Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଚିଣ୍ଡା ମହିଳା କନିଷ୍ଠ ମହାବିଦ୍ୟାଳୟରେ ‘ଜାତୀୟ ବନ୍ୟପ୍ରାଣୀ ସପ୍ତାହ’ ପାଳିତ ପରିବେଶ ସୁରକ୍ଷା ପାଇଁ ଛାତ୍ରୀଙ୍କ ଦ୍ୱାରା ବ୍ୟାପକ ବୃକ୍ଷରୋପଣ: ଜନ୍ମଦିନରେ ଚାରା ରୋପଣ କରି ବଞ୍ଚାଇବାକୁ ଶପଥ

ଜମନକିରା : ସ୍ଥାନୀୟ ମହିଳା କନିଷ୍ଠ ମହାବିଦ୍ୟାଳୟ ପରିସରରେ ଜାତୀୟ ବନ୍ୟପ୍ରାଣୀ ସପ୍ତାହ ଉପଲକ୍ଷେ ଏକ ଦିବସବ୍ୟାପୀ ସଚେତନତା ସମାରୋହ ତଥା ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ମହାବିଦ୍ୟାଳୟ ସଭାଗୃହରେ ଅଧ୍ୟକ୍ଷ ଅଧିକାରୀ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିମାନେ ପ୍ରଥମେ ଆରାଧ୍ୟା ଦେବୀ ମା’ ସମଲେଶ୍ୱରୀ ଓ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରିବା ସହ ଭକ୍ତିପୂତ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବର ଶୁଭାରମ୍ଭ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ବିଶିଷ୍ଟ ପରିବେଶବିତ୍ ସୁବାସ ଚନ୍ଦ୍ର ନାୟକ ଯୋଗଦେଇ “ବନ୍ୟପ୍ରାଣୀଙ୍କ ସୁରକ୍ଷା ହିଁ ପ୍ରକୃତି ଓ ପରିବେଶର ସୁରକ୍ଷା” ବୋଲି ବକ୍ତବ୍ୟ ରଖିବା ସହିତ ଜୈବବିବିଧତା ସନ୍ତୁଳନ ରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ।
ସେହିପରି ସମ୍ମାନିତ ବକ୍ତା ଭାବେ ସମାଜସେବୀ ତଥା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ କରୁଣାକର କିସାନ ଏବଂ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଉଦ୍ୟାନ ବିଭାଗ ଯନ୍ତ୍ରୀ ରବୀନ୍ଦ୍ର କୁମାର ଦାସ ଯୋଗଦେଇ ଛାତ୍ରୀମାନଙ୍କୁ ପ୍ରକୃତି ସହ ଯୋଡ଼ିହେବା ପାଇଁ ଉତ୍ସାହିତ କରିଥିଲେ। ପ୍ରାରମ୍ଭରେ ମହାବିଦ୍ୟାଳୟର ଏନ୍.ଏସ୍.ଏସ୍. (NSS) ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ସସ୍ମିତା କୁମାରୀ ନାଏକ ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ଦେଇଥିଲେ।
ଏହି ଅବସରରେ ମହାବିଦ୍ୟାଳୟର ଇକୋ-କ୍ଲବ୍ ଏବଂ ଛାତ୍ରୀମାନଙ୍କ ମିଳିତ ସହଯୋଗରେ କଲେଜ ପରିସରରେ ଏକ ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କଲେଜ କର୍ମଚାରୀ ତିକେଶ୍ୱର ସାହୁ ଏବଂ ଛାତ୍ରୀ ପଦ୍ମିନୀ ପଧାନ, ସୋନାଲି ଟପୋ, କୁମାରୀ କିଷାନ୍, ଜ୍ୟୋତିର୍ମୟୀ ଖଡ଼ିଆ, ବର୍ଷା କବାଟ, ବିନୋଦିନୀ ଦେହୁରୀ, ଲୁସି ରାଣୀ ଦେହୁରୀ, ସରିତା ବିଶ୍ୱାଳ, ବିଦେଶିନୀ ବାଘ୍ ପ୍ରମୁଖଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଉତ୍ସାହର ସହିତ ବିଭିନ୍ନ ଔଷଧୀୟ ଓ ଫଳନ୍ତି ଚାରା ରୋପଣ କରିଥିଲେ।
ନିଜ ନିଜ ଜନ୍ମଦିନରେ ଅନ୍ତତଃ ଗୋଟିଏ ଲେଖାଏଁ ଚାରା ରୋପଣ କରି ତାହାକୁ ଯତ୍ନର ସହ ବଞ୍ଚାଇ ରଖିବା ଏବଂ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଓ ସ୍ନେହ ପ୍ରଦର୍ଶନ କରିବା ପାଇଁ ମୁଖ୍ୟ ଅତିଥି ଶ୍ରୀ ନାୟକ ସମସ୍ତଙ୍କୁ ସଂକଳ୍ପ ପାଠ କରାଇଥିଲେ। କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ରେଡକ୍ରସ ଅଧିକାରୀ ଅଧ୍ୟାପକ ଦିଲ୍ଲୀପ କୁମାର ବେହେରା ସମସ୍ତଙ୍କୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories