ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଫେବୃଆରୀ ୨୩ରୁ ରାଂଚିରେ ଚତୁର୍ଥ ଟେଷ୍ଟ ଖେଳାଯିବ । ଏହି ମ୍ୟାଚରୁ ଦଳର ପ୍ରମୁଖ ବୋଲର ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇଛି । ଏବେ ତାଙ୍କ ସ୍ଥାନରେ କେଉଁ ବୋଲରଙ୍କୁ ସୁଯୋଗ ମିଳିବ ତାହା ସବୁଠୁ ବଡ ପ୍ରଶ୍ନ । କାରଣ ଦାବିଦାରଙ୍କ ତାଲିକା ବେଶ ଲମ୍ବା ରହିଛି । ପଂଚମ ଟେଷ୍ଟରେ ବୁମରା ଖେଳିବେ କି ନାହିଁ ତାହା ରାଂଚି ଟେଷ୍ଟର ଫଳାଫଳ ଉପରେ ନିର୍ଭର କରେ ।
ସୂଚନା ଅନୁଯାୟୀ, ଯଦି ଭାରତୀୟ ଦଳ ଚତୁର୍ଥ ଟେଷ୍ଟରେ ବିଜୟ ଲାଭ କରେ ତେବେ ପଂଚମ ଟେଷ୍ଟରେ ମଧ୍ୟ ବୁମରାଙ୍କୁ ବିଶ୍ରାମ ଦିଆଯିବ । ଯଦି ଫଳାଫଳ ବିପରୀତ ଆସେ ତେବେ ବୁମରାଙ୍କୁ ଧର୍ମଶାଳାରେ ହେବାକୁ ଥିବା ପଂଚମ ଟେଷ୍ଟରେ ଦଳରେ ସାମିଲ୍ କରାଯିବ । ବୁମରାଙ୍କ ବଦଳ ଖେଳାଳି ଭାବେ ମୁକେଶ କୁମାରଙ୍କୁ ଦଳରେ ସାମିଲ୍ କରି ନିଆଯାଇଛି । ତୃତୀୟ ଟେଷ୍ଟ ପୂର୍ବରୁ ମୁକେଶଙ୍କୁ ରଣଜୀ ପାଇଁ ଦଳରୁ ରିଲିଜ୍ କରାଯାଇଥିଲା । ଆଉ ସେ ପଶ୍ଚିମବଙ୍ଗ ପକ୍ଷରୁ ଖେଳି ଗୋଟିଏ ମ୍ୟାଚରେ ୧୦ଟି ୱିକେଟ୍ ହାସଲ କରିଛନ୍ତି ।
ଏହା ବାଦ୍ ଭାରତୀୟ ଏ ଦଳ ପାଇଁ ଦମଦାର ପ୍ରଦର୍ଶନ କରିଥିବା ଆକାଶ ଦୀପ ମଧ୍ୟ ନିଜର ପଦାର୍ପଣକୁ ଅପେକ୍ଷା କରି ରହିଛନ୍ତି । ଏମିତିରେ ରାଂଚିର ପିଚ ଟର୍ଣ୍ଣିଂ ଟ୍ରାକ ରହିପାରେ । ଏହି କାରଣରୁ ଭାରତୀୟ ଦଳରେ ଜଣେ ଦ୍ରୁତ ବୋଲଙ୍କୁ ସ୍ଥାନ ମିଳିପାରେ । ଯଦି ଏମିତି ହୁଏ ତେବେ ୱାଶିଂଟନ ସୁନ୍ଦର କିମ୍ବା ଅକ୍ଷର ପଟେଲ ଉଭୟଙ୍କ ମଧ୍ୟରୁ ଜଣଙ୍କୁ ବୁମରାଙ୍କ ସ୍ଥାନରେ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିପାରେ ।
ଏବେ ଦେଖିବାକୁ ବାକି ରହିଲା ଯେ, ଅଧିନାୟକ ରୋହିତ ଶର୍ମା ଯଶପ୍ରୀତ ବୁମରାଙ୍କ ସ୍ଥାନରେ କାହାକୁ ଚୂଡାନ୍ତ ଏକାଦଶରେ ସାମିଲ୍ କରୁଛନ୍ତି । କାରଣ ଦଳ ପାଖରେ ମୁକେଶ କୁମାର, ଆକାଶ ଦୀପ, ୱାଶିଂଟନ ସୁନ୍ଦର ଓ ଅକ୍ଷର ପଟେଲଙ୍କ ରୂପେ ଚାରି ବିକଳ୍ପ ରହିଛନ୍ତି ।