ବଲାଙ୍ଗୀର ସହରର ପ୍ୟାଲେସ୍ ଲାଇନ୍ ଅଞ୍ଚଳରୁ ୧୭ ବର୍ଷୀୟ ନାବାଳକ ନିଖୋଜ; ପୁଅକୁ ଝୁରୁଛି ପରିବାର; ‘ଫେରିଆସ ବାବୁ’ କହି କାନ୍ଦି କାନ୍ଦି ଆକୁଳ ନିବେଦନ କଲେ ମାଆ ।
ବଲାଙ୍ଗୀର,୧୧।୫: ବଲାଙ୍ଗୀର ସହରର ପ୍ୟାଲେସ୍ ଲାଇନ୍ ଅଞ୍ଚଳରୁ ଜଣେ ୧୭ ବର୍ଷୀୟ ନାବାଳକ ନିଖୋଜ ହେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ନିଖୋଜ ନାବାଳକଙ୍କ ନାମ ଚନ୍ଦ୍ରଶେଖର ଜୁଏଡ (ଶ୍ଲୋକ)। ଗତକାଲି ସକାଳୁ ସେ ମର୍ଣ୍ଣିଂ ୱାକ୍ରେ ଯାଉଛି କହି ଘରୁ ବାହାରିଥିଲେ ହେଁ, ଦୀର୍ଘ ସମୟ ପର୍ଯ୍ୟନ୍ତ ଆଉ ଘରକୁ ଫେରିନାହାନ୍ତି।
ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସକାଳ ପ୍ରାୟ ୪:୦୦ ରୁ ୫:୦୦ ମଧ୍ୟରେ ଶ୍ଲୋକ ଘରୁ ବାହାରକୁ ଯାଇଥିଲେ। ବାପା ବିନୋଦ ଜୁଏଡଙ୍କ କହିବା ଅନୁସାରେ, ପାଠପଢ଼ାକୁ ନେଇ ସେ ଶ୍ଲୋକକୁ ସାମାନ୍ୟ ଗାଳିଗୁଲଜ କରିଥିଲେ, ଯାହାକୁ ନେଇ ହୁଏତ ସେ ମନଦୁଃଖରେ ଘର ଛାଡ଼ିଛନ୍ତି। ପରିବାର ଲୋକେ ନିଜ ସମସ୍ତ ସମ୍ପର୍କୀୟ, ସାଙ୍ଗସାଥୀ ଏବଂ ସମ୍ଭାବ୍ୟ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ପତ୍ତା ନମିଳିବାରୁ ଶେଷରେ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି।
ଶ୍ଲୋକଙ୍କ ମା’ ଅତ୍ୟନ୍ତ ଭାବପ୍ରବଣ ହୋଇ କାନ୍ଦି କାନ୍ଦି ନିଜ ପୁଅକୁ ଘରକୁ ଫେରିଆସିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, “ଶ୍ଲୋକ ତା’ ମାଆକୁ ବହୁତ ଭଲ ପାଏ, ତୁ ଫେରିଆସ ବାବୁ, ତୋ ବିନା ମୁଁ ରହିପାରିବି ନାହିଁ।” ପୁଅର ନିଖୋଜ ଖବର ପାଇବା ପରଠାରୁ ପରିବାରରେ କାନ୍ଦବୋବାଲ ଛୁଟିଛି ଏବଂ ସମସ୍ତେ ଗଭୀର ଚିନ୍ତାରେ ଅଛନ୍ତି।
ଘଟଣା ସମ୍ପର୍କରେ ସ୍ଥାନୀୟ ଟାଉନ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରହିବା ସହ ସାଧାରଣ ଜନତାଙ୍କ ସହଯୋଗ ମଧ୍ୟ ଲୋଡ଼ାଯାଇଛି।
ଯଦି କୌଣସି ବ୍ୟକ୍ତି ଏହି ନାବାଳକଙ୍କ ବିଷୟରେ କିଛି ବି ଖବର ପାଆନ୍ତି, ତେବେ ନିମ୍ନଲିଖିତ ନମ୍ବରରେ ଯୋଗାଯୋଗ କରିବାକୁ ପରିବାର ପକ୍ଷରୁ ନିବେଦନ କରାଯାଇଛି:
ମୋବାଇଲ୍ ନମ୍ବର: 9668121773 / 9938863217

