ଥାନା ପରିସରରୁ ଜବତ ବାଲି ଗାଡ଼ି ‘ଗାୟବ’: ପୁଲିସ ଓ ଖଣି ବିଭାଗ ମଧ୍ୟରେ ସମନ୍ୱୟର ଅଭାବ, ସନ୍ଦେହ ଘେରରେ ପୁଇଁତଲା ପୁଲିସ ।
ବଲାଙ୍ଗୀର,୧୨।୫: ବେଆଇନ ବାଲି ଚାଲାଣ ରୋକିବା ପାଇଁ ପ୍ରଶାସନ ତତ୍ପରତା ଦେଖାଉଥିବା କହୁଥିବା ବେଳେ ପୁଇଁତଲା ଥାନାରେ ଜବତ ହୋଇଥିବା ଦୁଇଟି ହାଇୱା ରହସ୍ୟଜନକ ଭାବେ ଖଲାସ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବିନା ଜରିମାନା ଓ ବିନା ସୂଚନାରେ ପୁଲିସ କିଭଳି ଗାଡ଼ି ଦୁଇଟିକୁ ଛାଡ଼ିଲା, ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, ଗତ ରବିବାର ବଲାଙ୍ଗୀର ଜିଲ୍ଲା ପୁଇଁତଲା ପୁଲିସ ଚୋରା ବାଲି ଚାଲାଣ ଅଭିଯୋଗରେ ଦୁଇଟି ହାଇୱା (OD-03AA-9112 ଏବଂ OD-03AC-5112) କୁ ଜବତ କରି ଥାନାକୁ ଆଣିଥିଲା। ନିୟମ ଅନୁଯାୟୀ, ଗାଡ଼ିର ଜରିମାନା କାଟିବା ପାଇଁ ପୁଲିସ ପକ୍ଷରୁ ଜିଲ୍ଲା ଖଣି ବିଭାଗକୁ ପ୍ରାଥମିକ ସୂଚନା ମଧ୍ୟ ଦିଆଯାଇଥିଲା।
ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି, ସୋମବାର ଜରିମାନା ପ୍ରକ୍ରିୟା ଶେଷ ହେବା ପୂର୍ବରୁ ହିଁ ଗାଡ଼ି ଦୁଇଟି ଥାନା ପରିସରରୁ ବାହାରି ଯାଇଥିଲେ। ଖଣି ଅଧିକାରୀ ଚନ୍ଦ୍ରକାନ୍ତ ମହନ୍ତଙ୍କ କହିବା ଅନୁସାରେ, ପୁଲିସ ଗାଡ଼ି ଧରିବା ନେଇ ଜଣାଇଥିଲେ ସୁଦ୍ଧା, ପରବର୍ତ୍ତୀ ସମୟରେ ବିନା କୌଣସି ଜରିମାନା କିମ୍ବା ସୂଚନାରେ ଗାଡ଼ିଗୁଡ଼ିକୁ କିଭଳି ଛଡ଼ାଗଲା, ସେ ନେଇ ବିଭାଗ ପାଖରେ କୌଣସି ସୂଚନା ନାହିଁ।
ଚର୍ଚ୍ଚା ହେଉଛି ଯେ, ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପ୍ରତିନିଧି ଥାନାକୁ ଆସି କ୍ଷମତାଶାଳୀଙ୍କ ନାଁ ନେଇ ଗାଡ଼ି ଛାଡ଼ିବାକୁ ଚାପ ପକାଇଥିଲେ। ଏହି ଘଟଣା ପଛରେ କୌଣସି ବଡ଼ ଧରଣର ମସୁଧା ଥିବା ସନ୍ଦେହ କରାଯାଉଛି।
ଏହି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ସଦର ଏସଡିପିଓଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ କୌଣସି ସ୍ପଷ୍ଟ ଉତ୍ତର ଦେଇନାହାନ୍ତି। ଅନ୍ୟପଟେ, ଅତିରିକ୍ତ ଏସପି ଗୁଣନିଧି ମଲ୍ଲିକ କହିଛନ୍ତି ଯେ, “ଘଟଣାର ତଦନ୍ତ ଜାରି ରହିଛି। ପୁଲିସ କିଭଳି ପରିସ୍ଥିତିରେ ଗାଡ଼ି ଛାଡ଼ିଲା, ସେ ନେଇ ସମ୍ପୂର୍ଣ୍ଣ ତଥ୍ୟ ବୁଝିବା ପରେ ହିଁ ସ୍ପଷ୍ଟ ପ୍ରତିକ୍ରିୟା ଦିଆଯିବ।”
ଜବତ ଗାଡ଼ି ଏଭଳି ଭାବେ ଖଲାସ ହେବା ପୁଲିସର କାର୍ଯ୍ୟଦକ୍ଷତା ଓ ସ୍ୱଚ୍ଛତା ଉପରେ ଏକ ବଡ଼ ପ୍ରଶ୍ନଚିହ୍ନ ଲଗାଇଛି। ଏବେ ଦେଖିବାକୁ ବାକି ରହିଲା, ଏହି ମାମଲାରେ ଦୋଷୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

