ଜମନକିରା ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବ କାର୍ଯ୍ୟକ୍ରମ’ ଓ ମିନି ମାରାଥନ୍ ଅନୁଷ୍ଠିତ
ଜମନକିରା : ସ୍ଥାନୀୟ ଜମନକିରା ଡିଗ୍ରୀ କଲେଜ ପରିସରରେ ଜାତୀୟ ସେବା ଯୋଜନା (NSS) ୟୁନିଟ୍ ଆନୁକୂଲ୍ୟରେ ‘ନିଶାମୁକ୍ତ ଯୁବ କାର୍ଯ୍ୟକ୍ରମ’ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଶାଦ୍ରବ୍ୟ ସେବନର ଭୟାବହ କୁପରିଣାମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଏକ ସୁସ୍ଥ ତଥା ନିଶାମୁକ୍ତ ସମାଜ ଗଠନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
କଲେଜର ଅଧ୍ୟକ୍ଷ ଅରୁଣ କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ବ୍ଲକ ଶିକ୍ଷା ଅଧିକାରୀ ଦେବକୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଅତିଥିଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ସୁଶ୍ରୀ ନାୟକ ଯୁବପିଢ଼ିଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ନିଶା ନିବାରଣ ଏକାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିବା ସହ ନିଶାମୁକ୍ତ ସମାଜ ଗଠନ ଦିଗରେ ଛାତ୍ରଛାତ୍ରୀଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଶିକ୍ଷା ବିଭାଗର ଅଧ୍ୟାପିକା ଅରୁଣା ମିଶ୍ର ଓ ମୁସାରଦ ଅନସାରୀ, ଇଂରାଜୀ ବିଭାଗର ପ୍ରଦୀପ କୁମାର ପଣ୍ଡା, ଓଡ଼ିଆ ବିଭାଗର ଡ.ତୃପ୍ତି ମିଶ୍ର ଓ ସାଇନା ଭୋଇ, ରାଜନୀତି ବିଜ୍ଞାନ ବିଭାଗର ସିଦ୍ଧାନ୍ତ ସାହୁ, ଇତିହାସ ବିଭାଗର ସୁରଥ ସାହୁ ଓ ମିନକେତନ ସାହୁ, ଉଦ୍ଭିଦ ବିଜ୍ଞାନ ବିଭାଗର ସୁପର୍ଣ୍ଣା ପଟ୍ଟନାୟକ, ପ୍ରାଣୀ ବିଜ୍ଞାନ ବିଭାଗର କୁଣ୍ଡଳୀ ମହାନନ୍ଦ, ରସାୟନ ବିଜ୍ଞାନ ବିଭାଗର ବର୍ଣ୍ଣାଳୀ ଦେହୁରୀ, ପଦାର୍ଥ ବିଜ୍ଞାନ ବିଭାଗର ସୁଲକ୍ଷଣା ପଟେଲ ଏବଂ ଗଣିତ ବିଭାଗର ଚେତନା ଗର୍ତ୍ତିଆ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।
ଏହି ଅବସରରେ କଲେଜ ପ୍ରବେଶ ଦ୍ୱାରରୁ ଏକ ସଚେତନତାଧର୍ମୀ ‘ମିନି ମାରାଥନ୍’ ଅନୁଷ୍ଠିତ ହୋଇଥିଲା। ହାତରେ ବ୍ୟାନର ଓ ପ୍ଲାକାର୍ଡ ଧରି ସ୍ୱେଚ୍ଛାସେବୀ ତଥା ଛାତ୍ରଛାତ୍ରୀମାନେ ନିଶା ନିବାରଣର ବାର୍ତ୍ତା ବାଣ୍ଟିଥିଲେ। ଏଥିସହ ନିଶା ସେବନର ଭୟାବହତା ଉପରେ ଏକ ନୁକ୍କଡ଼ ନାଟକ ପରିବେଷଣ କରାଯାଇ ସାଧାରଣ ଲୋକଙ୍କୁ ସଚେତନ କରାଯାଇଥିଲା।
ସମାଜକୁ ନିଶାମୁକ୍ତ କରିବା ପାଇଁ ଶିକ୍ଷାନୁଷ୍ଠାନ, ଶିକ୍ଷକ, ଅଭିଭାବକ ଏବଂ ଯୁବସମାଜର ମିଳିତ ଉଦ୍ୟମ ଅପରିହାର୍ଯ୍ୟ ବୋଲି ସଭାରେ ମତପ୍ରକାଶ ପାଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ NSS କାର୍ଯ୍ୟକ୍ରମ ଅଧିକାରୀ ମନମୋହନ ଜୟବିକାଶ ବାଘ ସଂଯୋଜନା ଓ ପରିଚାଳନା କରିଥିଲେ। “ନିଶାକୁ ନା, ଜୀବନକୁ ହଁ — ଆସନ୍ତୁ ଗଢ଼ିବା ଏକ ନିଶାମୁକ୍ତ ସମାଜ” ସ୍ଲୋଗାନ୍ ସହ କାର୍ଯ୍ୟକ୍ରମ ସାଙ୍ଗ ହୋଇଥିଲା।

