ବଲାଙ୍ଗୀରର ବିଭିନ୍ନ ହୋଟେଲରେ ଏସପିଙ୍କ ଆକସ୍ମିକ ଚଢ଼ଉ: ସାଦା ପୋଷାକରେ ଯାଞ୍ଚ, ୧୫ ସନ୍ଦିଗ୍ଧ ଯୁବକ-ଯୁବତୀ ଅଟକ
ବଲାଙ୍ଗିର,୨।୯: ବଲାଙ୍ଗିର ସହରର ବିଭିନ୍ନ ହୋଟେଲ ଓ ଗେଷ୍ଟହାଉସଗୁଡ଼ିକରେ ପୁଲିସ ପକ୍ଷରୁ ଏକ ବଡ଼ଧରଣର ଆକସ୍ମିକ ଚଢ଼ଉ କରାଯାଇଛି। ବଲାଙ୍ଗିର ଆରକ୍ଷୀ ଅଧୀକ୍ଷକ (ଏସପି) ଅଭିଲାଷ ଜୀ ନିଜେ ସାଦା ପୋଷାକରେ ବିନା ପୁଲିସ ଫୋର୍ସରେ ବିଭିନ୍ନ ହୋଟେଲ ଓ ଗେଷ୍ଟହାଉସରେ ପହଞ୍ଚି ଏହି ଯାଞ୍ଚ ଅଭିଯାନର ନେତୃତ୍ୱ ନେଇଛନ୍ତି।
ଚଢ଼ଉ ସମୟରେ ବିଭିନ୍ନ ହୋଟେଲ ଏବଂ ଗେଷ୍ଟହାଉସରୁ ପ୍ରାୟ ୧୫ ଜଣ ସନ୍ଦିଗ୍ଧ ଯୁବକ-ଯୁବତୀଙ୍କୁ ପୁଲିସ ହେପାଜତକୁ ନିଆଯାଇ ଅଧିକ ପଚରାଉଚରା ଜାରି ରହିଛି। ତେବେ ଏହି ସମଗ୍ର କାର୍ଯ୍ୟାନୁଷ୍ଠାନ ନେଇ ପୁଲିସ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିପାରିନାହିଁ।
ସୂଚନାଯୋଗ୍ୟ ଯେ, ଦୀର୍ଘଦିନ ହେଲା ବଲାଙ୍ଗିର ସହରରେ ଥିବା କେତେକ ହୋଟେଲ ଓ ଗେଷ୍ଟହାଉସରେ ଅସାମାଜିକ କାର୍ଯ୍ୟକଳାପ, ସେକ୍ସ ରାକେଟ୍ ଏବଂ ଅପରାଧିକ କାର୍ଯ୍ୟ ଚାଲୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ଏପରିକି ଗୁଇନ୍ଦା ସୂଚନାର ଅଭାବ ଏବଂ କେତେକ ହୋଟେଲ/ଗେଷ୍ଟହାଉସ କର୍ତ୍ତୃପକ୍ଷଙ୍କ ଅସାଧୁ ସହଯୋଗ ଯୋଗୁଁ ବାହାର ରାଜ୍ୟର ଅପରାଧୀମାନେ ଏଠାରେ ଆଶ୍ରୟ ନେଇ ଅପରାଧ ଯୋଜନା କରିବା ସହ ଘଟଣା ଘଟାଇ ଫେରାର ହୋଇଯାଉଥିବାର ନଜିର ମଧ୍ୟ ରହିଛି। ଏହି ସବୁ ବେଆଇନ କାର୍ଯ୍ୟକଳାପ ଉପରେ ରୋକ୍ ଲଗାଇବା ପାଇଁ ପୁଲିସ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଚର୍ଚ୍ଚା ହେଉଛି।

