ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ଫାଇନାଲ୍ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ୫ ଓ୍ଵିକେଟରେ ଗୁଜରାଟ୍ ଟାଇଟନ୍ସକୁ ହରାଇ ୫ମ ଥର ଚାମ୍ପିଅନହ ହୋଇଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ଫାଇନାଲ୍ ମୁକାବିଲା ମେ ୨୮ ତାରିଖରେ ଖେଳା ଯିବାର ଥିଲା। ମାତ୍ର ବର୍ଷା ଯୋଗୁଁ ରିଜର୍ଭ ଡେରେ ଏହାର ଆୟୋଜନ କରାଗଲା।
କିନ୍ତୁ ରିଜର୍ଭ ଡେରେ ମଧ୍ୟ ବର୍ଷା ଯୋଗୁଁ ଆଉଟ୍ ଫିଲ୍ଡ ଓଦା ହୋଇଥିଲା। ଗୁଜରାଟ୍ ବ୍ୟାଟିଂ ପରେ ଯେବେ ଚେନ୍ନାଇ ଇନିଂସ ଆରମ୍ଭ ହେଲା, ସେହି ସମୟରେ ବର୍ଷା ହୋଇଥିଲା। ବହୁ ସମୟ ଅପେକ୍ଷା ପରେ ମ୍ୟାଚ୍ ପୁନର୍ବାର ଆରମ୍ଭ ହୋଇଥିଲା। ଆଉ ମ୍ୟାଚକୁ ଚେନ୍ନାଇ ୫ ଓ୍ଵିକେଟରେ ଜିତି ନେଇଥିଲା।
ଦେଖିବାକୁ ଗଲେ ମୂଷଳଧାରାରେ ବର୍ଷା ଯୋଗୁଁ ପଡିଆ ଠିକରେ କଭର ହୋଇ ପାରିନଥିଲା। ଏହି କାରଣରୁ ପ୍ରାକ୍ଟିସ୍ ପିଚରେ ବହୁତ ପାଣି ଜମି ରହିଥିଲା। ପ୍ରଥମେ ପଡ଼ିଆ କର୍ମଚାରୀଙ୍କୁ ପିଚ୍ ଉପରୁ ପାଣି ସୁଖାଇବା ପାଇଁ ବଡ ସ୍ପଞ୍ଜ ବ୍ୟବହାର କରୁଥିବା ଦେଖିବାକୁ ମିଳିଥିଲା। ପରେ ପିଚ୍ ଉପରେ କୁଣ୍ଡା ବ୍ୟବହାର କରାଯାଇଥିଲା। ତା ପରେ ଯାଇ ସୁପର ସଭର ବ୍ୟବହାର କରାଯାଇଥିଲା।
ବିସିସିଆଇକୁ ଇସିବିଠୁ ଶିଖିବା ଉଚିତ୍
ଯଦି ଦୁନିଆର ସବୁଠୁ ବଡ଼ କ୍ରିକେଟ୍ ଷ୍ଟାଡିୟମରେ ସଠିକ୍ କଭର କରାଯିବାର ବ୍ୟବସ୍ଥା ଥାଆନ୍ତା ତେବେ ବୋଧହୁଏ ଫାଇନାଲ୍ ମ୍ୟାଚରେ ଏତେ ସମୟ ବର୍ବାଦ ହୋଇନଥାନ୍ତା। ବିସିସିଆଇକୁ ପିଚ୍ ଢାଙ୍କିବା କାମ ଇଂଲଣ୍ଡ ଆଣ୍ଡ ଓ୍ଵେଲ୍ସ କ୍ରିକେଟ୍ ବୋର୍ଡ(ଇସିବି)ଠୁ ଶିଖିବା ଉଚିତ୍। ବ୍ରିଟେନରେ ଅଧିକାଂଶ ପଡିଆରେ ପିଚ୍ ଢାଙ୍କିବା ପାଇଁ ହୋଭର କଭରର ଉପଯୋଗ କରାଯାଏ। ଏହି କଭର ୩ ମିନିଟ ଭିତରେ ପିଚ୍ ଏବଂ ଏହାର ଆଖପାଖ ଅଞ୍ଚଳକୁ ଢାକି ଦେଇଥାଏ। ୧୯୯୮ରେ ଷ୍ଟୁଅର୍ଟ କାନଭସ ହୋଭର କଭରର ଆବିଷ୍କାର କରିଥିଲେ। ସେହି ବର୍ଷ କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡ୍ସରେ ଏହାର ପ୍ରଥମ ପ୍ରୟୋଗ କରାଯାଇଥିଲା।
ପାରମ୍ପରିକ ପିଚ୍ କଭର ତୁଳନାରେ ହୋଭର କଭରର ଅନେକ ଫାଇଦା ରହିଛି। ହୋଭର କଭର ବର୍ଷା ଆରମ୍ଭ ହେବାର ୩ ମିନିଟ୍ ଭିତରେ ପିଚକୁ ଢାଙ୍କି ଦେଇଥାଏ। କିନ୍ତୁ ସାଧାରଣ କଭର ପିଚକୁ ଢାଙ୍କିବାରେ ୧୦ ମିନିଟ୍ ସମୟ ନେଇଥାଏ। ହୋଭର କଭରରେ ମୋଟର ଲାଗିଥାଏ, ତେଣୁ ପଡିଆକୁ କଭର କରିବାରେ ବହୁତ କମ କର୍ମଚାରୀଙ୍କ ଆବଶ୍ୟକ ପଡ଼ିଥାଏ। ମୋଟାମୋଟି ହୋଭର କଭରକୁ ପିଚକୁ କଭର କରିବା ପାଇଁ ବହୁତ ଆଦର୍ଶ କୁହାଯାଏ।