ଖବରର ପ୍ରଭାବ: ନିଦରୁ ଉଠିଲା ପ୍ରଶାସନ, ଖୋଲିଲା କଣ୍ଟାବାଞ୍ଜି ତହସିଲ ଶୌଚାଳୟର ତାଲା
ବଲାଙ୍ଗୀର,୧୧।୫: ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଶେଷରେ ଚେତିଛି ସ୍ଥାନୀୟ ପ୍ରଶାସନ। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ତହସିଲ ପରିସରରେ ଦୀର୍ଘ ମାସ ଧରି ବନ୍ଦ ହୋଇ ପଡ଼ିରହିଥିବା ଶୌଚାଳୟର ତାଲା ଆଜି ଖୋଲିବା ସହ ଏହାକୁ ଜନସାଧାରଣଙ୍କ ବ୍ୟବହାର ପାଇଁ କାର୍ଯ୍ୟକ୍ଷମ କରାଯାଇଛି।
ତହସିଲ କାର୍ଯ୍ୟାଳୟକୁ ପ୍ରତିଦିନ ଶହ ଶହ ସାଧାରଣ ଲୋକଙ୍କ ସମେତ ମହିଳା ଓ ଦିବ୍ୟାଙ୍ଗମାନେ ବିଭିନ୍ନ କାର୍ଯ୍ୟରେ ଆସିଥାନ୍ତି। ମାତ୍ର ଶୌଚାଳୟଟି ବନ୍ଦ ରହିଥିବାରୁ ସେମାନଙ୍କୁ ଦୀର୍ଘ ଦିନ ହେବ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ଏହି ସମସ୍ୟା ବାବଦରେ ଗତ ୯ ତାରିଖରେ ବିଭିନ୍ନ ଖବରକାଗଜରେ ପ୍ରମୁଖତାର ସହ ଖବର ପ୍ରକାଶ ପାଇଥିଲା। ପ୍ରଶାସନିକ ଅବହେଳାକୁ ନେଇ ଖବର ପ୍ରସାରିତ ହେବା ପରେ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରିଥିଲେ।
ଆଜିଠାରୁ ଶୌଚାଳୟର ସେବା ସ୍ୱାଭାବିକ କରାଯାଇଛି। ଏହାର ସଠିକ୍ ପରିଚାଳନା ଓ ପରିମଳ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ପାଇଁ କଣ୍ଟାବାଞ୍ଜି ଏନଏସି ପକ୍ଷରୁ ଜଣେ ସ୍ୱତନ୍ତ୍ର କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି। ଉକ୍ତ କର୍ମଚାରୀ ଜଣକ ଶୌଚାଳୟର ସଫେଇ ସହ ସମସ୍ତ ଦେଖାଶୁଣା ଦାୟିତ୍ୱ ତୁଲାଇବେ ବୋଲି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଛବି ପୋଢ଼ ସୂଚନା ଦେଇଛନ୍ତି।
ଖବରକାଗଜର ଏହି ସକାରାତ୍ମକ ହସ୍ତକ୍ଷେପ ଫଳରେ ସମସ୍ୟାର ସମାଧାନ ହୋଇଥିବାରୁ ସ୍ଥାନୀୟ ଜନସାଧାରଣ କଣ୍ଟାବାଞ୍ଜି ସାମ୍ବାଦିକ ସଙ୍ଘ ସଭାପତି ମୋହନ ସୋନୀଙ୍କୁ କୃତଜ୍ଞତା ଜଣାଇବା ସହ ଗଣମାଧ୍ୟମର ଭୂମିକାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଅନ୍ୟପଟେ, ପ୍ରଶାସନର ଏଭଳି ତ୍ୱରିତ ପଦକ୍ଷେପ ପାଇଁ କଣ୍ଟାବାଞ୍ଜି ତହସିଲଦାର ବିଶ୍ୱନାଥ ଖାଲଖୋ ଏବଂ ବାର ଆସୋସିଏସନ ସଭାପତି ପ୍ରଫୁଲ୍ଲ ନାୟକ ଏନଏସି ଅଧିକାରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।
ଅଫିସ କାର୍ଯ୍ୟ ସମୟରେ ଏହି ଶୌଚାଳୟ ସର୍ବଦା ଖୋଲା ରହିବ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।

