ବଲାଙ୍ଗୀର ବରକାନି ବୋତଲ ପ୍ଲାଣ୍ଟରେ ରକ୍ତପାତ: ଦୁଇ ଅଫିସରଙ୍କୁ ପୂର୍ବତନ କର୍ମଚାରୀଙ୍କ ମରଣାନ୍ତକ ଆକ୍ରମଣ ।
ବଲାଙ୍ଗୀର,୯।୫: ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ବରକାନି ସ୍ଥିତ ବୋତଲ ପ୍ଲାଣ୍ଟରେ ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ପୂର୍ବତନ କର୍ମଚାରୀଙ୍କ ଉନ୍ମତ୍ତ କାଣ୍ଡ ଯୋଗୁଁ ପ୍ଲାଣ୍ଟର ଦୁଇଜଣ ବରିଷ୍ଠ ଅଧିକାରୀ ରକ୍ତାକ୍ତ ହୋଇଛନ୍ତି। ଚାକିରି ହରାଇବା ପରେ ପ୍ରତିଶୋଧ ପରାୟଣ ହୋଇ ଯୁବକ ଜଣକ ଏହି ମରଣାନ୍ତକ ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଅଭିଯୁକ୍ତ ସିଦ୍ଧାର୍ଥ ପ୍ରଧାନ ପୂର୍ବରୁ ଏହି ପ୍ଲାଣ୍ଟରେ କାର୍ଯ୍ୟ କରୁଥିଲେ। ତେବେ କୌଣସି କାରଣବଶତଃ ତାଙ୍କୁ ଚାକିରିରୁ ବାହାର କରି ଦିଆଯାଇଥିଲା। ଏଥିପାଇଁ ସେ ପ୍ଲାଣ୍ଟର ଅଫିସର ସତୀଶ ସିଂ ଏବଂ ଅନୁଜ ସିଂଙ୍କୁ ଦାୟୀ ମଣୁଥିଲେ। ଆଜି ଅତର୍କିତ ଭାବେ ସିଦ୍ଧାର୍ଥ ଅଫିସ ପରିସରରେ ପଶି ଏକ ଧାରୁଆ ଅସ୍ତ୍ରରେ ଉଭୟଙ୍କୁ ଆକ୍ରମଣ କରିଥିଲେ। ସତୀଶ ଓ ଅନୁଜ ଉଭୟ ଓଡ଼ିଶା ବାହାରର ବୋଲି ଜଣାପଡ଼ିଛି।
ଏହି ଆକ୍ରମଣରେ ଉଭୟ ଅଫିସର ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କର ପ୍ରାଥମିକ ଚିକିତ୍ସା କରାଯାଉଥିବା ବେଳେ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି।
ଘଟଣା ସମ୍ପର୍କରେ ଖବର ପାଇ ବଲାଙ୍ଗୀର ସଦର ଥାନା ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଛି। ଆହତ ଅଧିକାରୀଙ୍କ ପକ୍ଷରୁ ଲିଖିତ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ସିଦ୍ଧାର୍ଥ ପ୍ରଧାନଙ୍କୁ ଅଟକ ରଖିଛି। ଆକ୍ରମଣ ପଛର ପ୍ରକୃତ କାରଣ ଓ ପ୍ଲାଣ୍ଟର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୋଲିସ ଅଧିକ ପଚରାଉଚରା ଜାରି ରଖିଛି।
ଏଭଳି ଏକ ସମ୍ବେଦନଶୀଳ ଶିଳ୍ପାଞ୍ଚଳରେ ଦିନଦ୍ୱିପ୍ରହରରେ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି।

