ବୀରମହାରାଜପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଏକ ନୂତନ ମାର୍କେଟ ନିର୍ମାଣ ପ୍ରକିୟା ଆରମ୍ଭ
#ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲାର ନୂତନ ଭାବେ ଗଠିତ ବୀରମହାରାଜପୁର ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ପାଇଁ ଏକ ଆଧୁନିକ, ସୁନ୍ଦର ଓ ସୁବ୍ୟବସ୍ଥିତ ନୂତନ ମାର୍କେଟ ନିର୍ମାଣ ନିମନ୍ତେ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଛି।
ଏହି ପରିପ୍ରେକ୍ଷୀରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଳା ନିଜେ ଉପସ୍ଥିତ ରହି ମାର୍କେଟ ନିର୍ମାଣ ସମ୍ପର୍କିତ ବିଭିନ୍ନ ପ୍ରାରମ୍ଭିକ ପଦକ୍ଷେପ ଓ ଆବଶ୍ୟକୀୟ ପ୍ରକ୍ରିୟା ନେଇ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ବୀରମହାରାଜପୁର ଉପଜିଲ୍ଲାପାଳ ଶ୍ରୀ ସୁରେନ୍ଦ୍ର ମେହେର, ତହସିଲଦାର ଶ୍ରୀମତୀ ସୁଚିସ୍ମିତା ପାଣିଗ୍ରାହୀଙ୍କ ସମେତ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ପ୍ରସ୍ତାବିତ ନୂତନ ମାର୍କେଟ ନିର୍ମାଣ ହେଲେ ସ୍ଥାନୀୟ ବ୍ୟବସାୟୀମାନଙ୍କ ପାଇଁ ଉନ୍ନତ ବ୍ୟବସାୟିକ ସୁବିଧା ସୃଷ୍ଟି ହେବା ସହ ସାଧାରଣ ଲୋକଙ୍କୁ ମଧ୍ୟ ଏକ ସୁବ୍ୟବସ୍ଥିତ ଓ ସୁବିଧାଜନକ ବଜାର ବ୍ୟବସ୍ଥା ମିଳିବ। ଏଥିସହ ବଜାର ଅଞ୍ଚଳରେ ଭିଡ଼ ନିୟନ୍ତ୍ରଣ, ପରିମଳ ଓ ଯାତାୟାତ ବ୍ୟବସ୍ଥାରେ ମଧ୍ୟ ସୁଧାର ଆସିବା ଆଶା କରାଯାଉଛି।
ବୀରମହାରାଜପୁରକୁ ଏକ ସୁନ୍ଦର, ସ୍ୱଚ୍ଛ, ସୁବ୍ୟବସ୍ଥିତ ଓ ବିକଶିତ ସହର ଭାବେ ଗଢ଼ି ତୋଳିବା ଦିଗରେ ନୂତନ ମାର୍କେଟ ନିର୍ମାଣ ପ୍ରକଳ୍ପକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନେ ହେଉଛି l

