Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୀପ ତଳ ଅନ୍ଧାର; ମୁରିବାହାଲ ବ୍ଲକ୍ ସଦର ପଞ୍ଚାୟତରେ ଏପର୍ଯ୍ୟନ୍ତ ଖୋଲିନି ଜଳଛତ୍ର ।

ବଲାଙ୍ଗୀର,୩୦।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବର୍ତମାନ ବଲାଙ୍ଗୀର ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ଉପରେ ରହୁଛି। ରାଜ୍ୟ ସରକାର ଗ୍ରୀଷ୍ମ ମୁକାବିଲା ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ମୁରିବାହାଲ ବ୍ଲକ ସଦର ପଞ୍ଚାୟତରେ ଦେଖିବାକୁ ମିଳିଛି “ଦୀପ ତଳ ଅନ୍ଧାର” ଭଳି ସ୍ଥିତି। ବ୍ଲକ ମୁଖ୍ୟାଳୟ ହୋଇ ମଧ୍ୟ ଏଠାକାର ସଦର ପଞ୍ଚାୟତରେ ଏପର୍ଯ୍ୟନ୍ତ ପଞ୍ଚାୟତ ପକ୍ଷରୁ ‘ଜଳ ଛତ୍ର’ର ବ୍ୟବସ୍ଥା କରାଯାଇନାହିଁ ଯାହା ପ୍ରଶାସନିକ ସ୍ଥାଣୁତାକୁ ପଦାରେ ପକାଇଛି।
ପ୍ରତିଦିନ ହଜାର ହଜାର ଲୋକ ବ୍ଲକ୍ ମୁଖ୍ୟାଳୟରେ ଥିବା ବ୍ଲକ୍ କାର୍ଯ୍ୟାଳୟ, ଥାନା, ଡାକ୍ତରଖାନା, ବଜାର, ତହସିଲ୍, ନ୍ୟାୟାଳୟ, ସ୍କୁଲ, କଲେଜ ସମେତ ଅନ୍ୟାନ୍ୟ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟକୁ ଅନେକ କାମ ପାଇଁ ଆସୁଛନ୍ତି। ମାତ୍ର ପ୍ରଖର ଖରାରେ ଶୋଷ ମେଣ୍ଟାଇବା ପାଇଁ ଟୋପାଏ ପାଣି ମୁନ୍ଦେ ପାଇବା ଏଠାରେ କଷ୍ଟକର ହୋଇପଡ଼ିଛି। ପଞ୍ଚାୟତ ଅଧିକାରୀଙ୍କ ଏତାଦୃଶ ଅବହେଳା ଯୋଗୁଁ ସାଧାରଣ ଜନତା ଏବଂ ପଥିକ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାରୀ ନିୟମ ଅନୁସାରେ ଏପ୍ରିଲ ୧ ତାରିଖରୁ ଜଳ ଛତ୍ର କାର୍ଯ୍ୟକ୍ଷମ ହେବା କଥା, କିନ୍ତୁ ମୁରିବାହାଲ ସଦର ପଞ୍ଚାୟତରେ ଏହା କେବଳ କାଗଜପତ୍ରରେ ସୀମିତ କି ବୋଲି ପ୍ରଶ୍ନ ଉଠୁଛି।
ଏନେଇ ମୁରିବାହାଲ ବିକାଶ ମଞ୍ଚର ସଭାପତି ଫାଲଗୁନୀ ହାତୀ ଆଜି ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ଅଭିଯୋଗ କରିଥିବା ବେଳେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ମଧ୍ୟ ଏଠାରେ ‘ଜଳ ଛତ୍ର’ ଖୋଲା ନଯିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ବ୍ଲକ ପ୍ରଶାସନର ନାକ ତଳେ ଥାଇ ମଧ୍ୟ ସଦର ପଞ୍ଚାୟତର ଏଭଳି ବେପରୁଆ ମନୋଭାବ କିପରି ସ୍ଥାନୀୟ ବିଡ଼ିଓ ଏବଂ ଜିଲ୍ଲାପାଳଙ୍କ ନଜରକୁ ଆସୁନାହିଁ? ପଞ୍ଚାୟତ ଅଧିକାରୀଙ୍କ ଏହି ମନମୁଖୀ ଶାସନ ଏବଂ କର୍ତ୍ତବ୍ୟରେ ଅବହେଳା ପାଇଁ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ।
ଏନେଇ ମୁରିବାହାଲ ବିଡ଼ିଓ ବାସନ୍ତୀ ସେଠୀଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ ଫୋନ୍ କଲ୍ ଉଠାଇ ନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଅନ୍ୟପକ୍ଷରେ ଘଟଣାକୁ ନେଇ ମୁରିବାହାଲ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଗଙ୍ଗାଧର ଛତରଙ୍କୁ ପଚାରିବାରୁ ଜଳ ଛତ୍ର ଖୋଲିବାକୁ ସରପଞ୍ଚ ମନା କରିଛନ୍ତି ଆମେ କଣ କରିପାରିବୁ ବୋଲି ତାଙ୍କର ଅସହାୟତା ପ୍ରକାଶ କରିଛନ୍ତି । ସେହିପରି ଏହାକୁ ନେଇ ମୁରିବାହାଲ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ (ଜିପିଡିଓ) ପ୍ରସନ୍ନ ନାଗଙ୍କୁ ପଚାରିବାରୁ ସେ ମଧ୍ୟ ଏନେଇ ମୁରିବାହାଲ ସରପଞ୍ଚ ମନା କରିଥିବା କହିଛନ୍ତି ।
ପ୍ରକାଶ ଥାଉକି, ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ନିର୍ଦ୍ଦେଶାବଳୀ ଅନୁଯାୟୀ, ପ୍ରତିବର୍ଷ ପ୍ରଖର ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରତି ପଞ୍ଚାୟତର ଜନଗହଳିପୂର୍ଣ୍ଣ ସ୍ଥାନ, ବସଷ୍ଟାଣ୍ଡ ଏବଂ ବଜାର ଅଞ୍ଚଳରେ ‘ଜଳ ଛତ୍ର’ ଖୋଲିବା ବାଧ୍ୟତାମୂଳକ। ଏଥିପାଇଁ ପଞ୍ଚାୟତ ନିଜସ୍ୱ ପାଣ୍ଠି କିମ୍ବା ପଞ୍ଚଦଶ ଅର୍ଥ କମିଶନ ଅନୁଦାନରୁ ଏହି ପାନୀୟ ଜଳ ବ୍ୟବସ୍ଥା ପାଇଁ ଖର୍ଚ୍ଚ କରିବାର ନିୟମ ରହିଥିଲେ ମଧ୍ୟ କାହିଁକି ଏଯାଏଁ ମୁରିବାହାଲ ବ୍ଲକ୍ ସଦର ପଞ୍ଚାୟତରେ ଏହି ନିୟମକୁ ଖୋଲାଖୋଲି ଉଲଂଘନ କରାଯାଇଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।
ଯଦି ତୁରନ୍ତ ଏଠାରେ ପାନୀୟ ଜଳର ସୁବ୍ୟବସ୍ଥା କରା ନଯାଏ, ତେବେ ଆଗାମୀ ଦିନରେ ଜନ ଅସନ୍ତୋଷ ତୀବ୍ର ହେବାର ଆଶଙ୍କା ରହିଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ