Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁରିବାହାଲରେ ଭାଲୁ ଆତଙ୍କ: ଜଙ୍ଗଲକୁ ଚାର କୋଳି ଖାଇବାକୁ ଯାଇଥିବା ବେଳେ ୨ ଗୁରୁତର, ବଲାଙ୍ଗୀର ସ୍ଥାନାନ୍ତର ।

ବଲାଙ୍ଗୀର, ୯।୫: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ ଅଞ୍ଚଳରେ ବନ୍ୟଜନ୍ତୁଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଶୁକ୍ରବାର ଜଙ୍ଗଲୀ ଭାଲୁ ଆକ୍ରମଣରେ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଥିବା ଖବର ମିଳିଛି। ଆହତମାନେ ହେଲେ କୁଟୁନୀଝରନ୍ ଗ୍ରାମର କରନ୍ ନାଗ (୩୩) ଏବଂ ରାନୀସିଲେଟ୍ ଅଞ୍ଚଳର ଜନ୍ମୟ ମାଝୀ (୩୫)।
ସୂଚନା ଅନୁସାରେ, ଗତକାଲି କରନ୍ ଏବଂ ଜନ୍ମୟ ଉଭୟ ସାଙ୍ଗ ହୋଇ ସ୍ଥାନୀୟ ଜଙ୍ଗଲକୁ ଚାର କୋଳି ଖାଇବାକୁ ଯାଇଥିଲେ। ସେଠାରେ ହଠାତ୍ ଏକ ଜଙ୍ଗଲୀ ଭାଲୁ ସେମାନଙ୍କ ସମ୍ମୁଖକୁ ଚାଲିଆସି ଆକ୍ରମଣ କରିଥିଲା। ଭାଲୁର ଝାମ୍ପରେ କରନ୍‌ଙ୍କ ମୁହଁ, ବେକ ଏବଂ ଡାହାଣ ବାହୁରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ବେଳେ ଜନ୍ମୟଙ୍କ ଗୋଡ଼କୁ ଭାଲୁଟି କାମୁଡ଼ି କ୍ଷତବିକ୍ଷତ କରିଦେଇଛି।
ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ମୁରିବାହାଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଅଧିକ ଉଦ୍‌ବେଗଜନକ ହେବାରୁ ଉଭୟଙ୍କୁ ବଲାଙ୍ଗୀର ସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ପ୍ରକାଶ ଥାଉକି, ବଲାଙ୍ଗୀର ବନଖଣ୍ଡ ଅଞ୍ଚଳରେ ଭାଲୁ ଆକ୍ରମଣ ଘଟଣା ନୂଆ ନୁହେଁ। ଗତ ଅପ୍ରେଲ ୨୭ ତାରିଖରେ ମଧ୍ୟ ତୁରେକେଲା ବ୍ଲକ୍ ଝରଣୀ ପଞ୍ଚାୟତର ନୁଆଁପଡ଼ା ଗ୍ରାମରେ ଶୌଚ ପାଇଁ ଯାଇଥିବା ବେଳେ ମହୁଲବାହାଲି ଗ୍ରାମର ଟିକେ କେତକୀ (୬୨) ନାମକ ଜଣେ ବୃଦ୍ଧଙ୍କୁ ଭାଲୁ ଆକ୍ରମଣ କରିଥିଲା। ଟିକେଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଣ୍ଟାବାଞ୍ଜି, ବଲାଙ୍ଗୀର ଏବଂ ବୁର୍ଲା ପରେ ଶେଷରେ ଛତିଶଗଡ଼ର ରାୟପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ କରାଯାଉଛି।
ବାରମ୍ବାର ଏଭଳି ବନ୍ୟଜନ୍ତୁ ଆକ୍ରମଣ ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି। ବନ ବିଭାଗ ବନ୍ୟଜନ୍ତୁଙ୍କ ଗତିବିଧି ଉପରେ ନଜର ରଖିବା ସହ କ୍ଷତିଗ୍ରସ୍ତ ପରିବାରକୁ ଉପଯୁକ୍ତ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories