କାଜୁ ବଗିଚାରୁ ଦନ୍ତା ହାତୀର ମୃତଦେହ ଠାବ ଘଟଣା ! ଆସିଲା ପ୍ରାରମ୍ଭିକ ପର୍ଯ୍ୟାୟ ପୋଷ୍ଟ ମର୍ଟମ୍ ରିପୋର୍ଟ, ବନ ଓ ବିଦ୍ୟୁତ୍ ବିଭାଗର ଅବହେଳାକୁ ନେଇ ବଢୁଛି ଅସନ୍ତୋଷ ।
ବଲାଙ୍ଗୀର,୪।୫: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ ଅନ୍ତର୍ଗତ ଗୁଡିଘାଟ ଫରେଷ୍ଟ ବିଟ୍ରେ ଗତ ୩୦ ତାରିଖରେ ଘଟିଥିବା ଦନ୍ତା ହାତୀ ମୃତ୍ୟୁ ଘଟଣା। ଏହି ଦିନ ଚାନୁଟ୍ ମାଲ ଗ୍ରାମର ସଞ୍ଜୀବ ପୁଟେଲଙ୍କ କାଜୁ ବଗିଚାରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ବନ ବିଭାଗ ଓ ବିଦ୍ୟୁତ୍ ବିଭାଗ ମଧ୍ୟରେ ଦୋଷ ଲଦାଲଦି ଚାଲିଥିବା ବେଳେ, ବର୍ତ୍ତମାନ ଶବ ବ୍ୟବଚ୍ଛେଦ (ପୋଷ୍ଟମର୍ଟମ୍) ରିପୋର୍ଟ ସବୁ ଚିତ୍ର ସ୍ପଷ୍ଟ କରିଦେଇଛି। ବିଶ୍ଵସ୍ତ ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଦ୍ୟୁତ୍ ସଂସ୍ପର୍ଶରେ ଆସିବା ଯୋଗୁଁ ହିଁ ଦନ୍ତାର ମୃତ୍ୟୁ ଘଟିଥିବା ନେଇ ପ୍ରାରମ୍ଭିକ ପର୍ଯ୍ୟାୟରେ ଆସିଥିବା ଶବ ବ୍ୟବଚ୍ଛେଦ (ପୋଷ୍ଟମର୍ଟମ୍) ରିପୋର୍ଟରେ ଦର୍ଶାଯାଇଛି।
ଗତ ଅପ୍ରେଲ ୩୦ ତାରିଖ ଗୁରୁବାର ସକାଳେ ସ୍ଥାନୀୟ ଲୋକେ କାଜୁ ବଗିଚାରେ ହାତୀଟି ପଡ଼ିଥିବା ଦେଖିବାକୁ ପାଇଥିଲେ। ଘଟଣାସ୍ଥଳରେ ବୋର୍ୱେଲ୍ ପାଇଁ ଟଣାଯାଇଥିବା ବିଦ୍ୟୁତ୍ ତାର ବିଛା ଯାଇଥିବାରୁ ହାତୀଟି ସେହି ତାର ସଂସ୍ପର୍ଶରେ ଆସିଥିବା ଅନୁମାନ କରାଯାଉଥିଲା। ଯଦିଓ ବିଦ୍ୟୁତ୍ ବିଭାଗ ପକ୍ଷରୁ ସେହି ସମୟରେ ବିଦ୍ୟୁତ୍ ସରବରାହ ବନ୍ଦ ଥିବା କୁହାଯାଇ ସଫେଇ ଦିଆଯାଇଥିଲା । ମାତ୍ର ପ୍ରାରମ୍ଭିକ ପର୍ଯ୍ୟାୟରେ ଆସିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟ ଏହି ଦାବିକୁ ମିଛ ପ୍ରମାଣିତ କରିଛି। ମୃତ ଦନ୍ତା ହାତୀର ଶୁଣ୍ଢରେ ବିଦ୍ୟୁତ୍ ଆଘାତର ସ୍ପଷ୍ଟ ଚିହ୍ନ ମିଳିବା ପରେ ଏହା ଏକ ବିଭାଗୀୟ ଅବହେଳା ବୋଲି ପ୍ରମାଣିତ ହେଉଛି।
କାହାର ଅବହେଳା?
ଏହି ଘଟଣା ପରେ ଉଭୟ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ବନ ବିଭାଗ: ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳରେ ବିପଦପୂର୍ଣ୍ଣ ଭାବେ ଝୁଲୁଥିବା ବା ବିଛାଯାଇଥିବା ବିଦ୍ୟୁତ୍ ତାର ପ୍ରତି ବନ ବିଭାଗ କାହିଁକି ସତର୍କ ନଥିଲା? ହାତୀର ସୁରକ୍ଷା ପାଇଁ ନିୟମିତ ପାଟ୍ରୋଲିଂ କରାଯାଉଥିଲା କି ନାହିଁ, ତାହା ଏବେ ସନ୍ଦେହ ଘେରରେ।
ବିଦ୍ୟୁତ୍ ବିଭାଗ: ଚାଷ ଜମିରେ ବେଆଇନ ବା ବିପଦପୂର୍ଣ୍ଣ ଭାବେ ସଂଯୋଗ କରାଯାଇଥିବା ବିଦ୍ୟୁତ୍ ଲାଇନ୍ ପ୍ରତି ବିଭାଗ କାହିଁକି ଆଖି ବୁଜି ଦେଇଥିଲା?
କ’ଣ କହୁଛି ବନ୍ୟଜନ୍ତୁ ସୁରକ୍ଷା ନିୟମ?
ବନ୍ୟଜନ୍ତୁ ସଂରକ୍ଷଣ ଆଇନ (Wildlife Protection Act, 1972) ଅନୁଯାୟୀ, ହାତୀ ଏକ ଅନୁସୂଚିତ-୧ ପ୍ରାଣୀ। ଏଭଳି କ୍ଷେତ୍ରରେ ଅବହେଳା ଯୋଗୁଁ ଯଦି କୌଣସି ବନ୍ୟଜନ୍ତୁର ପ୍ରାଣହାନି ଘଟେ, ତେବେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ହାତୀ କରିଡର ବା ସେମାନଙ୍କ ଗତିପଥରେ ବିଦ୍ୟୁତ୍ ତାରଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ଉଚ୍ଚତାରେ ରହିବା ଏବଂ ଇନସୁଲେଟେଡ୍ (ଆବରଣ ଯୁକ୍ତ) ହେବା ଅପରିହାର୍ଯ୍ୟ।
ଉଚ୍ଚସ୍ତରୀୟ ତଦନ୍ତ ଦାବି:
ମୃତ ଦନ୍ତା ହାତୀର ଦାନ୍ତକୁ ଜବତ କରାଯାଇଥିବା ବେଳେ ପୋଷ୍ଟମର୍ଟମ୍ ରିପୋର୍ଟକୁ ଆଧାର କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବେଶବିତ୍। ଏଭଳି ଅଭାବନୀୟ ଘଟଣା ବାରମ୍ବାର ଘଟୁଥିବାରୁ ବନ୍ୟଜନ୍ତୁ ପ୍ରେମୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକୃତ ଦୋଷୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

