Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁରିବାହାଲରେ ହାତୀ ଉପଦ୍ରବ; ୫୦୦ରୁ ଅଧିକ କଦଳୀ ଗଛ ନଷ୍ଟ, ବିଭାଗୀୟ ଅବହେଳାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ।

ବଲାଙ୍ଗୀର,୨୮।୪: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ଚରମ ସୀମାରେ ପହଞ୍ଚିଛି। ଅଭିଯୋଗ ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଏକ ବଣୁଆ ହାତୀପଲ ମୁରିବାହାଲ ରେଞ୍ଜ ଗୁଡିଘାଟ ଫରେଷ୍ଟ ବିଟ୍ ଅନ୍ତର୍ଗତ ଯମୁନାବାହାଲ ଖରବାହାଲି ଗାଁର ଚାଷୀ ସୁରେନ୍ଦ୍ର ମନହିରାଙ୍କ କଦଳୀ ଚାଷ ଜମିରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି।
ସୁରେନ୍ଦ୍ରଙ୍କ ନିଜ ଘରକୁ ଲାଗି ଥିବା କଦଳୀ ବଗିଚାକୁ ହାତୀମାନେ ସମ୍ପୂର୍ଣ୍ଣ ଭାବେ ମାଡ଼ି ଦଳି ଚୁରମାର କରିଦେଇଛନ୍ତି। ସେ ପ୍ରାୟ ୧ ଏକର ଚାଷ ଜମିରେ ୧୦୦୦ ରୁ ଉର୍ଦ୍ଧ୍ବ କଦଳୀ ଗଛ ଲଗାଇ ଚାଷ କରିଥିବା ବେଳେ ହାତୀ ଉପଦ୍ରବ ଫଳରେ ଏଥିରୁ ପ୍ରାୟ ୫୦୦ରୁ ଅଧିକ କଦଳୀ ଗଛ ନଷ୍ଟ ହୋଇଯାଇଛି । ଯାହା ସୁରେନ୍ଦ୍ରଙ୍କ ବର୍ଷକର ପରିଶ୍ରମ ଓ ପୁଞ୍ଜି ଏବେ ମାଟିରେ ମିଶିଯାଇଛି।
ସବୁଠାରୁ ଦୁଃଖଦାୟକ ବିଷୟ ହେଉଛି ସ୍ଥାନୀୟ ବନ ବିଭାଗ ଅଧିକାରୀଙ୍କ ଆଭିମୁଖ୍ୟ। କ୍ଷତିଗ୍ରସ୍ତ ଚାଷୀ ସୁରେନ୍ଦ୍ରଙ୍କ କହିବା ଅନୁଯାୟୀ, ହାତୀ ଉପଦ୍ରବ ପରେ ସେ ସ୍ଥାନୀୟ ଗୁଡିଘାଟ ଫରେଷ୍ଟରଙ୍କୁ ଯୋଗାଯୋଗ କରିଥିଲେ। ମାତ୍ର ବନ ବିଭାଗ ଅଧିକାରୀ ଜଣକ ଚାଷୀଙ୍କ ଗୁହାରି ଶୁଣିବା ତ ଦୂରର କଥା, ଘଟଣାକୁ ସମ୍ପୂର୍ଣ୍ଣ ଅଣଦେଖା କରି କର୍ଣ୍ଣପାତ ମଧ୍ୟ କରିନଥିବା ଅଭିଯୋଗ ହୋଇଛି । ବିଭାଗୀୟ ଅଧିକାରୀଙ୍କ ଏଭଳି ଦାୟିତ୍ୱହୀନତାକୁ ନେଇ କ୍ଷତିଗ୍ରସ୍ତ ଚାଷୀ ସୁରେନ୍ଦ୍ରଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଧାର କରଜ କରି ଚାଷ କରିଥିବା ଚାଷୀ ସୁରେନ୍ଦ୍ର ଏବେ ସର୍ବସ୍ୱ ହରାଇ ଚିନ୍ତାରେ ପଡ଼ିଛନ୍ତି। ଅନ୍ୟପକ୍ଷରେ ହାତୀ ଆତଙ୍କରେ ଅଞ୍ଚଳବାସୀ ଭୟଭୀତ ଥିବାବେଳେ, ବନ ବିଭାଗର ନିଷ୍କ୍ରିୟତା ଚାଷୀଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି। ସ୍ଥାନୀୟ ଅଞ୍ଚଳବାସୀ ଓ କ୍ଷତିଗ୍ରସ୍ତ ଚାଷୀ ସୁରେନ୍ଦ୍ର ଏହି ଘଟଣାର ତୁରନ୍ତ ତଦନ୍ତ ସହ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି।
ଏନେଇ ଗୁଡିଘାଟ ପରେଷ୍ଟର ଜୟକୃଷ୍ଣ ଭୋଇଙ୍କୁ ଯୋଗାଯୋଗ କରିଥିବା ବେଳେ ସେ ଫୋନ୍ କଲ୍ ଗ୍ରହଣ କରିନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ସେହିପରି ମୁରିବାହାଲ ରେଞ୍ଜର ପି. କୁମ୍ଭାର ମଧ୍ୟ କଲ୍ ଗ୍ରହଣ କରିନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ପ୍ରଶ୍ନ ଉଠୁଛି:- ଚାଷୀଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ବନ ବିଭାଗ କାହିଁକି ସଙ୍କଟ ସମୟରେ ଚୁପ୍ ରହୁଛି?
ଘଟଣାକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତି ସାରିଥିଲେ ମଧ୍ୟ ଦାୟିତ୍ୱରେ ଥିବା ସ୍ଥାନୀୟ ବନବିଭାଗ ଅଧିକାରୀଙ୍କ ପକ୍ଷରୁ କାହିଁକି କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ ?
କ୍ଷତିଗ୍ରସ୍ତ ଚାଷୀ ସୁରେନ୍ଦ୍ରଙ୍କୁ କେବେ ମିଳିବ ତାଙ୍କ କ୍ଷତିଗ୍ରସ୍ତ କଦଳୀ ଚାଷର ଉପଯୁକ୍ତ କ୍ଷତିପୂରଣ?

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories