କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ନାଁରେ ଥାନାରେ ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ନହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନର ଚେତାବନୀ ଦେଲା ଆଦିବାସୀ ସଂଘ ।
ବଲାଙ୍ଗୀର,୧୪।୬: କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ବିବାଦୀୟ ବୟାନକୁ ନେଇ ଏବେ ସରଗରମ ହୋଇଛି ସ୍ଥାନୀୟ ରାଜନୀତି। ଏକ ଘରୋଇ ଟିଭି ଚ୍ୟାନେଲରେ ଆଦିବାସୀ ସମାଜ ବିରୋଧରେ ଆପତ୍ତିଜନକ ଓ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ଆଜି ବିଧାୟକଙ୍କ ବିରୁଦ୍ଧରେ ପାଟଣାଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଜିଲ୍ଲା ଆଦିବାସୀ ସଂଘର ସଭାପତି ଭୁବନେଶ୍ୱର କୁଅଁର ଏବଂ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଯୁଗ୍ମ ସମ୍ପାଦକ ଗିରିରାଜ୍ ଭୋଇଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ଆଦିବାସୀ ନେତା ଓ କର୍ମୀ ପାଟଣାଗଡ଼ ଥାନାରେ ପହଞ୍ଚିଥିଲେ। ବିଧାୟକଙ୍କ ଏଭଳି ମନ୍ତବ୍ୟ ସମଗ୍ର ଆଦିବାସୀ ସମାଜର ସ୍ୱାଭିମାନକୁ ଆଘାତ ପହଞ୍ଚାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। “ଜଣେ ଜନପ୍ରତିନିଧି ହୋଇ ସାଧାରଣ ଗଣମାଧ୍ୟମରେ ଏଭଳି ସମ୍ବେଦନଶୀଳ ମନ୍ତବ୍ୟ ଦେବା ଆଦୌ ଗ୍ରହଣୀୟ ନୁହେଁ।” ଆଦିବାସୀ ସଂଘ ନେତୃବୃନ୍ଦ ଅଭିଯୋଗ କରିଛି ।
ଆଦିବାସୀ ସଂଘ ପକ୍ଷରୁ ପ୍ରଶାସନକୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି ଯେ, ଯଦି ଅଭିଯୋଗ ଆଧାରରେ ବିଧାୟକ ଲକ୍ଷ୍ମଣ ବାଗଙ୍କ ବିରୁଦ୍ଧରେ ତୁରନ୍ତ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ଆଗାମୀ ଦିନରେ ଏହା ଏକ ଭୟାବହ ରୂପ ନେବ। କେବଳ ବଲାଙ୍ଗୀର ଜିଲ୍ଲା ନୁହେଁ, ବରଂ ସାରା ରାଜ୍ୟରେ ସଂଘ ପକ୍ଷରୁ ବ୍ୟାପକ ଓ ତୀବ୍ର ଆନ୍ଦୋଳନ କରାଯିବ ବୋଲି ସଂଘ ଚେତାବନୀ ଦେଇଛି।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ, ପୋଲିସ ଏହି ମାମଲାରେ କି ପଦକ୍ଷେପ ନେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।

