ପ୍ରକଳ୍ପ ଜଳରେ ବୁଡ଼ିବ ଭିଟାମାଟି, ଦାବି ପୂରଣ ନହେଲେ ଜଳସମାଧି ନେବେ କୁମିଆପାଲିବାସୀ !
ବଲାଙ୍ଗୀର,୧୮।୭: ବିକାଶର ମହାଯଜ୍ଞରେ ପୁଣି ଆହୁତି ସାଜିବାକୁ ଯାଉଛି ଭିଟାମାଟି। ଚଳିତ ମୌସୁମୀରେ ଲୋୟର ସୁକତେଲ ପ୍ରକଳ୍ପ ସମ୍ପୂର୍ଣ୍ଣ ଜଳମଗ୍ନ ହେବାକୁ ଥିବାବେଳେ, ଜଳଭଣ୍ଡାର ମଧ୍ୟରେ ଫସି ରହିଥିବା କୁମିଆପାଲି ଗ୍ରାମବାସୀଙ୍କ ଜୀବନ ଏବେ ଆନ୍ଦୋଳନ ଓ ଆଶଙ୍କାର ଛାତିଫଟା ଦୋଛକିରେ। ପ୍ରଶାସନ ପକ୍ଷରୁ ଗାଁ ଛାଡ଼ିବା ପାଇଁ ଲାଉଡ଼ସ୍ପିକର ଓ ନୋଟିସ ଜରିଆରେ ତାଗିଦ୍ କରାଯାଇଥିଲେ ହେଁ, “ନ୍ୟାୟ ନମିଳିଲେ ଗାଁ ଛାଡ଼ିବୁ ନାହିଁ” ବୋଲି ସ୍ପଷ୍ଟ ଜବାବ ଦେଇଛନ୍ତି ବିସ୍ଥାପିତ। ଅନ୍ୟପଟେ ବନ୍ୟା ଜଳ ମାଡ଼ିଆସିବା ପୂର୍ବରୁ ଆସନ୍ତା ୨୧ ତାରିଖ ସୁଦ୍ଧା କୁମିଆପାଲି ସମେତ ୩ଟି ଗାଁର ବିଦ୍ୟୁତ ସଂଯୋଗ କାଟିବାକୁ ନିର୍ଦ୍ଦେଶ ହୋଇଥିବାରୁ ସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି।
ଲୋୟର ସୁକତେଲ ପ୍ରକଳ୍ପର ଅଧୀକ୍ଷଣ ଯନ୍ତ୍ରୀଙ୍କ ସ୍ବାକ୍ଷର ସମ୍ବଳିତ ଏକ ନୋଟିସ ଗୁରୁବାର କୁମିଆପାଲି ଗାଁରେ ମରାଯିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଉଦ୍ବେଗ ପ୍ରକାଶ ପାଇଛି। ଡେମ୍ରେ ପାଣିର ସ୍ତର ଏବେ ସୁଦ୍ଧା ୧୧୭ ମିଟର ଛୁଇଁ ସାରିଥିବା ବେଳେ ଚଳିତ ବର୍ଷ ଏହାକୁ ପୂର୍ଣ୍ଣ କ୍ଷମତା (୭୦ ମିଟରରୁ ଅଧିକ) ଅନୁସାରେ ରଖାଯିବ ବୋଲି ପ୍ରଶାସନିକ ସୂତ୍ରରୁ ଜଣାପଡ଼ିଛି। ଯେକୌଣସି ମୁହୂର୍ତ୍ତରେ ବନ୍ୟା ଜଳ ଗାଁକୁ ଘେରିଯିବାର ସଙ୍ଗୀନ ଆଶଙ୍କା ରହିଛି। ଗାଁରେ ଏବେ ମଧ୍ୟ ୮୨ଟି ଆଦିବାସୀ ପରିବାର ନିଜର ହକ୍ ପାଇଁ ଭିଟାମାଟିକୁ ଜାବୁଡ଼ି ଧରିଛନ୍ତି। ପ୍ରଶାସନ ସେମାନଙ୍କୁ ସାମାନ୍ୟ ଦୂରରେ ଥିବା କପିଳବାହାଲ ପୁନର୍ବାସ କଲୋନୀକୁ ଯିବାକୁ କହୁଥିବା ବେଳେ, ଅଧାପନ୍ତରିଆ ବ୍ୟବସ୍ଥାକୁ ନେଇ ବିସ୍ଥାପିତଙ୍କ ମନରେ କ୍ରୋଧ ଜମାଟ ବାନ୍ଧିଛି।
ଗ୍ରାମର ବରିଷ୍ଠ ନାଗରିକ ରାମଚନ୍ଦ୍ର ବରିହାଙ୍କ ନେତୃତ୍ୱରେ ଗ୍ରାମବାସୀ ପ୍ରଶାସନର ଏହି ଏକତରଫା ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛନ୍ତି। ସେମାନଙ୍କ ଅଭିଯୋଗ ମୁତାବକ, ୨୦୧୩ ଭୂମି ଅଧଗ୍ରହଣ ଆଇନ ଅନୁଯାୟୀ ସେମାନଙ୍କୁ ଉପଯୁକ୍ତ କ୍ଷମତା, କ୍ଷତିପୂରଣ ଏବଂ ପୁନର୍ବାସ ସୁବିଧା ମିଳିନାହିଁ।
କୁମିଆପାଲିରେ ପୂର୍ବରୁ ଜାରି ହୋଇଥିବା ୧୧ (୧) ନୋଟିସକୁ ରଦ୍ଦ କରି ପୁନଃ ସର୍ଭେ କରାଯାଉ। ବିସ୍ଥାପିତ ହେଉଥିବା ଚାଷୀଙ୍କୁ ଜମି ବଦଳରେ ଉପଯୁକ୍ତ ଚାଷୋପଯୋଗୀ ଜମି ଯୋଗାଇ ଦିଆଯାଉ ବୋଲି କୁମିଆପାଲି ଗ୍ରାମବାସୀ ଦାବି କରିଛନ୍ତି ।
“ପ୍ରଶାସନ ଆମ ଦାବି ପୂରଣ ନକରି କେବଳ ନୋଟିସ ଉପରେ ନୋଟିସ ଦେଇ ଚାଲିଛି। ଆମ ସୁଖ-ଦୁଃଖ ବୁଝିବାକୁ କାହାରି ନିଘା ନାହିଁ। ଯଦି ଦାବି ପୂରଣ ନହୁଏ, ଆମେ ଏହି ମାଟିରେ ଜଳସମାଧି ନେବୁ ପଛେ ଭିଟାମାଟି ଛାଡ଼ିବୁ ନାହିଁ,” ବୋଲି ଅତ୍ୟନ୍ତ କ୍ଷୋଭର ସହ ଗ୍ରାମବାସୀ ପ୍ରକାଶ କରିଛନ୍ତି।
ସରକାରୀ ସ୍ତରରେ ବିସ୍ଥାପନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଏବେ ବଳପ୍ରୟୋଗ କରାଯାଉଥିବା ଭଳି ମନେହେଉଛି। କୁମିଆପାଲି, ଖୁଣ୍ଟପାଲି ଏବଂ ତେନ୍ତେଲବାନ୍ଧି ଭଳି ୩ଟି ଯାକ ଗ୍ରାମର ବିଦ୍ୟୁତ ସଂଯୋଗକୁ ଆସନ୍ତା ୨୧ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ବିଚ୍ଛିନ୍ନ କରିବାକୁ ବିଭାଗୀୟ ନିର୍ଦ୍ଦେଶ ହୋଇଛି। ଅର୍ଥାତ୍ ପ୍ରଶାସନ ଲୋକଙ୍କ ଦାବି ଶୁଣିବା ପରିବର୍ତ୍ତେ ସେମାନଙ୍କୁ ଅନ୍ଧାର ଭିତରକୁ ଠେଲିଦେଇ ଜେରଜବରଦସ୍ତ ଘଉଡ଼ାଇବାକୁ ଚେଷ୍ଟା କରୁଛି।
ବିକାଶ ଅପରିହାର୍ଯ୍ୟ, ମାତ୍ର ମାନବିକତାକୁ ବଳି ଚଢ଼ାଇ କରାଯାଉଥିବା ବିକାଶ କେତେଦୂର ଗ୍ରହଣୀୟ? ଯେଉଁ ଜନସାଧାରଣ ନିଜର ସର୍ବସ୍ୱ ହରାଇ ଜିଲ୍ଲା ତଥା ରାଜ୍ୟର ଅଭିବୃଦ୍ଧି ପାଇଁ ବାଟ ଛାଡ଼ିଦେଉଛନ୍ତି, ସେମାନଙ୍କ ନ୍ୟାଯ୍ୟ ଦାବିକୁ ଅଣଦେଖା କରିବା କେତେଦୂର ଯୁକ୍ତିଯୁକ୍ତ? ଜଳଭଣ୍ଡାରରେ ପାଣି ଭରିବା ଆଗରୁ ବିସ୍ଥାପିତଙ୍କ ଆଖିର ଲୁହକୁ ପୋଛିବା ପ୍ରଶାସନର ପ୍ରଥମ କର୍ତ୍ତବ୍ୟ ହେବା ଉଚିତ। ବିଦ୍ୟୁତ କାଟି କିମ୍ବା ପାଣି ଘେରରେ ରଖି ଡରାଇବା ପରିବର୍ତ୍ତେ, ପ୍ରଶାସନ ତୁରନ୍ତ ୨୦୧୩ ଭୂମି ଅଧଗ୍ରହଣ ଆଇନ ଅନୁଯାୟୀ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରୁ, ନଚେତ୍ ଏହା ଏକ ବଡ଼ ମାନବୀୟ ବିପର୍ଯ୍ୟୟର ରୂପ ନେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ।

