ଖୁସିର ଆସରରେ ଖେଳିଗଲା ବିଷାଦର ଛାୟା: ବିବାହ ଭୋଜି ପାଇଁ ପାଣି ଆଣିବାକୁ ଯାଇ ଚାଲିଗଲା ୩ ଜୀବନ !
ବଲାଙ୍ଗୀର,୨୮।୪: ନିମନ୍ତ୍ରିତ ଅଭ୍ୟାଗତଙ୍କ ପାଇଁ ଭୋଜିଭାତ ଚାଲିଥିଲା। ବିବାହ ଘରର ହସଖୁସିରେ ଗାଁ ଉଛୁଳି ପଡୁଥିଲା। ହେଲେ କିଏ ଜାଣିଥିଲା, ସେହି ଖୁସିର ମୁହୂର୍ତ୍ତ କିଛି ସମୟ ମଧ୍ୟରେ କାନ୍ଦବୋବାଳିରେ ପରିଣତ ହେବ? ବିବାହ ସମାରୋହ ପାଇଁ ପାଣି ପ୍ୟାକେଟ ଆଣିବାକୁ ଯାଇଥିବା ଏକ ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଦୁଇ ନାବାଳକଙ୍କ ସମେତ ୩ ଜଣଙ୍କ ଜୀବନ ଦୀପ ଅକାଳରେ ଲିଭିଯାଇଛି। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଅଧୀନ ମାରଲାର୍ଡ ବ୍ରିଜ୍ ନିକଟରେ ଆଜି ଏଭଳି ଏକ ଛାତିଥରା ଘଟଣା ଘଟିଯାଇଛି।
ସୂଚନା ଅନୁଯାୟୀ, ଟିଟିଲାଗଡ଼ ନିକଟସ୍ଥ ଲେସୁନବାହାଲି ଗ୍ରାମରେ ଆଜି ଏକ ବିବାହ ଉତ୍ସବ ଅନୁଷ୍ଠିତ ହେଉଥିଲା। ଅପରାହ୍ନ ପ୍ରାୟ ୧ଟା ସମୟରେ ଭୋଜି ଚାଲିଥିବା ବେଳେ ହଠାତ୍ ପାଣି ପ୍ୟାକେଟ୍ ସରିଯାଇଥିଲା। ଶତାଧିକ ଲୋକ ଖାଇବାକୁ ବାକି ଥିବାରୁ ଜରୁରୀକାଳୀନ ଭାବେ ପାଣି ଆଣିବା ପାଇଁ ଗ୍ରାମରୁ ଏକ ପିକ୍ଅପ୍ ଭ୍ୟାନ୍ ଟିଟିଲାଗଡ଼ ଅଭିମୁଖେ ବାହାରିଥିଲା। ସେହି ଗାଡ଼ିରେ କିଛି ଉତ୍ସାହୀ ପିଲା ମଧ୍ୟ ବସି ପଡ଼ିଥିଲେ।
ଗାଡ଼ିଟି ମାରଲାର୍ଡ ବ୍ରିଜ୍ ନିକଟରେ ପହଞ୍ଚିଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ବସିଥିଲା। ପ୍ରଥମେ ଏକ ବାଇକ୍ ଆରୋହୀଙ୍କୁ ଧକ୍କା ଦେବା ପରେ ପିକ୍ଅପ୍ ଭ୍ୟାନ୍ଟି ରାସ୍ତା ଉପରେ ଓଲଟି ପଡ଼ିଥିଲା। ଫଳରେ ଗାଡ଼ିରେ ଥିବା ସମସ୍ତେ ଗୁରୁତର ଭାବେ ଆହତ ହୋଇଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ସମସ୍ତଙ୍କୁ ଡାକ୍ତରଖାନା ପଠାଇଥିଲେ। ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ। ସେମାନେ ହେଲେ: ମୋସେସ ତାଣ୍ଡି (୧୪): ପିତା- ମୋହକ ତାଣ୍ଡି, କ୍ରିଷ୍ଣା ତାଣ୍ଡି (୧୪): ପିତା- କାଳିଆ ତାଣ୍ଡି, ବିକ୍ରମ ତାଣ୍ଡି (୨୫): ପିତା- ବନ ତାଣ୍ଡି ଏହି ଅଘଟଣରେ ଆହୁରି ୫ ଜଣ ଗୁରୁତର ହୋଇ ଏବେ ମଧ୍ୟ ଚିକିତ୍ସିତ ହେଉଛନ୍ତି। ଘଟଣା ବାବଦରେ ଖବର ପାଇ ଟିଟିଲାଗଡ ବିଧାୟକ ନବୀନ ଜୈନ୍ ସଂପୃକ୍ତ ଡାକ୍ତରଖାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଏବଂ ଘଟଣାରେ ଦୁଃଖ ପ୍ରକାଶ କରି ମୃତକ ଶିଶୁ ମାନଙ୍କ ଶୋକାକୁଳ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଏଥିସହ ସେ ଘଟଣା ବାବଦରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅବଗତ କରିଥିବା ଜଣାପଡିଛି ।
ସେହିପରି ଘଟଣା ବାବଦରେ ଜାଣି ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରି ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଏଥିସହ ମୃତକଙ୍କ ନିକଟତମ ଆତ୍ମୀୟ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି (CMRF) ରୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଥିବା ନେଇ ନିଜର X ଏକାଉଣ୍ଟ୍ ରେ ଜଣାଇଛନ୍ତି ।
ଲେସୁନବାହାଲି ଗ୍ରାମରେ ଯେଉଁଠି ମଙ୍ଗଳଧ୍ୱନି ଶୁଭୁଥିଲା, ସେଠାରେ ଏବେ କେବଳ କୋହଭରା କ୍ରନ୍ଦନ ଶୁଣିବାକୁ ମିଳିଛି । ଗୋଟିଏ ଗାଁରୁ ତିନୋଟି ଜୀବନ ଚାଲିଯିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଟିଟିଲାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।

