ଅମଳ ବେଳକୁ ଅମଡ଼ା ମାଡ଼ିଲା ଚକଡ଼ା ଓ ପତ୍ରପୋଡ଼ା: ଜମନକିରାରେ ୧୮ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଧାନ ଚାଷ ବିପନ୍ନ
ଜମନକିରା: ସାରର ଉତ୍କଟ ସଙ୍କଟ, କଳାବଜାରୀ ଆଉ ପ୍ରକୃତିର ଲୁଚକାଳି ଖେଳ ଭିତରେ ରକ୍ତପାଣି କରି ଫସଲ ଛିଡ଼ା କରିଥିଲେ ଚାଷୀ। ମୁଣ୍ଡଝାଳ ତୁଣ୍ଡରେ ମାରି ପରିଶ୍ରମ କରିବା ପରେ ଖରିଫ୍ ଋତୁର ପ୍ରାରମ୍ଭିକ ଅନୁକୂଳ ବର୍ଷା ଯୋଗୁଁ କ୍ଷେତରେ ସବୁଜିମା ଲହଡ଼ି ଭାଙ୍ଗୁଥିଲା। ହେଲେ ଅମଳ ହାତପାଆନ୍ତାରେ ଥିବା ବେଳେ ଏବେ କାଳ ସାଜିଛି ଚକଡ଼ା (ମାଟିଆଗୁଣ୍ଡି) ଓ ପତ୍ରପୋଡ଼ା ରୋଗ। ରୋଗପୋକର ଅଣାୟତ୍ତ ଉପଦ୍ରବ ଯୋଗୁଁ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅଞ୍ଚଳରେ ଚାଷୀକୂଳ ସମ୍ପୂର୍ଣ୍ଣ ଦିଗହରା ହୋଇପଡ଼ିଛନ୍ତି।
ସରକାରୀ ଆକଳନ ଅନୁସାରେ, ଚଳିତ ବର୍ଷ ଜମନକିରା ବ୍ଲକରେ ପ୍ରାୟ ୧୮,୯୪୩ ହେକ୍ଟର ଜମିରେ ଧାନ ଚାଷ କରାଯାଇଛି। କିନ୍ତୁ ବର୍ତ୍ତମାନ ଏହି ବିସ୍ତୃତ କୃଷି ବଳୟ ଉପରେ ଚକଡ଼ାର କଳାବାଦଲ ଘୋଟିଯାଇଛି। ସବୁଜ ଧାନ କ୍ଷେତ ରାତାରାତି ମାଟିଆ ଓ ହଳଦିଆ ରଙ୍ଗ ପାଲଟି ପାଳ ଭଳି ଶୁଖି ଭୂଇଁରେ ଲୋଟୁଛି। ଫସଲ ବଞ୍ଚାଇବାକୁ ଚାଷୀ ବଜାରରୁ ଚଢ଼ା ଦରରେ ବିଭିନ୍ନ କୀଟନାଶକ କିଣି ବାରମ୍ବାର ସ୍ପ୍ରେ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଫଳରେ ଖୋଲା ବଜାରରେ ବିକ୍ରି ହେଉଥିବା ଔଷଧର ମାନ ଓ ଗୁଣବତ୍ତାକୁ ନେଇ ଗମ୍ଭୀର ସନ୍ଦେହ ଉପୁଜିଛି। ଅନ୍ୟପଟେ କୀଟନାଶକ ଉପରେ ସରକାରୀ ରିହାତି ପ୍ରତ୍ୟାହାର ହୋଇଯାଇଥିବାରୁ ଚାଷୀଙ୍କ ଆର୍ଥିକ ବୋଝ ଦିନକୁ ଦିନ ଅସମ୍ଭାଳ ହେଉଛି।
ଉଲ୍ଲେଖଯୋଗ୍ୟ ଯେ, ଏହି ବ୍ଲକର ପ୍ରାୟ ୯୦ ପ୍ରତିଶତ ପରିବାରର ଦୈନନ୍ଦିନ ଗୁଜୁରାଣ, ପିଲାଙ୍କ ପାଠପଢ଼ା ଏବଂ ପରିବାରର ଚିକିତ୍ସା ଖର୍ଚ୍ଚ କେବଳ ଧାନ ଫସଲର ଆୟ ଉପରେ ହିଁ ନିର୍ଭର କରେ। ଚାଷ ପାଇଁ ବ୍ୟାଙ୍କ ତଥା ଗ୍ରାମୀଣ ମହାଜନଙ୍କଠାରୁ ଚଢ଼ା ସୁଧରେ କରଜ ଆଣିଥିବା ଚାଷୀମାନେ ଏବେ ଉଜୁଡ଼ା କ୍ଷେତକୁ ଚାହିଁ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଅମଳ ନହେଲେ ଋଣ ସୁଝିବେ କିପରି, ସେହି ଚିନ୍ତା ସେମାନଙ୍କୁ କବଳିତ କରିଛି। ପରିସ୍ଥିତି ସଙ୍ଗିନ ହେବା ପୂର୍ବରୁ କୃଷି ବିଭାଗ ପକ୍ଷରୁ ପ୍ରଭାବିତ ଚାଷୀଙ୍କୁ ମାଗଣାରେ ପ୍ରଭାବୀ କୀଟନାଶକ, ବୈଷୟିକ ପରାମର୍ଶ ସହ ‘ଇନପୁଟ୍ ସବସିଡି’ ଯୋଗାଇ ଦେବା ପାଇଁ ସ୍ଥାନୀୟ ଚାଷୀ ସଂଗଠନ ଓ ବୁଦ୍ଧିଜୀବୀ ଦୃଢ଼ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ଜମନକିରା ବ୍ଲକ କୃଷି ଅଧିକାରିଣୀ (ବିଏଓ) କାଦମ୍ବିନୀ ଶତପଥୀଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ କହିଛନ୍ତି ଯେ, “ଫସଲର ସ୍ଥିତି ଓ ରୋଗପୋକ ସଂକ୍ରମଣର ଯାଞ୍ଚ ପାଇଁ ଆମର କ୍ଷେତ୍ରସ୍ତରୀୟ ଅଧିକାରୀମାନେ ନିୟୋଜିତ ଅଛନ୍ତି। କ୍ଷେତ୍ର ପରିଦର୍ଶନ ରିପୋର୍ଟ ଆସିବା ପରେ କ୍ଷୟକ୍ଷତିର ପରିମାଣ ଯାହା ବି ଥିବ, ସରକାରୀ ନିୟମ ଓ ବ୍ୟବସ୍ଥା ଅନୁସାରେ ତାହାର ସମାଧାନ କରାଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି କହିଥିଲେ।

