କର୍ତବ୍ୟ ପଥରେ ୭୫ତମ ଗଣତନ୍ତ୍ର ଦିବସ ପାଳିତ, ଦୁନିଆ ଦେଖୁଛି ଭାରତର ଶକ୍ତି ଓ ସାଂସ୍କୃତିକ ବୈଭବ

ନୂଆଦିଲ୍ଲୀ: ଦେଶ ଆଜି ବେଶ ଧୁମଧାମର ସହ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି । ଦିଲ୍ଲୀଠୁ ନେଇ ପୁରପଲ୍ଲୀ ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଏହି ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜଧାନୀ ଦିଲ୍ଲୀର କର୍ତବ୍ୟପଥରେ ଧ୍ୱଜାରୋହଣ କରିଛନ୍ତି । ଏହା ପରେ ଦେଶର ଜାତୀୟ ସଙ୍ଗୀତ ପରିବେଷଣ ହୋଇଥିଲା । ଗଣତନ୍ତ୍ର ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଓ ଏହି ଉତ୍ସବର ମୁଖ୍ୟ ଅତିଥି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଯୋଗ ଦେଇଛନ୍ତି । ଏହା ପରେ କର୍ତବ୍ୟ ପଥରେ ଚିତାକର୍ଷକ ପରେଡ ଆୟୋଜିତ ହେଉଛି ।

ଜାତୀୟ ସଙ୍ଗୀତ ପରେ ପରେଡରେ ଭାରତର ସମୃଦ୍ଧ ସାଂସ୍କୃତି ବିବିଧତା, ଏକତା ଓ ପ୍ରଗତି, ବଢୁଥିବା ସ୍ୱଦେଶୀ କ୍ଷମତା ଓ ସାଂସ୍କୃତିକର ଝଲକ ଦେଖିବାକୁ ମିଳିଛି । ଦେଶରେ ବଢୁଥିବା ନାରୀ ଶକ୍ତିର ପରାକ୍ରମ ମଧ୍ୟ କର୍ତବ୍ୟ ପଥରେ ପ୍ରଦର୍ଶିତ ହୋଇଛି । ଭବ୍ୟ ପରେଡରେ ସାରା ଦୁନିଆ ଭାରତର ସାମରିକ ଶକ୍ତି ଓ ସାଂସ୍କୃତିକ ବୈଭବକୁ ଦେଖିଛି । ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏହି ଭବ୍ୟ କାର୍ଯ୍ୟକ୍ରମର ସାକ୍ଷୀ ପାଲଟିଛନ୍ତି।

ଏହା ସହିତ ମାକ୍ରନ ବିଶ୍ୱର ସେହି ବଛା ବଛା ନେତାଙ୍କ ତାଲିକାରେ ସାମିଲ୍ ହୋଇଗଲେ, ଯେଉଁମାନେ ଗତ ସାତ ଦଶନ୍ଧିରେ ଦେଶର ସବୁଠୁ ମହାନ ପର୍ବର ଶୋଭା ବଢାଇଛନ୍ତି । ଷଷ୍ଠ ଥର ଫ୍ରାନ୍ସର କୌଣସି ନେତା ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ସାଜିଛନ୍ତି । ଏହି ସମୟରେ ସ୍ୱଦେଶୀ ବନ୍ଦୁକ ପ୍ରଣାଳୀ ୧୦୫-ଏମଏମ ଇଣ୍ଡିଆନ ଫିଲଡ ଗନ ସହିତ ୨୧ ତୋପୋ ସଲାମୀ ଦିଆଯାଇଛି । ପୁଣି ୧୦୫ ହେଲିକପ୍ଟର ୟୁନିଟର ୪ ଏମଆଇ-୧୭ ଆଇଭି ହେଲିକପ୍ଟର କର୍ତବ୍ୟ ପଥରେ ଉପସ୍ଥିତ ଅତିଥି ଓ ଦର୍ଶକଙ୍କ ଉପରେ ପୁଷ୍ପ ବର୍ଷା କରିଛି ।