ହାଥରସ ସତସଙ୍ଗ ଦଳାଚକଟା ଘଟଣାରେ ମୃତ୍ୟୁସଂଖ୍ୟା ୧୨୧କୁ ବୃଦ୍ଧି


ହାଥରସ: ଉତ୍ତରପ୍ରଦେଶ ହାଥରସରେ ଗତକାଲି ଘଟିଥିବା ଦଳାଚକଟାରେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୧୨୧ ଜଣଙ୍କ ମୃତ୍ୟୁ ଘଟି ସାରିଛି । ଏବେ ବି ବହୁତ ଆହତ ବିଭିନ୍ନ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଗୁରୁତର ଥିବା ଜଣାପଡିଛି । ଯାହା ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିବା ଆଶଙ୍କା ସୃଷ୍ଟି କରିଛି । ତେବେ ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ଜଣାପଡିଛି ।

ମୃତକଙ୍କ ମଧ୍ୟରେ ୧୦୮ ଜଣ ମହିଳା ଓ ୭ ଜଣ ଛୋଟ ପିଲା ଅଛନ୍ତି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନେ ସିକନ୍ଦରାଉ ଅଞ୍ଚଳର ଫୁଲୁରୀ ଗ୍ରାମରେ ଧାର୍ମିକ ପ୍ରଚାରକ ଭୋଲେ ବାବାଙ୍କ ସତସଙ୍ଗ ପାଇଁ ଏକତ୍ରିତ ହୋଇଥିଲେ । ମୃତକଙ୍କ ସମ୍ପର୍କୀୟ ସେମାନଙ୍କ ପରିବାର ସଦସ୍ୟଙ୍କ ମୃତଦେହକୁ ଘରକୁ ନେବାକୁ ଅପେକ୍ଷା କରି ରହିଛନ୍ତି ।

ଗତକାଲି ସତସଙ୍ଗ ହୋଇଥିଲା । ଏଥିରେ ବିଭିନ୍ନ ରାଜ୍ୟରୁ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ସତସଙ୍ଗ ସରିବା ପରେ ଶ୍ରଦ୍ଧାଳୁ ଘରକୁ ଫେରିବା ଆରମ୍ଭ କରିଥିଲେ । ସତସଙ୍ଗ ସ୍ଥଳରୁ ବାହାରକୁ ଆସିବା ରାସ୍ତାଟି ଅଣଓସାରିଆ ଥିଲା । ଯେଉଁଥିରେ ଏକା ବେଳେ ୪ରୁ ୫ ଜଣ ବାହାରିବା ଭଳି ସୁବିଧା ଥିଲା । ହେଲେ ଏକା ସାଙ୍ଗ ଅଧିକ ଲୋକ ଆଗ ବାହାରକୁ ଆସିବା ପାଇଁ ଠେଲାପେଲା ହୋଇଥିଲେ । ଫଳରେ ଏହି ଅଘଟଣର ସୂତ୍ରପାତ ହୋଇଥିଲା । ଆଉ ଚାହୁଁ ଚାହୁଁ ସତସଙ୍ଗ ସ୍ଥଳ ଶ୍ମଶାନରେ ପରିଣତ ହୋଇଯାଇଥିଲା । ଲୋକେ ତଳେ ପଡିଥିବା ବେଳେ ଅନ୍ୟମାନେ ତାଙ୍କ ଉପରେ ଚଢ଼ି ବାହାରକୁ ବାହାରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା ।

ଅନ୍ୟପକ୍ଷରେ ଏହି ସତସଙ୍ଗ ପାଇଁ ଅନୁମତି ଥିଲା କି ନାହିଁ ତାହା ଏବେ ବଡ଼ ପ୍ରଶ୍ନ ଛିଡ଼ା କରିଛି । ଯଦି ଅନୁମତି ନଥିଲା ତେବେ ଏତେ ବଡ଼ ଆୟୋଜନ ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ବିଭାଗ କେମିତି ଜାଣି ପାରିଲା ନାହିଁ ତାହା ମଧ୍ୟ ପ୍ରଶ୍ନ ହେବାରେ ଲାଗିଛି । ବିନା ଅନୁମତିରେ ଏତେବଡ଼ ସତସଙ୍ଗ ଆୟୋଜନ ପଛରେ କିଏ ? କାହିଁକି ପ୍ରଶାସନ ଏ ସମ୍ପର୍କରେ ଜାଣି ପାରିଲା ନାହିଁ ? ଯଦି ଜାଣିଥିଲା ତେବେ ହଜାର ହଜାର ଲୋକ ଏକାଠି ହେଉଥିବା ବେଳେ ସୁରକ୍ଷା ବ୍ୟବସ୍ଥା କାହିଁକି କରାଗଲା ନାହିଁ, ତାହାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି ।