Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିକିଲିପଡ଼ା କନ୍ୟାଶ୍ରମରେ ମାଙ୍କଡ଼ଙ୍କ ଆତଙ୍କ: ଆକ୍ରମଣରେ ମାଟ୍ରନ ଓ ଛାତ୍ରୀ ଲହୁଲୁହାଣ, ଚିକିତ୍ସା ପରେ ଘରକୁ ଫେରିଲେ ଅନ୍ତେବାସୀ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଟିକିଲିପଡ଼ା କନ୍ୟାଶ୍ରମ ଏବଂ ସେବାଶ୍ରମ ବିଦ୍ୟାଳୟ ପରିସରରେ ମାଙ୍କଡ଼ଙ୍କ ଉପଦ୍ରବ ଏବେ ଭୟଙ୍କର ରୂପ ଧାରଣ କରିଛି। ଦୀର୍ଘ ଦେଢ଼ ମାସରୁ ଅଧିକ ଦିନ ହେବ ଏଭଳି ସମସ୍ୟା ଲାଗି ରହିଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନିଆଯାଇ ନ ଥିବାରୁ ଆଜି ମାଙ୍କଡ଼ମାନେ ଉତ୍ପାତ ମଚାଇ ଅନ୍ତେବାସୀଙ୍କୁ ଆକ୍ରମଣ କରିଛନ୍ତି। ଏହି ଅତର୍କିତ ଆକ୍ରମଣରେ କନ୍ୟାଶ୍ରମର ମାଟ୍ରନ ଏବଂ କେତେକ ଛାତ୍ରୀ ଗୁରୁତର ଆହତ ହୋଇ ଲହୁଲୁହାଣ ହୋଇ ପଡ଼ିଥିଲେ।
ଘଟଣାସ୍ଥଳରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ହଠାତ୍ ପଲ ପଲ ମାଙ୍କଡ଼ ଆଶ୍ରମ ପରିସରକୁ ପଶି ଆସି ଛାତ୍ରୀମାନଙ୍କୁ ଆକ୍ରମଣ କରିଥିଲେ। ଛାତ୍ରୀମାନଙ୍କୁ ବଞ୍ଚାଇବାକୁ ଯାଇ ମାଟ୍ରନ ଏବଂ କେତେକ ଛାତ୍ରୀ ମାଙ୍କଡ଼ଙ୍କ କାମୁଡ଼ା ଓ ଆଞ୍ଚୁଡ଼ାର ଶିକାର ହୋଇଥିଲେ। ସେମାନଙ୍କ ହାତ ଓ କାନ୍ଧରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଆବଶ୍ୟକ ଚିକିତ୍ସା କରାଯିବା ପରେ, ଭୟଭୀତ ଅବସ୍ଥାରେ ସେମାନେ ନିଜ ନିଜ ଘରକୁ ଚାଲିଯାଇଛନ୍ତି।
ଏ ସଂକ୍ରାନ୍ତରେ ବାମରା ଡିଏଫ୍‌ଓ ବିକ୍ରମଦେବ ପଟ୍ଟନାୟକଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ ପ୍ରକାଶ କରିଥିଲେ ଯେ, “ଖୁବ୍ ଶୀଘ୍ର ପ୍ରାଣୀ ଚିକିତ୍ସକମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯିବ ଏବଂ କନ୍ୟାଶ୍ରମ ପରିସରରୁ ମାଙ୍କଡ଼ମାନଙ୍କୁ ତଡ଼ିବା ପାଇଁ ତୁରନ୍ତ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯିବ।”
ତେବେ ଛାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ତଥା ବନ ବିଭାଗ ଅବିଳମ୍ବେ ଏହି ଉପଦ୍ରବୀ ମାଙ୍କଡ଼ଙ୍କୁ ସେଠାରୁ ଘଉଡ଼ାଇ କନ୍ୟାଶ୍ରମରେ ଶାନ୍ତିପୂର୍ଣ୍ଣ ପରିବେଶ ଫେରାଇ ଆଣିବାକୁ ଅଭିଭାବକ ଓ ସ୍ଥାନୀୟ ଅଞ୍ଚଳବାସୀ ଦୃଢ଼ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories