ଜମନକିରାରେ ‘ସେବା ସେତୁ’ ଓ ‘ସେବା ସଂକଳ୍ପ’ ଅଭିଯାନର ଭବ୍ୟ କାର୍ଯ୍ୟକ୍ରମ: ଶେଷ ଧାଡ଼ିର ମଣିଷ ପାଖରେ ସରକାରୀ ସେବା ପହଞ୍ଚାଇବା ମୁଖ୍ୟ ଲକ୍ଷ୍ୟ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଡାକ୍ତରଖାନା ପଡ଼ିଆ ପରିସରରେ ‘ସେବା ସେତୁ ଅଭିଯାନ’ ତଥା ‘ସେବା ସଂକଳ୍ପ ଅଭିଯାନ’ ଅନ୍ତର୍ଗତ ଏକ ବିଶାଳ ସମାବେଶ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ଥିବା ଦୂରତାକୁ ଦୂର କରି ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ଦେଖିବାକୁ ମିଳିଥିଲା। ବିଶେଷକରି ମହିଳା ଓ ଗ୍ରାମାଞ୍ଚଳର ହିତାଧିକାରୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ଏକତ୍ରିତ ଭାବେ ସେବା ଓ ବିକାଶର ସଂକଳ୍ପ ପାଠ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ। ସେବା ସେତୁ ମାଧ୍ୟମରେ ସମାଜର ଶେଷ ଧାଡ଼ିରେ ଥିବା ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କୁ ସଶକ୍ତ କରିବା ତଥା ସେମାନଙ୍କ ନ୍ୟାର୍ଯ୍ୟ ଅଧିକାର ପ୍ରଦାନ କରିବା ସରକାରଙ୍କ ପ୍ରମୁଖ ଉଦ୍ଦେଶ୍ୟ ବୋଲି ସେ ପ୍ରକାଶ କରିଥିଲେ। ଏହି ଅବସରରେ ଦିବ୍ୟାଙ୍ଗ ହିତାଧିକାରୀମାନଙ୍କୁ ସହାୟକ ଉପକରଣ ଭାବେ ମୋଟୋରାଇଜ୍ଡ ଟ୍ରାଇସାଇକେଲ୍ ପ୍ରଦାନ କରାଯିବା ସହ ବିଭିନ୍ନ ସ୍କୁଲଗୁଡ଼ିକୁ ପଟ୍ଟା ବଣ୍ଟନ, ଯୋଗ୍ୟ ହିତାଧିକାରୀଙ୍କୁ ଗୃହ ନିର୍ମାଣ କାର୍ଯ୍ୟାଦେଶ (ଗୃହ ବଣ୍ଟନ) ଏବଂ ବାର୍ଦ୍ଧକ୍ୟ ଓ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଓଡ଼ିଶାର ପଞ୍ଚାୟତିରାଜ, ପାନୀୟ ଜଳ ଯୋଗାଣ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ଉପସ୍ଥିତ ରହି ଗ୍ରାମାଞ୍ଚଳର ସାମଗ୍ରିକ ବିକାଶ ଏବଂ ପଞ୍ଚାୟତ ସ୍ତରରେ ସରକାରୀ ସେବାକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି ସମାବେଶରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଉତ୍ତରାଞ୍ଚଳ ଡିଆଇଜି ଚରଣ ସିଂହ ମୀନା, ଏସପି ମୁକେଶ ଭାମୁ, ଉପ-ଜିଲ୍ଲାପାଳ ସରବରାନ ସିଂ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ମୁଖ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ ପାତ୍ର, ଜିଲ୍ଲା ବିଜେପି ସଭାପତି ମେହେର ଏବଂ ଜମନକିରା ବିଡିଓ ରବୀନ୍ଦ୍ର କୁମାର ସେଠୀ ପ୍ରମୁଖ ମଞ୍ଚାସୀନ ରହିଥିଲେ।
ଏହି ବିଶାଳ ଆୟୋଜନକୁ ସଫଳ କରିବାରେ ଜିଲ୍ଲାସ୍ତରୀୟ ଅଧିକାରୀ, ଉପଖଣ୍ଡ ଅଧିକାରୀ, ବ୍ଲକ ପ୍ରଶାସନ, ପଞ୍ଚାୟତ ସ୍ତରୀୟ ଅଧିକାରୀ ତଥା ବିଭିନ୍ନ ବିଭାଗର କର୍ମଚାରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ। ଏଥିସହିତ ବିଜେପିର ବହୁ କାର୍ଯ୍ୟକର୍ତ୍ତା ଓ ନେତୃବୃନ୍ଦ ମଧ୍ୟ ବିପୁଳ ସଂଖ୍ୟାରେ ଉପସ୍ଥିତ ରହି ସହଯୋଗ କରିଥିଲେ। ଶିବିର ମାଧ୍ୟମରେ ସ୍ଥାନୀୟ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗର ପ୍ରତ୍ୟକ୍ଷ ଶୁଣାଣି କରି ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନିଆଯାଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ବିଶେଷ ଉତ୍ସାହ ଓ ସନ୍ତୋଷ ପ୍ରକାଶ ପାଇଛି।

