ଇସ୍ରୋ ଦେଲା ଆଉ ଏକ ଖୁସି ଖବର, କାମ କରିବା ଆରମ୍ଭ କଲା ଆଦିତ୍ୟ ଏଲ-୧ରେ ଲାଗିଥିବା ପେଲୋଡ୍


ନୂଆଦିଲ୍ଲୀ: ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ ଏଲ-୧ ଉପଗ୍ରହରେ ଲାଗିଥିବା ପେଲୋଡ୍ ‘ଆଦିତ୍ୟ ସୋଲାର ଓ୍ଵିଣ୍ଡ ପାର୍ଟିକଲ ଏକ୍ସପେରିମେଣ୍ଟ’ କାମ କରିବା ଆରମ୍ଭ କରି ଦେଇଛି। ବର୍ତ୍ତମାନ ଏହା ସ୍ଵାଭାବିକ ଭାବେ କାମ କରୁଛି। ଇସ୍ରୋ ଶନିବାର ଏହି ସୂଚନା ଦେଇଛି। ଇସ୍ରୋ ସେପ୍ଟେମ୍ବର ୨ ତାରିଖରେ ଶ୍ରୀହରିକୋଟାର ସତୀଶ ଧାଓ୍ଵନ କେନ୍ଦ୍ରରୁ ଆଦିତ୍ୟ ଏଲ-୧ର ସଫଳତାପୂର୍ବକ ପ୍ରକ୍ଷେପଣ କରିଥିଲା।

ଇସ୍ରୋ ଅନୁଯାୟୀ, ଆଦିତ୍ୟ ଏଲ-୧ ହେଉଛି ଭାରତର ପ୍ରଥମ ସୂର୍ଯ୍ୟ ମିଶନ। ଏହା ପୃଥିବୀରୁ ୧୫ ଲକ୍ଷ ଦୂର ଲାଗ୍ରାଞ୍ଜିଆନ ପଏଣ୍ଟ-୧ରେ ଅବସ୍ଥାପିତ ହେବ। ଏଲ-୧ ପଏଣ୍ଟରେ ସ୍ଥାପିତ ଏକ ଉପଗ୍ରହର ସବୁଠୁ ବଡ଼ ସୁବିଧା ହେଉଛି ଏହା କୌଣସି ପ୍ରକାରର ମହାଜାଗତିକ ଘଟଣା ବା ଗ୍ରହଣଜନିତ ବାଧା ବ୍ୟତିରକେ ସୂର୍ଯ୍ୟକୁ ନିରବଚ୍ଛିନ୍ନ ଭାବେ ନିରୀକ୍ଷଣ କରି ପାରିବ। ସୂର୍ଯ୍ୟର ଫଟୋସ୍ଫିୟର, କ୍ରୋମୋସ୍ଫିୟର ଓ ବାହ୍ୟସ୍ତର କରୋନା ଉପରେ ପର୍ଯ୍ୟବେକ୍ଷଣ କରିବା ପାଇଁ ଏଥିରେ ୭ଟି ପେଲୋଡ ରହିଛି। ମହାକାଶ ପାଣିପାଗ ଓ ପୃଥିବୀ ଉପରେ ଏହାର ପ୍ରଭାବ ଆଦି ଉପରେ ଏଗୁଡ଼ିକ ତଥ୍ୟ ସଂଗ୍ରହ କରିବ।

ଆଦିତ୍ୟ-ଏଲ୧କୁ ଲାଗ୍ରାଞ୍ଜିଆନ ପଏଣ୍ଟ-୧ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ୧୨୫ ଦିନର ସମୟ ଲାଗିବ। ଏହି ସମୟରେ ୧୫ ଲକ୍ଷ କିଲୋମିଟର ଦୂରତା ଅତିକ୍ରମ କରିବାକୁ ପଡ଼ିବ। ଚନ୍ଦ୍ରଯାନ-୩ ପରି ଏହା ମଧ୍ୟ ଅଲଗା ଅଲଗା କକ୍ଷରେ ଗତି କରି ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିବ। ଅର୍ଥାତ ଆଦିତ୍ୟ-ଏଲ୧କୁ ସିଧାସଳଖ ପଠାଯାଇ ନାହିଁ।