୍ସନ’ର ଶିକାର ହୋଇଛନ୍ତି। କଣ୍ଟାବାଞ୍ଜି ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ପ୍ରଶାସନର କାଗଜୀ ନିଦ ହଜିଛି।
ଏସବୁ ଘଟଣା ପରେ ଆଜିର ତାଜା ଅଭିଯୋଗ ବେଲପଡ଼ା ବ୍ଲକ ମାଲପଡା ଗ୍ରାମର ନାବାଳକ ବିକାଶ ବନଛୋର ବାତ ଜ୍ୱର ଓ ଶରୀରରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ସ୍ଥାନୀୟ ଅଞ୍ଚଳରେ ବେଆଇନ କ୍ଲିନିକ ଚଲାଉଥିବା ହେମନ୍ତ ବାଗ ନାମକ ଜଣେ କ୍ୱାକଙ୍କ ସରଣାପନ୍ନ ହୋଇଥିଲେ। କ୍ୱାକ ହେମନ୍ତ ରୋଗର ସଠିକ୍ ଆକଳନ ନକରି ନାବାଳକଙ୍କୁ ଏକ ଭୁଲ୍ ଇଞ୍ଜେକ୍ସନ ଦେଇଥିଲେ, ଯାହାର କିଛି ସମୟ ମଧ୍ୟରେ ବିକାଶଙ୍କ ଜୀବନ ଚାଲିଯାଇଛି। ସ୍ଥାନୀୟ ଚର୍ଚ୍ଚା ଅନୁସାରେ, ବାଦନଗଡ଼ ଓ ଆଖପାଖ ଅଞ୍ଚଳରେ ପୂର୍ବରୁ କୌଶଲ୍ୟା ପନିକା ଏବଂ ଲକ୍ଷ୍ମଣ ମହାନନ୍ଦ ମଧ୍ୟ ଏହି କ୍ୱାକମାନଙ୍କ ଭୁଲ୍ ଟ୍ରିଟମେଣ୍ଟର ଶିକାର ହୋଇ ପ୍ରାଣ ହରାଇଛନ୍ତି।
ହଳଦୀ ଗାଁର ଅଭିଯୁକ୍ତ କ୍ୱାକ୍ ଟୁନୁ ବଗର୍ତ୍ତୀ ଗଣମାଧ୍ୟମ ସାମ୍ନାରେ ଯେଉଁ ସାଙ୍ଘାତିକ ଖୁଲାସା କରିଛି, ତାହା ଜିଲ୍ଲାରେ ଚାଲିଥିବା ଏକ ବଡ଼ ‘ଦଲାଲ ସିଣ୍ଡିକେଟ୍’ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।
କ୍ୱାକ୍ ଚିକିତ୍ସାରେ ରୋଗୀ ମରିବା ପରେ ମୃତଦେହକୁ ବାଇକରେ ବୋହି ଫିଙ୍ଗିଦେବା ଏବଂ ମୁହଁ ବନ୍ଦ ରଖିବା ପାଇଁ କିଛି ‘ତଥାକଥିତ ସାମ୍ବାଦିକ’ ଓ ମଧ୍ୟସ୍ଥିଙ୍କ ସହ ୧ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା।
ଏହି ଘଟଣା ପ୍ରମାଣିତ କରୁଛି ଯେ ନକଲି ଡାକ୍ତରମାନେ କେବଳ ଏକାକୀ ନାହାନ୍ତି, ସେମାନଙ୍କ ପଛରେ ପ୍ରଶାସନ, ମଧ୍ୟସ୍ଥି ଏବଂ କିଛି ଭ୍ରଷ୍ଟ ଚେହେରାଙ୍କ ସୁରକ୍ଷା କବଚ ରହିଛି। ଯଦି ଏପରି ନୁହେଁ, ତେବେ କାହିଁକି ଏହି ନକଲି କ୍ଲିନିକ ଓ ବେଆଇନ ମେଡିକାଲ ଷ୍ଟୋର ଗୁଡ଼ିକ ଉପରେ ଜିଲ୍ଲାବ୍ୟାପୀ ଦୃଢ଼ ଚଢ଼ାଉ କରାଯାଉ ନାହିଁ?
ଯେଉଁ ଜିଲ୍ଲାରୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ନିଜେ ପ୍ରତିନିଧିତ୍ୱ କରୁଛନ୍ତି, ସେଠାରେ ସ୍ୱାସ୍ଥ୍ୟ ସେବା କୋମାରେ ରହିବା ଏବଂ ନିରୀହ ଲୋକେ କ୍ୱାକ୍‌ଙ୍କ ଶିକାର ହେବା ସବୁଠାରୁ ଦୁର୍ଭାଗ୍ୟଜନକ ବିଷୟ। ଘଟଣା ବାବଦରେ ମନ୍ତ୍ରୀଙ୍କ ଆଭିମୁଖ୍ୟ ଜନସାଧାରଣଙ୍କୁ ଘୋର ନିରାଶ କରିଛି।
ପୂର୍ବରୁ ଗଣମାଧ୍ୟମ ପ୍ରତିନିଧି ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ପଚାରିବାରୁ ମନ୍ତ୍ରୀ “ବୁଝିକି କହୁଛି” କହି ଦାୟିତ୍ୱ ସାରିଦେଇଥିଲେ। ପରବର୍ତ୍ତୀ ସମୟରେ ବାରମ୍ବାର କଲ୍ କରାଯାଇଥିଲେ ମଧ୍ୟ ସେ ଫୋନ୍ ରିସିଭ୍ ନକରିବା ତାଙ୍କ ଦାୟିତ୍ୱବୋଧ ଓ ସ୍ଥାନୀୟ ଜନତାଙ୍କ ଜୀବନ ପ୍ରତି ଥିବା ଆନ୍ତରିକତା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବଲାଙ୍ଗୀର ଜିଲ୍ଲାର ସ୍ଥାନୀୟ ବୁଦ୍ଧିଜୀବୀ ଓ ସଚେତନ ନାଗରିକମାନେ ଏହି ମରଣର ବ୍ୟବସାୟ ବିରୁଦ୍ଧରେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ସିଧାସଳଖ ପ୍ରଶାସନକୁ କେତେକ ଶାଣିତ ପ୍ରଶ୍ନ ବାଣ ମାରିଛନ୍ତି
୧. ଆଉ କେତେ ନିରୀହ ଜୀବନ ଗଲେ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ ଭାଙ୍ଗିବ?
୨. ତହସିଲଦାର, ଡାକ୍ତର ଏବଂ ପୋଲିସକୁ ନେଇ ଗଠିତ ‘ଏନଫୋର୍ସମେଣ୍ଟ ଟିମ୍’ କେବଳ କାଗଜପତ୍ରରେ ହିଁ ସୀମିତ କି?
୩. ଯଦି ପ୍ରଶାସନିକ ତଦନ୍ତ ଚାଲିଛି, ତେବେ କ୍ୱାକ୍‌ମାନେ ଏତେ ନିର୍ଭୟରେ ପୁଣି ରୋଗୀଙ୍କ ଜୀବନ ସହ ଖେଳୁଛନ୍ତି କେମିତି? କାହା ଛତ୍ରଛାୟାରେ ଚାଲିଛି ଏହି ବେଆଇନ କାରବାର?
ସ୍ଥାନୀୟ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ଯେ, ତୁରନ୍ତ ସାରା ଜିଲ୍ଲାରେ ଥିବା ବେଆଇନ କ୍ଲିନିକ ଓ ଔଷଧ ଦୋକାନ ଉପରେ ବ୍ୟାପକ ଚଢ଼ାଉ କରାଯାଉ। କ୍ୱାକ୍‌ ଶ୍ୟାମ ସାହୁ ଓ ହେମନ୍ତ ବାଗଙ୍କ ଭଳି ଅପରାଧୀଙ୍କୁ ଏବଂ ସେମାନଙ୍କୁ ସୁରକ୍ଷା ଦେଉଥିବା ଦଲାଲ ମାନଙ୍କୁ ତୁରନ୍ତ ଗିରଫ କରାଯାଉ। ଏଥିସହ ପୀଡ଼ିତ ପରିବାରକୁ ଉପଯୁକ୍ତ ନ୍ୟାୟ ଓ କ୍ଷତିପୂରଣ ପ୍ରଦାନ କରାଯାଉ।
ଯଦି ଜିଲ୍ଲାପାଳ ଏବଂ ସିଡିଏମ୍ଓ (CDMO) ଏବେ ବି କଠୋର ଆଭିମୁଖ୍ୟ ଗ୍ରହଣ ନକରନ୍ତି, ତେବେ ଆଗାମୀ ଦିନରେ ଏହି ‘ମରଣର ବ୍ୟବସାୟ’ ବଲାଙ୍ଗୀରର ପ୍ରତିଟି ଗାଁକୁ ଶ୍ମଶାନରେ ପରିଣତ କରିଦେବ। ଦେଖିବାକୁ ବାକି ରହିଲା, ସଫେଦ ପୋଷାକଧାରୀ ନେତା ଓ ଅଫିସରଙ୍କ ଚାପରେ ସତ୍ୟ ପୋତି ହୋଇଯାଉଛି ନା ଗରିବ, ନିରୀହ ଜନତାଙ୍କୁ ପ୍ରକୃତ ନ୍ୟାୟ ମିଳୁଛି। ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ସାରା ଜିଲ୍ଲାର ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories