ଭାରତୀୟ ସିନେମାର ସୁଉଜ୍ଜ୍ୱଳ ଦିନଗୁଡ଼ିକରେ, ଯେଉଁଠାରେ କାହାଣୀ କେବଳ ମନୋରଞ୍ଜନ ନୁହେଁ, ବରଂ ଦେଶର ସାଂସ୍କୃତିକ ଓ ରାଜନୈତିକ ଚେତନା ସହିତ ଗଢ଼ିଯାଉଥିଲା, ସେଠାରେ ମାନୋଜ କୁମାର ନାମଟି ଦେଶଭକ୍ତିର ପରିଚୟ ହୋଇ ଉଭୟ ଦୃଶ୍ୟ ଓ ଦେଲରେ ଅବସ୍ଥାନ ନେଲା।
୧୯୩୭ ମସିହାରେ ପାକିସ୍ତାନର ଏବୋଟାବାଦ ରେ ଜନ୍ମ ହୋଇଥିବା ମାନୋଜ କୁମାରଙ୍କର ପ୍ରକୃତ ନାମ ଥିଲା ହରିକୃଷ୍ଣ ଗିରି ଗୋସ୍ୱାମୀ। ଦିଲିପ୍ କୁମାରଙ୍କର ଅଭିନୟରୁ ପ୍ରଭାବିତ ହୋଇ ସେ ମାନୋଜ କୁମାର ନାମ ଧାରଣ କଲେ। ତେବେ ଏହି ନାମ ସେମାନଙ୍କୁ କେବଳ ଚିହ୍ନିତ କଲା ନୁହେଁ, ଦେଶପ୍ରେମ ଓ ଦେଶବାସୀଙ୍କ ପାଇଁ କାହାଣୀ କହିବାର ଆଗ୍ରହ ସେମାନଙ୍କୁ ଏକ ଅନନ୍ୟ ଅଭିନେତା ଓ ନିର୍ଦ୍ଦେଶକ ରୂପେ ଗଢ଼ି ଦେଲା।
୧୯୬୫ ମସିହାରେ ଚିତ୍ର ‘ଶହୀଦ’ ରେ ଭଗତ ସିଂହଙ୍କ ଭୂମିକା ଅଭିନୟ କରି ସେ ଦେଶଭକ୍ତି ଚଳଚ୍ଚିତ୍ର ଯାତ୍ରା ଆରମ୍ଭ କଲେ। କିନ୍ତୁ ତାଙ୍କର ସାର୍ବତ୍ରିକ ନାମ ଓ ଖ୍ୟାତି ଆସିଲା ଉପକର (୧୯୬୭) ଦ୍ୱାରା, ଯେଉଁଥିରେ ସେ “ଜୟ ଜୱାନ୍, ଜୟ କିସାନ୍” ନାରାରୁ ପ୍ରେରିତ ହୋଇ ଚଳଚ୍ଚିତ୍ର ତିଆରି କରିଥିଲେ। ସେଠି ସେ କେବଳ ଅଭିନେତା ନୁହେଁ, ଚଳଚ୍ଚିତ୍ରର ଲେଖକ ଓ ନିର୍ଦ୍ଦେଶକ ମଧ୍ୟ ଥିଲେ। ଏହି ଚଳଚ୍ଚିତ୍ର ଦେଶର ଜଣେ ସାଧାରଣ ନାଗରିକଙ୍କ ଦୁଃଖ ଓ ବିରୋଧର କଥା କହିଥିଲା ଓ ଜନମାନସରେ ଗଭୀର ପ୍ରଭାବ ପକାଇଥିଲା।
ପରେ ସେ ପୂରବ ଔର ପଶ୍ଚିମ (୧୯୭୦) ଭଳି ଚଳଚ୍ଚିତ୍ରରେ ପଶ୍ଚିମାଧୁନିକତା ଓ ଭାରତୀୟ ପରମ୍ପରା ମଧ୍ୟରେ ସଂଘର୍ଷ ଦେଖାଇ, ଭାରତୀୟ ସଂସ୍କୃତି ଓ ମୂଲ୍ୟବୋଧକୁ ସୁରକ୍ଷିତ କରିବା ଆବଶ୍ୟକତାର ଉଲ୍ଲେଖ କଲେ।
୧୯୭୪ ମସିହାରେ ରୋଟି, କପଡ଼ା ଔର ମକାନ୍ ଚଳଚ୍ଚିତ୍ର ମାଧ୍ୟମରେ ସେ ବେରୋଜଗାରି, ଗରିବି ଓ ସାମାଜିକ ଅନ୍ୟାୟ ବିଷୟରେ ଆଲୋଚନା କଲେ। ଏହି ଚଳଚ୍ଚିତ୍ର ସେମାନଙ୍କ ଅଭିନୟ ସହ ତାଙ୍କର ଦୃଢ଼ ଦୃଷ୍ଟିକୋଣ ଓ ଦେଶପ୍ରେମ ଦେଖାଇଲା।
ମାନୋଜ କୁମାରଙ୍କୁ ୧୯୯୨ ମସିହାରେ ପଦ୍ମଶ୍ରୀ ପୁରସ୍କାର ଓ ୨୦୧୬ ମସିହାରେ ଦାଦାସାହେବ ଫାଲ୍କେ ପୁରସ୍କାର ମଧ୍ୟ ଦିଆଯାଇଥିଲା।
ତାଙ୍କ ଚଳଚ୍ଚିତ୍ର କେବଳ ମନୋରଞ୍ଜନ ନୁହେଁ, ସେଗୁଡ଼ିକ ଦେଶପ୍ରେମ ଓ ସାମାଜିକ ସଚେତନତାର ଏକ ଶକ୍ତିଶାଳୀ ମାଧ୍ୟମ ଥିଲା। ମାନୋଜ କୁମାର ଆଜି ମଧ୍ୟ ଏକ ଦେଶପ୍ରେମୀ ଚଳଚ୍ଚିତ୍ର ଆନ୍ଦୋଳନର ପ୍ରେରଣା ସ୍ତ୍ରୋତ।