Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉତ୍ସବ ମାହୋଲରେ ଖେଳିଗଲା ଶୋକର ଛାୟା: ନାଚୁ ନାଚୁ ଟଳିପଡ଼ିଲେ ଜଣାଶୁଣା ଫୁଟବଲ ଖେଳାଳି ।

ବଲାଙ୍ଗୀର,୯।୫: ବଲାଙ୍ଗୀର ସହରର କନ୍ଧପାଲିପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି। ଖ୍ରୀଷ୍ଟୀୟ ସମ୍ପ୍ରଦାୟର ଏକ ଆଧ୍ୟାତ୍ମିକ ‘ପ୍ରହରୀ’ ଉତ୍ସବ ଚାଲିଥିବା ସମୟରେ ଜଣେ ଉଦୀୟମାନ ଫୁଟବଲ ଖେଳାଳିଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ସହରର ପରିଚିତ କ୍ରୀଡ଼ାବିତ୍ ରୋନିତ ନାଗ।
ସୂଚନା ଅନୁଯାୟୀ, ଗତକାଲି କନ୍ଧପାଲିପଡ଼ାଠାରେ ଆୟୋଜିତ ‘ପ୍ରହରୀ’ ଉତ୍ସବରେ ଶ୍ରଦ୍ଧାଳୁମାନେ ଭକ୍ତି ସଙ୍ଗୀତର ତାଳେ ତାଳେ ନୃତ୍ୟ କରୁଥିଲେ। ରୋନିତ ମଧ୍ୟ ନିଜ ମା’ଙ୍କ ସହ ବେଶ୍ ଉତ୍ସାହର ସହ ନାଚୁଥିଲେ। ମାତ୍ର ଏହି ଖୁସିର ମୁହୂର୍ତ୍ତ ଅଳ୍ପ ସମୟ ମଧ୍ୟରେ ବିଷାଦରେ ପରିଣତ ହୋଇଥିଲା। ନାଚୁଥିବା ସମୟରେ ରୋନିତଙ୍କ ହାତ ସେଠାରେ ଲାଗିଥିବା ଏକ ଷ୍ଟାଣ୍ଡ ଫ୍ୟାନ‌ରେ ବାଜିଯାଇଥିଲା ଏବଂ ସେ ସଙ୍ଗେ ସଙ୍ଗେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ।
ତାଙ୍କୁ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ତୁରନ୍ତ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ‘ମୃତ’ ଘୋଷଣା କରିଥିଲେ। ଖେଳାଳିଙ୍କ ମୃତ୍ୟୁ ଖବର ଶୁଣି ମେଡିକାଲ ପରିସରରେ ଶତାଧିକ ଶୁଭେଚ୍ଛୁ ଓ କ୍ରୀଡ଼ାପ୍ରେମୀଙ୍କ ଭିଡ଼ ଜମିଥିଲା।
ରୋନିତଙ୍କ ମୃତ୍ୟୁ ବିଦ୍ୟୁତ ଆଘାତ ଯୋଗୁଁ ହୋଇଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି। ତେବେ ଉତ୍ସବର ଭିଡ଼ ଓ ଗୁଳୁଗୁଳି ଯୋଗୁଁ ହୃଦଘାତ ହୋଇଥାଇପାରେ ବୋଲି ମଧ୍ୟ କିଛି ଚର୍ଚ୍ଚା ହେଉଛି। ପୋଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଜଣାପଡିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories