ଟିଟିଲାଗଡ଼: ବନ୍ଧୁ ହେଲା ବଇରୀ, ଦୀର୍ଘଦିନର ଦାଦାଗିରି ଓ ବଚସାରୁ ସହଯୋଗୀଙ୍କୁ ପଥରରେ ଛେଚି ମାରିଲା କବାଡ଼ିବାଲା ।
ବଲାଙ୍ଗୀର,୧୩।୬: ବନ୍ଧୁ ହେଲା ବଇରୀ । ବନ୍ଧୁତ୍ୱର ସମ୍ପର୍କ ନେଇଛି ଭୟଙ୍କର ମୋଡ଼। ଦୀର୍ଘଦିନର ଅତ୍ୟାଚାର, ଦାଦାଗିରି ଓ ସାମାନ୍ୟ ବଚସାକୁ କେନ୍ଦ୍ର କରି ଟିଟିଲାଗଡ଼ ରେଳୱେ ଷ୍ଟେସନ ଅଞ୍ଚଳରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଯାଇଛି। ଜଣେ ଭଙ୍ଗାରୁଜା ସାମଗ୍ରୀ ଗୋଟାଉଥିବା ବ୍ୟକ୍ତି (କବାଡ଼ିବାଲା) ନିଜର ହିଁ ଏକ ସହଯୋଗୀଙ୍କୁ ପଥରରେ ଛେଚି ନିର୍ଦ୍ଦୟ ଭାବେ ହତ୍ୟା କରିଛି। ରେଳ ଧାରଣା କଡ଼ରେ ଘଟିଥିବା ଏହି ରକ୍ତାକ୍ତ ସଂଘର୍ଷରେ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇ ଟିଟିଲାଗଡ଼ ଜିଆରପି (GRP) ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତକୁ ଅଟକ ରଖିଛି। ମିଳିଥିବା ସୂଚନା ଅନୁଯାୟୀ, ହତ୍ୟାକାଣ୍ଡଟି ରେଳ ଲାଇନ କଡ଼ରେ ଥିବା ଏକ ପରିତ୍ୟକ୍ତ କିମ୍ବା ନିର୍ମାଣଧୀନ ସ୍ଥାନରେ ଘଟିଛି, ଯେଉଁଠାରେ ରେଳ ଧାରଣାର ସ୍ଲିପର ଓ ଅନ୍ୟାନ୍ୟ ସାମଗ୍ରୀ ପଡ଼ି ରହିଛି। ରାତି ସମୟରେ ଏହି ଜଘନ୍ୟ କାଣ୍ଡ ଘଟିଥିବା ବେଳେ ଘଟଣାସ୍ଥଳରେ ପୋଲିସ ଓ ସ୍ଥାନୀୟ ଲୋକଙ୍କର ପ୍ରବଳ ଭିଡ଼ ଜମିଥିଲା।
ପୋଲିସ ହାତରେ ଧରାପଡ଼ିବା ପରେ ଅଭିଯୁକ୍ତ ଜଣକ ଗଣମାଧ୍ୟମ ସମ୍ମୁଖରେ ନିଜର ଦୋଷ ସ୍ୱୀକାର କରିବା ସହ ହତ୍ୟାର କାରଣ ସମ୍ପର୍କରେ ଚାଞ୍ଚଲ୍ୟକର ବୟାନ ଦେଇଛି। ଅଭିଯୁକ୍ତର କହିବା ଅନୁଯାୟୀ, “ଆମେ ଦୁହେଁ କବାଡ଼ି କାମ କରୁ ଏବଂ ଟ୍ରେନରେ ଭିକ ମଧ୍ୟ ମାଗୁ। କିନ୍ତୁ ସେ ସବୁବେଳେ ମୋ ସହ ଝଗଡ଼ା କରେ। ମୁଁ ଶୋଇଥିବା ସମୟରେ ମୋ ପକେଟରୁ ଜବରଦସ୍ତି ରୋଜଗାର ଟଙ୍କା ଚୋରି କରି ନେଇଯାଏ ଓ ନିୟମିତ ଧମକ ଚମକ ଦିଏ। ଘଟଣା ଦିନ ମଧ୍ୟ ଆମ ସହିତ ଖାଇପି ସାରିବା ପରେ ସେ ମୋତେ ଗାଳିଗୁଲଜ କଲା ଏବଂ ବହୁତ ବଡ଼ କଥା କହିଦେଲା। ଆମ ସାଥିରେ ଖାଇ ଆମକୁ ହିଁ ଗାଳି ଦେବାରୁ ମୁଁ ରାଗ ସମ୍ଭାଳି ନପାରି ସାମ୍ନାରେ ପଡ଼ିଥିବା ପଥର ଉଠାଇ ତା’ ମୁଣ୍ଡକୁ ଛେଚି ଦେଲି।” ବୋଲି କହିଛି ।
ଏନେଇ ଟିଟିଲାଗଡ ଜିଆରପି ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ବର୍ତ୍ତମାନ ଅଭିଯୁକ୍ତକୁ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି। ତେବେ ଏହି ହତ୍ୟାକାଣ୍ଡ ପଛରେ ଆଉ କୌଣସି ଗୁପ୍ତ କାରଣ ବା ପୁରୁଣା ଶତ୍ରୁତା ରହିଛି କି ନାହିଁ, ସେନେଇ ପୋଲିସ ସମ୍ପୂର୍ଣ୍ଣ ତଦନ୍ତ ଜାରି ରଖିଛି। ସମ୍ପୂର୍ଣ୍ଣ ତଦନ୍ତ ପରେ ହିଁ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ସୂଚନା ଦେଇଛି।

