Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଁନ୍ଦେର ନଦୀରୁ ବେଆଇନ୍ ବାଲି ଲୁଟ୍ ଘଟଣା; ପ୍ରଶାସନର ଆଭିମୁଖ୍ୟ ଉପରେ ପ୍ରଶ୍ନବାଚୀ ? ?

ବଲାଙ୍ଗୀର,୩୦।୪: ସିନ୍ଧେକେଲା-ଚାନ୍ଦୋତରା ଉଁନ୍ଦେର ନଦୀରେ ଚାଲିଥିବା ବେଆଇନ୍ ବାଲି ମାଫିଆଙ୍କ ବିରୁଦ୍ଧରେ ପ୍ରଶାସନର “ଆଇୱାଶ୍” କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗଣମାଧ୍ୟମରେ ଲଗାତାର ଖବର ପ୍ରସାରଣ ପରେ ଗତକାଲି ବଲାଙ୍ଗୀର ଖଣି ବିଭାଗ ଓ ସିନ୍ଧେକେଲା ପୋଲିସ ମିଳିତ ଭାବେ ନଦୀ ଗର୍ଭରୁ ବାଲି ମାଫିଆ ତିଆରି କରିଥିବା ବେଆଇନ୍ ରାସ୍ତା କାଟି ଦେଇଥିଲେ ସତ କିନ୍ତୁ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ନ କରିବା ଏବଂ ବ୍ୟବହୃତ ଯନ୍ତ୍ରପାତି ଜବତ ନ କରିବା ପ୍ରଶାସନର ଆଭିମୁଖ୍ୟ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖିବାକୁ ବଙ୍ଗୋମୁଣ୍ଡା ତହସିଲଦାର ଜ୍ୟୋତ୍ସ୍ନା ମାଝୀ ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିବା ବେଳେ ସେ ଫୋନ୍ କଲ୍ ଉଠାଇ ନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ବଲାଙ୍ଗୀର ଖଣି ଅଧିକାରୀ ଚନ୍ଦ୍ରକାନ୍ତ ମହନ୍ତଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ ଏହାପରେ ଯଦି ପୁଣି ସେଠାରେ କିଛି ଏକ୍ଟିଭିଟି କଣ ହେଉଛି ତା’ହେଲେ ଆମକୁ ନିଜ ତରଫରୁ ମାମଲା ରୁଜୁ କରିବାକୁ ପଡିବ, ଆମେ ମିଡ଼ିଆ ବେଶିକ୍ ରେ କଣ ମାମଲା ରୁଜୁ କରିପାରିବୁ ବୋଲି ଓଲଟା ପ୍ରଶ୍ନ କରିବା ସହ ଆମକୁ ଅନ୍ ସ୍ପଟ୍ ଏଭିଡିଏନ୍ସ କିଛି ମିଲିଲା ତା’ହେଲେ ଆମେ ମାମଲା ରୁଜୁ କରିବୁ କି କଣ ସରକାରୀ ନିୟମ ହିସାବରେ ଯାହା ପଦକ୍ଷେପ ନେବା କଥା ନେବୁ ବୋଲି କହିଛନ୍ତି । ବିନା ଲିଜ୍ ରେ ବାଲି ଚୋରାଚଲାଣ ଅଭିଯୋଗକୁ ନେଇ ଚାନ୍ଦ ଅଗ୍ରୱାଲ ରୟେଲ୍ଟୀ ଦେଇ ବାଲି ନେଉଥିବା କଥାକୁ ନିଜେ ସ୍ବୀକାର କରୁଥିବା ବେଳେ ଜିଲ୍ଲା ଖଣି ଅଧିକାରୀ ମଧ୍ୟ ଏହି ରୟେଲ୍ଟୀ ଟଙ୍କା ଓଡ଼ିଶା ଟ୍ରାଜେରୀକୁ ଦିଆଯାଇଥିବା କଥା କହିଛନ୍ତି । ହେଲେ ବିନା ଲିଜ୍ ତଥା ବିନା କୌଣସି ବୈଧ କାଗଜ ପତ୍ରରେ ଚାନ୍ଦ ଅଗ୍ରୱାଲ କିଭଲି କାହାକୁ ରୟିଲ୍ଟୀ ଦେଇ ବାଲି ଉଠାଉଥିଲେ ଏବଂ ବାଲି ଉଠାଇବା ଘଟଣାକୁ ଚାନ୍ଦ ଅଗ୍ରୱାଲ ସ୍ବୀକାର କରୁଥିବା ବେଳେ ଜିଲ୍ଲା ଖଣି ଅଧିକାରୀଙ୍କ ପାଇଁ ଏହା ଏଭିଡିଏନ୍ସ ନୁହେଁ କି ? ରାସ୍ତା କାଟିଦେଲେ ବାଲି ଚୋରି ବନ୍ଦ ହେବ କି ? ରାସ୍ତା କାଟିବା ଏକ ସାମୟିକ ସମାଧାନ କିନ୍ତୁ ଅଭିଯୁକ୍ତଙ୍କୁ ଦଣ୍ଡ ନମିଳିବା ପର୍ଯ୍ୟନ୍ତ ଏହି ଲୁଟ୍ ପୁଣିଥରେ ଆରମ୍ଭ ହେବାର ସମ୍ଭାବନା ରହିଛି।
ଯନ୍ତ୍ରପାତି ଜବତ କାହିଁକି ହେଲାନି? ଯଦି ଖଣି ଅଧିକାରୀ ମାନୁଛନ୍ତି ଯେ କୌଣସି ବୈଧ କାଗଜପତ୍ର ନାହିଁ, ତେବେ ଘଟଣାସ୍ଥଳରୁ ଏଥିରେ ବ୍ୟବହୃତ ଜେସିବି ଓ ଟ୍ରକ ଗୁଡ଼ିକୁ କାହିଁକି ଜବତ କରାଗଲା ନାହିଁ?
ନଦୀର ଗତିପଥ ଅବରୋଧ କରିବା ଏକ ସଙ୍ଗୀନ ଅପରାଧ। ଏଥିପାଇଁ କେତେ ଜୋରିମାନା ଆଦାୟ କରାଯାଇଛି, ସେନେଇ ଖଣି ବିଭାଗ ପାଖରେ କିଛି ତଥ୍ୟ ଅଛି କି ? ଯଦି ଅଛି ତା’ହେଲେ ସେ ତଥ୍ୟ ଜିଲ୍ଲା ଖଣି ଅଧିକାରୀ ଙ୍କ ପାଇଁ ଏଭିଡିଏନ୍ସ ନୁହେଁ କି ? ଏହି ଘଟଣାରେ ଜିଲ୍ଲା ଖଣି ଅଧିକାରୀଙ୍କ ସବୁକିଛି ଜାଣିଶୁଣି ନୀରବ ରହିବା “ଅଦୃଶ୍ୟ ସଲାସୁତୁରା” ର ସନ୍ଦେହକୁ ଦୃଢ଼ୀଭୂତ କରୁଛି। ସେହିପରି ଖୋଦ୍ ଅଭିଯୁକ୍ତ ଚାନ୍ଦ ଅଗ୍ରୱାଲ ବାଲି ଉଠାଉଥିବା କଥା ସ୍ୱୀକାର କରିବା ପରେ ମଧ୍ୟ ସିନ୍ଧେକେଲା ପୋଲିସ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଗିରଫ କରୁନାହିଁ କାହିଁକି ?
ସ୍ଥାନୀୟ ଜନସାଧାରଣଙ୍କ ମତରେ, ତଳ ସ୍ତରର ଅଧିକାରୀମାନେ ବାଲି ମାଫିଆଙ୍କ ପ୍ରଭାବରେ ରହିଥିବା ପରି ମନେ ହେଉଛି। ତେଣୁ ବଲାଙ୍ଗୀର ଜିଲ୍ଲାପାଳ ଏହି ଘଟଣାରେ ସିଧାସଳଖ ହସ୍ତକ୍ଷେପ କରିବା ଦରକାର। ବେଆଇନ୍ ରାଜସ୍ୱ ଲୁଟ୍ ଓ ପରିବେଶ ବିନାଶ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ତୁରନ୍ତ ଫୌଜଦାରୀ ମାମଲା ରୁଜୁ କରିବାକୁ ଦାବି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories