Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅକାଳରେ ଆଖି ବୁଜିଲେ ଯୁବ ଘୁଡ଼କା କଳାକାର ନନ୍ଦୁ ତାଣ୍ଡି: କଳା ଜଗତରେ ଶୋକର ଛାୟା ।

ବଲାଙ୍ଗୀର,୧୨।୫: ପଶ୍ଚିମ ଓଡ଼ିଶାର କଳା ଓ ସଂସ୍କୃତି ଜଗତରୁ ଶୁଭିଛି ଏକ ଦୁଃଖଦ ଖବର। ମାତ୍ର ୨୪ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଲକ୍ ତୁଷୁରା ଅଞ୍ଚଳର ଜଣାଶୁଣା ଯୁବ ଘୁଡ଼କା ବାଦ୍ୟକାର ନନ୍ଦୁ ତାଣ୍ଡି। ତାଙ୍କର ଏହି ଅକାଳ ବିୟୋଗ ପଶ୍ଚିମ ଓଡ଼ିଶାର କଳା କ୍ଷେତ୍ରରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି।
ତୁଷୁରା ସ୍ଥିତ ‘କୃଷ୍ଣପ୍ରିୟା କଳା ପରିଷଦ’ର ଜଣେ ନିପୁଣ ବାଦ୍ୟକାର ଭାବେ ନନ୍ଦୁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଗତ କିଛି ଦିନ ଧରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଚିକିତ୍ସା ପାଇଁ ବୁର୍ଲାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରୀ ପରୀକ୍ଷାରୁ ତାଙ୍କ ମୁଣ୍ଡରେ ପାଣି ଜମିଥିବା ଜଣାପଡ଼ିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ସ୍ୱର୍ଗତ ନନ୍ଦୁ ମାତ୍ର ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ସମୟରୁ ଘୁଡ଼କା ବାଦ୍ୟ ପ୍ରତି ଆକୃଷ୍ଟ ହୋଇଥିଲେ। ପରବର୍ତ୍ତୀ ସମୟରେ ବଡ଼ସାନ ଘୁଡ଼କା ଦଳ ସହ ମିଶି ସେ ବିଭିନ୍ନ ମଞ୍ଚରେ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରି ଦର୍ଶକଙ୍କ ମନ ଜିଣିଥିଲେ। କଳା ପ୍ରତି ତାଙ୍କର ଏହି ସମର୍ପଣ ଭାବ ତାଙ୍କୁ ଖୁବ୍ କମ୍ ବୟସରେ ଲୋକପ୍ରିୟ କରାଇଥିଲା।
ନନ୍ଦୁଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଆଜି ବୁର୍ଲାରୁ ତାଙ୍କ ପାର୍ଥିବ ଶରୀର ତୁଷୁରା ପହଞ୍ଚିବା ପରେ ସ୍ଥାନୀୟ ସାନଗଡ଼ନଦୀ ଶ୍ମଶାନରେ ଅନ୍ତିମ ସଂସ୍କାର ସମ୍ପନ୍ନ କରାଯାଇଛି। ସ୍ଥାନୀୟ କଳାକାର ଓ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories