ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନାରେ ପୂର୍ବ ବର୍ଷରୁ ନିୟୋଜିତ ଥିବା ଥାନା ଅଧିକାରିଣୀ ରୀନାରାଣୀ ସାହୁଙ୍କୁ ଚଳିତ ମାସ 1 ରେ ଅନ୍ୟତ୍ର ବଦଳି କରାଯାଇଥିଲା| କିନ୍ତୁ ଏଯାବତ ମଙ୍ଗଳପୁର ଥାନାରୁ ମୋହ ତୁଟିନି ତାଙ୍କର| ବଦଳିର 14 ଦିନ ପରେ ମଧ୍ୟ ଥାନା ପରିସରରେ ଥିବା ସରକାରୀ କ୍ୱାର୍ଟରରେ ଦେଖିବାକୁ ମିଳୁଛି ରୀନାରାଣୀ ସାହୁଙ୍କୁ| ତେବେ ଯେଉଁ ମାମଲା ଲାଗି ତାଙ୍କୁ ବଦଳି କରାଯାଇଛି ଥାନା ପରିସର ମଧ୍ୟରେ ତାଙ୍କର ଉପସ୍ଥିତି ଉକ୍ତ ମାମଲା ର ତଦନ୍ତ ଦିଗହରା କରିପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି|
ପ୍ରକାଶ ଥାଉକି ମଙ୍ଗଳପୁର ଥାନା ମଲ୍ଲିପୁର ଗ୍ରାମର ଉଗ୍ରସେନ ବାରିକଙ୍କ ପୁଅ ସରୋଜ (25 ବର୍ଷ) ନିକଟସ୍ତ ଗ୍ରାମର ଜୈନେକ ଯୁବତୀଙ୍କୁ ପ୍ରେମ କରୁଥିଲେ| ଯୁବତୀ ଜଣଙ୍କ ସରୋଜଙ୍କୁ ବିବାହ ଲାଗି ଜିଦ ଧରି ମଙ୍ଗଳପୁର ଥାନାର ଦ୍ୱାରସ୍ତ ହୋଇଥିଲେ| ଅଭିଯୋଗକୁ ଭିତ୍ତି କରି ପୋଲିସ ସରୋଜଙ୍କ ଘରେ ପହଞ୍ଚିଥିଲା| ଘରେ ସରୋଜଙ୍କୁ ନ ପାଇ ସରୋଜଙ୍କ ବାପା ଓ ମା ଙ୍କୁ ମାଡ଼ ମାରିବା ସହ ଥାନାକୁ ଉଠାଇ ଆଣିଥିଲା| ପରେ ସରୋଜଙ୍କୁ ମଲ୍ଲିପୁର ଗ୍ରାମର ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା| ସରୋଜଙ୍କ ଏଭଳି ମୃତ୍ୟୁ ଲାଗି ମଙ୍ଗଳପୁର ଥାନାର ଅଧିକାରିଣୀ ରୀନାରାଣୀ ସାହୁଙ୍କୁ ଦାୟୀ କରିବା ସହ ତଦନ୍ତ ଲାଗି ଯାଇଥିବା ପୋଲିସ ମାନଙ୍କୁ ଗ୍ରାମରେ ଅଟକ ରଖିଥିଲେ ଗ୍ରାମବାସୀ| ଏଭଳି ଘଟଣାକୁ କେନ୍ଦ୍ର କରି ଆଇଆଇସି ରୀନାରାଣୀ ସାହୁଙ୍କୁ ବଦଳି କରାଯାଇଥିଲା| ବଦଳିର ଦୀର୍ଘ ଦିନ ପରେ ମଧ୍ୟ ଥାନା ପରିସରରେ ତାଙ୍କର ଉପସ୍ଥିତି ସରୋଜ ମୃତ୍ୟୁ ମାମଲାର ତଦନ୍ତ ଉପରେ ପ୍ରଭାବ ପକାଇପାରେ ବୋଲି ଆଶଙ୍କାରେ ସ୍ଥାନୀୟ ବାସିନ୍ଦା|