ସିନ୍ଧେକେଲା -ଚାନ୍ଦୋତରା ଉଁନ୍ଦେର ନଦୀରୁ ବେଆଇନ୍ ବାଲି ଚୋରାଚାଲାଣ ଘଟଣା ! ବାଲି ମାଫିଆଙ୍କୁ ଖସାଇ ଦେବାକୁ ‘ଗଳାବାଟ’ ଖୋଜୁଛି କି ପ୍ରଶାସନ ।
ବଲାଙ୍ଗୀର,୨୯।୪: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ତହସିଲ ଅନ୍ତର୍ଗତ ସିନ୍ଧେକେଲା-ଚାନ୍ଦୋତରା ଉଁନ୍ଦେର ନଦୀ ଏବେ ବାଲି ମାଫିଆଙ୍କ ଚାରଣଭୂମି ପାଲଟିଛି। ନଦୀର ସ୍ୱାଭାବିକ ଗତିପଥକୁ ଅବରୋଧ କରି ନଦୀ ଗର୍ଭରେ ମୋରମ ପକାଇ ବେଆଇନ୍ ରାସ୍ତା ନିର୍ମାଣ କରାଯାଇଛି।
ବିନା ଲିଜ୍ ରେ ଏବଂ ବିନା କୌଣସି ବୈଧ କାଗଜପତ୍ରରେ ବଙ୍ଗୋମୁଣ୍ଡାର ବାଲି ମାଫିଆ ଚାନ୍ଦ ଅଗ୍ରୱାଲ ଦୈନିକ ଶହ ଶହ ଟ୍ରିପ୍ ବାଲି ହାଇୱା ଏବଂ ଜେସିବି ଯୋଗେ ଚୋରାଚାଲାଣ କରୁଥିବା ନେଇ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରୁଥିବା ବେଳେ ପ୍ରଶାସନ କାହିଁକି ‘କୁମ୍ଭକର୍ଣ୍ଣ’ ନିଦ୍ରାରେ, ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପରିବେଶ ଓ ନଦୀର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ସମସ୍ତ ନିୟମକୁ ଜଳାଞ୍ଜଳି ଦେଇ ନଦୀ ବୁକୁରେ ମାଡ଼ି ଚାଲିଛି ମାଫିଆର ଗାଡ଼ି। ନଦୀ ମଧ୍ୟରେ ମୋରୁମ୍ ରାସ୍ତା ତିଆରି କରିବା ସମ୍ପୂର୍ଣ୍ଣ ବେଆଇନ୍ ହୋଇଥିଲେ ସୁଦ୍ଧା, ଚାନ୍ଦ ଅଗ୍ରୱାଲ କାହା ବଳରେ ଏହି ଦୁଃସାହସ କରିଛନ୍ତି? ପ୍ରଶାସନର ନାକ ତଳେ ରାଜସ୍ୱ ଲୁଟ୍ ହେଉଛି, ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ନହେବା ପଛରେ କୌଣସି ବଡ଼ ଧରଣର ମଧୁଚନ୍ଦ୍ରିକା ରହିଛି କି?
ଏହି ଘଟଣା ସମ୍ପର୍କରେ ପୂର୍ବରୁ ଅନେକ ଥର ତଥ୍ୟ ଭିତ୍ତିକ ଖବର ପ୍ରସାରଣ କରାଯାଇଛି। ସ୍ଥାନୀୟ ତହସିଲଦାର, ପୋଲିସ୍ ଏବଂ ଜିଲ୍ଲା ଖଣି ବିଭାଗକୁ ଏ ବାବଦରେ ସୂଚନା ଥିଲେ ସୁଦ୍ଧା ସମସ୍ତେ ହାତବାନ୍ଧି ବସିଛନ୍ତି। ଯଦି ଜଣେ ବ୍ୟକ୍ତି ସର୍ବସାଧାରଣ ସମ୍ପତ୍ତି ଓ ପ୍ରାକୃତିକ ସମ୍ପଦର ଏଭଳି ବିନାଶ କରୁଛି, ତେବେ ପ୍ରଶାସନ ନିଜ ଆଡୁ ମାମଲା ରୁଜୁ କରିବାରେ ଅସୁବିଧା କେଉଁଠି?
ଏନେଇ ଲଗାତାର ଖବର ପ୍ରକାଶ ପାଇବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆନଯିବା ଦର୍ଶାଉଛି ଯେ, ବାଲି ମାଫିଆଙ୍କୁ ଖସାଇ ଦେବା ପାଇଁ ପ୍ରଶାସନର ହୁଏତ ଭିତରେ ଭିତରେ ‘ଗଳାବାଟ’ ଖୋଜା ଚାଲିଛି।
ପ୍ରଶ୍ନ ଉଠୁଛି:- କାର୍ଯ୍ୟାନୁଷ୍ଠାନ ହେବ ନା ମାଫିଆର ପ୍ରଭାବ ଆଗରେ ପ୍ରଶାସନ ନଇଁଯିବ?
କେବେ ଜବତ ହେବ ନଦୀରେ ବେଆଇନ୍ ରାସ୍ତା ନିର୍ମାଣରେ ବ୍ୟବହୃତ ଗାଡ଼ି ଏବଂ ମୁଖ୍ୟ ଅଭିଯୁକ୍ତ?
ଅଭିଯୋଗକୁ ନେଇ ଚାନ୍ଦ ଅଗ୍ରୱାଲ ନିଜେ ସଂପୃକ୍ତ ନଦୀରୁ ବାଲି ନେଉଥିବା କଥା ସ୍ବୀକାର କରିଥିବା ବେଳେ ସେ ଏନେଇ ବଲାଙ୍ଗୀର ଖଣି ବିଭାଗକୁ ରଏଲ୍ଟି (Royalty) ଦେଉଥିବା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।
ଅନ୍ୟପକ୍ଷରେ ଏନେଇ ବଲାଙ୍ଗୀର ଖଣି ବିଭାଗ ଅଧିକାରୀ ଚନ୍ଦ୍ରକାନ୍ତ ମହନ୍ତ ଙ୍କୁ ପଚାରିବାରୁ ଚାନ୍ଦ ଅଗ୍ରୱାଲଙ୍କ କୌଣସି ବୈଧ କାଗଜ ପତ୍ର ନଥିବା ସେ କହିଛନ୍ତି ।
ତେବେ ଉଁନ୍ଦେର ନଦୀର ଅସ୍ତିତ୍ୱ ଏବଂ ସରକାରୀ ରାଜସ୍ୱ ବଞ୍ଚାଇବା ପାଇଁ ବଲାଙ୍ଗୀର ଜିଲ୍ଲାପାଳ ଏଥିରେ ତୁରନ୍ତ ହସ୍ତକ୍ଷେପ କରିବେ ବୋଲି ସ୍ଥାନୀୟ ଜନସାଧାରଣ ଆଶା ପ୍ରକଟ କରିଛନ୍ତି।

