ମୁରିବାହାଲ: ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ, ବିବାହିତ ଯୁବକ ଗିରଫ ।
ବଲାଙ୍ଗୀର,୨୮।୪: ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ୧୫ ବର୍ଷୀୟା ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ସାଲେପଡ଼ା ଗ୍ରାମର ଶ୍ରୀକାନ୍ତ ବନଛୋର (୨୪)।
ସୂଚନା ଅନୁଯାୟୀ, ଗତ ଏପ୍ରିଲ ୨୪ ତାରିଖ ସକାଳେ ଚଣାବାହାଲ ପଞ୍ଚାୟତ ଅଞ୍ଚଳର ଜଣେ ନାବାଳିକା କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ନିରାଶ ହୋଇ ପ୍ରଥମେ ସ୍ଥାନୀୟ ଥାନାରେ ଏକ ନିଖୋଜ ଏତଲା ଦେଇଥିଲେ। ପରବର୍ତ୍ତୀ ସମୟରେ, ଶ୍ରୀକାନ୍ତ ନାମକ ଯୁବକ ନାବାଳିକାକୁ ଅପହରଣ କରିଥିବା ଜଣାପଡ଼ିବା ପରେ ପରିବାର ପକ୍ଷରୁ ପୁନର୍ବାର ଏନେଇ ଅପହରଣ ଅଭିଯୋଗ କରାଯାଇଥିଲା।
ଅଭିଯୋଗ ପାଇବା ପରେ ମୁରିବାହାଲ ପୋଲିସ ତତ୍ପରତା ପ୍ରକାଶ କରି ନାବାଳିକା ଓ ଶ୍ରୀକାନ୍ତଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା। ତେବେ ଶ୍ରୀକାନ୍ତ ତାଙ୍କୁ ଜୋରଜବରଦସ୍ତ ଅପହରଣ କରି ଜଙ୍ଗଲ ମଧ୍ୟରେ ତାଙ୍କ ଇଚ୍ଛା ବିରୁଦ୍ଧରେ ଦୁଷ୍କର୍ମ କରିଥିବା ନେଇ ନାବାଳିକା ଜଣକ ପୋଲିସ ନିକଟରେ ବୟାନ ଦେଇଥିଲେ।
ପୋଲିସ ଏହି ଘଟଣାରେ ୧୬୪ ବୟାନ ରେକର୍ଡ କରିବା ସହ କେଶ ନମ୍ବର ୮୦/୨୬ ଅନୁଯାୟୀ ପୋକସୋ (POCSO) ମାମଲା ରୁଜୁ କରିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଶ୍ରୀକାନ୍ତ ପୂର୍ବରୁ ବିବାହିତ ଏବଂ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି।
ଉଭୟଙ୍କ ଡାକ୍ତରୀ ମାଇନା ଶେଷ ହେବା ପରେ ଅଭିଯୁକ୍ତକୁ ବଲାଙ୍ଗିର ପୋକସୋ କୋର୍ଟକୁ ଚାଲାଣ କରାଯାଇଛି। ଏ ସମ୍ପର୍କରେ ତଦନ୍ତକାରୀ ଅଧିକାରୀ ତଥା ମୁରିବାହାଲ ଥାନାର ଭାରପ୍ରାପ୍ତ ଆଇଆଇସି ଅଭୟ କୁମାର ପ୍ରଧାନ ସବିଶେଷ ସୂଚନା ପ୍ରଦାନ କରିଛନ୍ତି।

