Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିସିସି ସଂଗଠନ ପ୍ରଭାରୀ ଭାବେ ଦାୟିତ୍ୱ ନେଲେ ସନ୍ତୋଷ ସିଂ ସାଲୁଜା ।

ବଲାଙ୍ଗୀର,୩।୫: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି)କୁ ତୃଣମୂଳ ସ୍ତରରୁ ଅଧିକ ଶକ୍ତିଶାଳୀ ଓ କ୍ରିୟାଶୀଳ କରିବା ପାଇଁ ଦଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ତଥା ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ସନ୍ତୋଷ ସିଂ ସାଲୁଜାଙ୍କୁ ‘ପିସିସି ସଂଗଠନ ପ୍ରଭାରୀ’ ଭାବେ ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି।
ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀ ସାଲୁଜାଙ୍କୁ ଏହି ଦାୟିତ୍ୱ ମିଳିଥିବା ବେଳେ, ଏହା ଦଳ ପାଇଁ ଏକ ନୂଆ ଆଶା ସଞ୍ଚାର କରିଛି। ନିଜର ସ୍ପଷ୍ଟବାଦୀ ଆଭିମୁଖ୍ୟ ଏବଂ ସାଂଗଠନିକ ଦକ୍ଷତା ପାଇଁ ଜଣାଶୁଣା ଶ୍ରୀ ସାଲୁଜା ଏବେ ରାଜ୍ୟରେ କଂଗ୍ରେସର ଗଣିତ ବଦଳାଇବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ସମେତ ୨୦୨୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳକୁ ୱାର୍ଡ ଓ ପଞ୍ଚାୟତ ସ୍ତରରୁ ସୁଦୃଢ଼ କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ରହିବ।
ଏହି ନିଯୁକ୍ତି ପରେ ରାଜ୍ୟବ୍ୟାପୀ କଂଗ୍ରେସ କର୍ମୀ ଓ ଶୁଭେଚ୍ଛୁଙ୍କ ମଧ୍ୟରେ ନୂଆ ଉତ୍ସାହ ଦେଖିବାକୁ ମିଳିଛି। ଶ୍ରୀ ସାଲୁଜାଙ୍କ ଭଳି ଜଣେ ଅଭିଜ୍ଞ ନେତା ସଂଗଠନ ମଙ୍ଗ ଧରିବା ଦ୍ୱାରା ଦଳୀୟ କନ୍ଦଳ ଦୂର ହେବା ସହ କର୍ମୀମାନେ ନୂଆ ପ୍ରେରଣା ପାଇବେ ବୋଲି ଆଶା କରାଯାଉଛି।
ନୂଆ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ସାଲୁଜା କହିଛନ୍ତି, “ପିସିସି ସଭାପତିଙ୍କ ନେତୃତ୍ୱରେ ଆମେ ଓଡ଼ିଶାର ସମସ୍ତ ଜିଲ୍ଲାରେ ସଂଗଠନକୁ ନୂଆ ରୂପ ଦେବୁ। ତୃଣମୂଳ ସ୍ତରରୁ ଦଳକୁ ମଜବୁତ କରିବା ସହ ଆଗାମୀ ଦିନରେ କଂଗ୍ରେସ କିପରି ଏକ ବିଜୟୀ ଶକ୍ତି ଭାବେ ଉଭା ହେବ, ସେଥିପାଇଁ ଆମେ ସଂକଳ୍ପବଦ୍ଧ।”
ଏହି ନୂତନ ନିଯୁକ୍ତି ରାଜ୍ୟ ରାଜନୀତିରେ କଂଗ୍ରେସର ସ୍ଥିତିକୁ କେତେ ସୁଦୃଢ଼ କରୁଛି, ତାହା ଆଗାମୀ ସମୟ କହିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ