Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଣ୍ଟାବାଞ୍ଜିରେ ସଂଘାତିକ କାଣ୍ଡ: ରାସ୍ତାରେ ଜଗି ଯୁବକଙ୍କ ଗୋଡ଼ କାଟିଦେଲେ ଦୁର୍ବୃତ୍ତ, ବଲାଙ୍ଗୀର ସ୍ଥାନାନ୍ତର ।

ବଲାଙ୍ଗୀର,୨୯।୮: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସଂଘାତିକ ଓ ନୃଶଂସ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ପୂର୍ବ ଶତ୍ରୁତା ଓ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯିବା ସହ ତାଙ୍କର ଗୋଟିଏ ଗୋଡ଼ କାଟି ଦିଆଯାଇଛି। ଗୁରୁତର ଆହତ ଯୁବକଜଣକ ଡଙ୍ଗାମରା ଗାଁର ବଳଦେବ ବନଛୋର ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ବଳଦେବ କୌଣସି କାମରେ ଡଙ୍ଗାମରା ଗାଁରୁ କଣ୍ଟାବାଞ୍ଜି ଅଭିମୁଖେ ଆସୁଥିଲେ। ଏହି ସମୟରେ ଡଙ୍ଗାମରା ନିକଟସ୍ଥ୍ ଚଟୁଅନକା ରାସ୍ତାରେ ଥିବା ଏକ ଅଟା ଫ୍ୟାକ୍ଟ୍ରି ନିକଟରେ ପୂର୍ବରୁ ତାଙ୍କୁ (ଜଗି) କରି ବସିଥିବା କିଛି ଦୁର୍ବୃତ୍ତ ତାଙ୍କୁ ହଠାତ୍ ଅଟକାଇଥିଲେ। କିଛି ବୁଝିବା ଆଗରୁ ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ତାଙ୍କ ଉପରକୁ ସଂଘାତିକ ଆକ୍ରମଣ କରିଥିଲେ। ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ବଳଦେବଙ୍କ ଗୋଟିଏ ଗୋଡ଼ ସମ୍ପୂର୍ଣ୍ଣ କଟି ଯାଇଥିଲା ଏବଂ ସେ ଘଟଣାସ୍ଥଳରେ ରକ୍ତାକ୍ତ ଅବସ୍ଥାରେ ଛଟପଟ ହୋଇ ପଡ଼ିରହିଥିଲେ।
ଘଟଣା ପରେ ସ୍ଥାନୀୟ ଲୋକ ଓ ପରିବାର ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର (ରେଫର) କରାଯାଇଛି।
ଅନ୍ୟପଟେ ଘଟଣାର ଖବର ପାଇ କଣ୍ଟାବାଞ୍ଜି ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସନ୍ଦିଗ୍ଧ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ