ନୂଆଦିଲ୍ଳୀ: ଭାରତୀୟ କ୍ରିକେଟ୍ ଦଳର ତାରକା ବ୍ୟାଟର ଶୁଭମନ ଗିଲ୍ ଇଂଲଣ୍ଡ ବିପକ୍ଷ ଜାରି ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶତକ ଅର୍ଜନ କରି କେବଳ ଫର୍ମକୁ ଫେରି ନାହାନ୍ତି ବରଂ ଭାରତକୁ ମଜବୁତ ସ୍ଥିତିରେ ପହଂଚାଇ ଦେଇଛନ୍ତି । ତାଙ୍କର ଶତକ ଦମରେ ଭାରତ ଇଂଲଣ୍ଡଠୁ ୩୫୦ରୁ ଅଧିକ ରନର ଅଗ୍ରଣୀ ହାସଲ କରି ସାରିଛି । ଗିଲଙ୍କ ଟେଷ୍ଟ କ୍ୟାରିୟରର ଏହା ୩ୟ ଶତକ ହୋଇଥିବା ବେଳେ ନମ୍ବର ୩ରେ ପ୍ରଥମ ଶତକ । ଯେବେଠୁ ଗିଲ୍ ଓପନିଂ ଛାଡି ନମ୍ବର ୩ରେ ବ୍ୟାଟିଂ କରୁଛନ୍ତି ତାଙ୍କ ବ୍ୟାଟରୁ ରନ ଶୁଖି ଯାଇଥିଲା । ହେଲେ ଗୁରୁତ୍ୱପୂର୍ଣ୍ଣ ସମୟରେ ସେ ଶତକ ହାସଲ କରି ବଡ ଇନିଂସ ଖେଳିଛନ୍ତି । ଗିଲ୍ ୧୨୯ ବଲରେ ୧୧ ଚୌକା ଓ ୨ ଛକା ସହ ୧୦୪ ରନ କରିଛନ୍ତି ।
ଘରୋଇ ମାଟିରେ କୌଣସି ଭାରତୀୟ ବ୍ୟାଟର ଦ୍ୱାରା ନମ୍ବର-୩ରେ ଏହି ଶତକ ସାତ ବର୍ଷ ପରେ ଆସିଛି । ଶେଷ ଥର ୨୦୧୭ରେ ଭାରତର କାନ୍ଥ କୁହାଯାଉଥିବା ଚେତେଶ୍ୱର ପୂଜାରା ନମ୍ବର-୩ରେ ଭାରତ ପକ୍ଷରୁ ଶତକ ହାସଲ କରିଥିଲେ । ଏହା ପରେ କୌଣସି ବ୍ୟାଟର ଏହି ନମ୍ବରରେ ଶତକ ଅର୍ଜନ କରି ନ ଥିଲେ । ଏହା ପରଠୁ ପୂଜାରା ନିଜେ ୨୨, ଶୁଭମନ ଗିଲ୍ ୫, ହନୁମା ବିହାରୀ ୩ ଓ କେଏଲ ରାହୁଲ-ଅଶ୍ୱିନ ୧-୧ ଇନିଂସ ଖେଳିଥିଲେ । ଗିଲ୍ ନିଜର ୫ମ ଇନିଂସରେ ଶତକ ହାସଲ କରି ଏହି ମରୁଡିର ଅନ୍ତ ଘଟାଇଛନ୍ତି ।
ଗିଲ୍ ଏହି ଶତକ ସହିତ ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କ ସ୍ୱତନ୍ତ୍ର କ୍ଲବରେ ସାମିଲ୍ ହୋଇଛନ୍ତି । ସେ ୨୫ ବର୍ଷରୁ କମ ବୟସରେ ୧୦ କିମ୍ବା ସେଥିରୁ ଅଧିକ ଅନ୍ତର୍ଜାତୀୟ ଶତକ ଲଗାଇବାରେ ୩ୟ ଭାରତୀୟ ବ୍ୟାଟର ହୋଇଛନ୍ତି । ସଚିନ ଏହି ସମୟ ବେଳକୁ ୩୦ ଶତକ ଓ କୋହଲି ୨୧ ଶତକ ହାସଲ କରି ସାରିଥିଲେ ।
୨୫ ବର୍ଷ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରେ ୧୦ କିମ୍ବା ଅଧିକ ଶତକ ହାସଲ କରିଥିବା ଭାରତୀୟ-
୩୦- ସଚିନ ତେନ୍ଦୁଲକର(୨୭୩ ଇନିଂସ)
୨୧- ବିରାଟ କୋହଲି(୧୬୩ ଇନିଂସ)
୧୦- ଶୁଭମନ ଗିଲ୍(୯୯ ଇନିଂସ)