Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗୀର: ଭଡ଼ା ଘରୁ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ଗୁଡ଼ଭେଳା ଅଞ୍ଚଳରେ ଚାଞ୍ଚଲ୍ୟ ।

ବଲାଙ୍ଗୀର,୨୯।୪: ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଗୁଡ଼ଭେଳା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଯୁବ ଯନ୍ତ୍ରୀଙ୍କ ମୃତଦେହ ତାଙ୍କ ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ ଜଣକ ହେଲେ ଯାଜପୁର ଅଞ୍ଚଳର ପ୍ରବୀର ବେହେରା। ସେ ସ୍ଥାନୀୟ ଅଞ୍ଚଳରେ ଏଲ ଏଣ୍ଡ ଟି (L&T) କମ୍ପାନୀରେ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ।
ସୂଚନା ଅନୁଯାୟୀ, ପ୍ରବୀର ଗୁଡ଼ଭେଳାଠାରେ ଏକ ଭଡ଼ା ଘରେ ରହି କମ୍ପାନୀର କାର୍ଯ୍ୟ କରୁଥିଲେ। ଆଜି ବହୁ ସମୟ ପର୍ଯ୍ୟନ୍ତ ଘରର କବାଟ ନଖୋଲିବାରୁ ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା। ପରେ ଘର ଭିତରେ ପ୍ରବୀରଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ତୁରନ୍ତ ଏ ନେଇ ପୋଲିସକୁ ଖବର ଦିଆଯାଇଥିଲା ।
ଖବର ପାଇ ତୁଷୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏହା ଆତ୍ମହତ୍ୟା ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି, ସେ ନେଇ ପୋଲିସ ବିଭିନ୍ନ ଦିଗରୁ ଯାଞ୍ଚ କରୁଛି। ଘଟଣାସ୍ଥଳରୁ କୌଣସି ସୁଇସାଇଡ୍ ନୋଟ୍ ମିଳିଛି କି ନାହିଁ, ସେ ନେଇ ପୋଲିସ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିପାରିନାହିଁ।
ଜଣେ କର୍ତ୍ତବ୍ୟରତ ଯୁବ ଯନ୍ତ୍ରୀଙ୍କ ଏଭଳି ଅକାଳ ବିୟୋଗରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପ୍ରବୀରଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ସେମାନେ ପହଞ୍ଚିବା ପରେ ମୃତ୍ୟୁର ପ୍ରକୃତ କାରଣ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରେ ବୋଲି ଅନୁମାନ କରାଯାଉଛି। କମ୍ପାନୀର ସହକର୍ମୀମାନେ ମଧ୍ୟ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories